ଆୟୁଷ ଏସ୍‌ପିଏମ୍‌ୟୁରେ କନ୍‌ସଲ୍‌ଟାଣ୍ଟ ନିଯୁକ୍ତି ନେଇ ବିବାଦ : ତୁରନ୍ତ ପଦରୁ ହଟାଇବା ଲାଗି ସରକାରଙ୍କ ନିର୍ଦେଶ

Advertisment
ଆୟୁଷ ଏସ୍‌ପିଏମ୍‌ୟୁରେ କନ୍‌ସଲ୍‌ଟାଣ୍ଟ ନିଯୁକ୍ତି ନେଇ ବିବାଦ : ତୁରନ୍ତ ପଦରୁ ହଟାଇବା ଲାଗି ସରକାରଙ୍କ ନିର୍ଦେଶ

ଭୁବନେଶ୍ବର : ଆୟୁଷ ବିଭାଗର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜ୍‌ମେଣ୍ଟ ୟୁନିଟ୍(ଏସ୍‌ପିଏମ୍‌ୟୁ)ରେ ପରାମର୍ଶଦାତା ବା କନସଲଟାଣ୍ଟ ଭାବେ ନିଯୁକ୍ତ ପାଇଥିବା ନିଗମ ପ୍ରସାଦ ନାୟକଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଶ୍ରୀ ନାୟକଙ୍କ ବିରୋଧରେ ଏକାଧିକ ପିଟିସନ୍ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହେବା ପରେ ଏସ୍‌ପିଏମ୍‌ୟୁ ସେଲ୍‌ରୁ ତାଙ୍କୁ ତୁରନ୍ତ ହଟାଇବା ପାଇଁ ଆୟୁଷ ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ସପ୍ତାହକ ଭିତରେ ଏ ନେଇ ରିପୋର୍ଟ ଦାଖଲ କରିବା ପାଇଁ ଆୟୁଷ ନିର୍ଦେଶକଙ୍କୁ କୁହାଯାଇଛି।

ସୂଚନା ଅନୁସାରେ, ଶ୍ରୀ ନାୟକ ରାଜ୍ୟ ଆୟୁଷ ନିର୍ଦେଶାଳୟର ଉପ-ନିର୍ଦେଶକ ଥିବା ସମୟରେ ଆଉଟସୋର୍ସିଂ ଏଜେନ୍‌ସି ଜରିଆରେ ଏସ୍‌ପିଏମ୍‌ୟୁରେ ପରାମର୍ଶଦାତା ଭାବେ ନିଜେ ନିଜକୁ ନିଯୁକ୍ତ କରିଥିବା ଅଭିଯୋଗ ହୋଇଥିଲା। ଆୟୁଷ ନିର୍ଦେଶାଳୟରୁ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଯୋଗ ଦେଇଥିଲେ। ତେବେ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ନିକଟରେ ଏକାଧିକ ଅଭିଯୋଗ ପହଞ୍ଚିବା ପରେ ତାଙ୍କୁ ପରାମର୍ଶଦାତା ପଦବିରୁ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ତେବେ ରାଜ୍ୟ ଆୟୁଷ ନିର୍ଦେଶକ ପଦବି ଦୀର୍ଘଦିନ ହେବ ଖାଲି ପଡ଼ିଛି। ସ୍ଥାୟୀ ନିର୍ଦେଶକ ଅଭାବରୁ ସ୍ବାସ୍ଥ୍ୟ ସେବା ନିର୍ଦେଶକଙ୍କୁ ଆୟୁଷର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ମାତ୍ର ଇତିମଧ୍ୟରେ ୫ ଦିନ ବିତି ଯାଇଥିଲେ ହେଁ ତାଙ୍କ ବିରୋଧରେ ନିର୍ଦେଶାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନାହିଁ। ଅ୍‌ର୍ଥାତ୍‌ ଶ୍ରୀ ନାୟକ ପୂର୍ବଭଳି ପ୍ରତ୍ୟେକ ଦିନ ଏସ୍‌ପିଏମ୍‌ୟୁ କାର୍ଯ୍ୟାଳୟକୁ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁଷ ନିର୍ଦେଶାଳୟର ଏସ୍‌ପିଏମ୍‌ୟୁରେ ଶ୍ରୀ ନାୟକଙ୍କ କନସଲଟାଣ୍ଟ ନିଯୁକ୍ତି ନେଇ ବିବାଦ ଉପୁଜିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଆଗାମୀ ଦିନରେ ଆୟୁଷ ନିର୍ଦେଶାଳୟରେ ଏଭଳି ନିଯୁକ୍ତି ପାଇଁ ଏକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି କମିଟି ଆୟୁଷ ନିର୍ଦେଶାଳୟରେ କିଭଳି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ତାହାର ତର୍ଜମା କରିବ। ଯାହାଫଳରେ ଏସ୍‌ପିଏମ୍‌ୟୁରେ ନିଯୁକ୍ତି ସମୟରେ ସ୍ବଚ୍ଛତା ଆସିପାରିବ। ତେବେ ଏହି କମିଟି କେବେଠାରୁ କାର୍ଯ୍ୟ କରିବ ଓ କେଉଁ କେଉଁମାନେ ଏହାର ସଦସ୍ୟ ରହିବେ ସେ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ଘଟଣା ସଂପର୍କରେ ଆୟୁଷ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, ଆଉଟସୋର୍ସିଂ ଏଜେନ୍ସି ଜରିଆରେ ତାଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ପାଇବା ପରେ ତାଙ୍କୁ ସେଠାରୁ ହଟାଇବା ପାଇଁ ଏଜେନ୍ସିଙ୍କୁ ଚିଠି ଲେଖାଯାଇଛି ବୋଲି ଡା. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe