ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଦିବ୍ୟାଙ୍ଗ କଲବଲ : ହୋଇପାରୁ ନାହିଁ ସ୍ଥାୟୀ ବ୍ୟବସ୍ଥା, ରାମ୍ପ୍‌ ନିର୍ମାଣ ଅଧାଗଢ଼ା, ଶୋଷଣର ଶିକାର ହେଉଛନ୍ତି ଭକ୍ତ

Advertisment
ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଦିବ୍ୟାଙ୍ଗ କଲବଲ : ହୋଇପାରୁ ନାହିଁ ସ୍ଥାୟୀ ବ୍ୟବସ୍ଥା, ରାମ୍ପ୍‌ ନିର୍ମାଣ ଅଧାଗଢ଼ା, ଶୋଷଣର ଶିକାର ହେଉଛନ୍ତି ଭକ୍ତ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅହରହ ଉଦ୍ୟମ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କ ପାଇଁ ଦର୍ଶନର ଶୃଙ୍ଖଳିତ ବ୍ୟବସ୍ଥା କରିପାରି ନାହିଁ। ଯେଉଁଥିପାଇଁ ଦର୍ଶନ ଆଶା ନେଇ ଶ୍ରୀକ୍ଷେତ୍ର ଦୌଡ଼ି ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ଦିବ୍ୟାଙ୍ଗ ଭକ୍ତ, ବୃଦ୍ଧବୃଦ୍ଧାମାନେ ମହାପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହି ଦିଗକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଏହାର ଫାଇଦା ଉଠାଉଛନ୍ତି କିଛି ଦଲାଲ ଯୁବକ। ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାମାନଙ୍କୁ କାନ୍ଧରେ ବସାଇ ମହାପ୍ରଭୁଙ୍କ ଦର୍ଶନ କରାଇଦେବା ଆଳରେ ଏମାନେ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରୁଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି।

ପୂର୍ବରୁ ଉତ୍ତରଦ୍ୱାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କ ଯା’ଆସ ପାଇଁ ବ୍ୟବସ୍ଥା କରାଯାଇଥିଲା। ହ୍ୱିଲ୍ ଚେୟାର ବ୍ୟବସ୍ଥା ବି ରହିଥିଲା। ଯେଉଁ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିଲେ ସେମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ହ୍ୱିଲ୍ ଚେୟାର ନେଇ ଉତ୍ତରଦ୍ୱାରରେ ଥିବା ଦିବ୍ୟାଙ୍ଗ ରାମ୍ପ୍‌ ଦେଇ ଦର୍ଶନ ପାଇଁ ଯାଉଥିଲେ। ଏଥିପାଇଁ ଉତ୍ତରଦ୍ୱାରରେ ଆଲୁମିନିୟମ୍‌ର ଅସ୍ଥାୟୀ ରାମ୍ପ୍‌ ସ୍ଥାପନ କରାଯାଇଥିଲା। ପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି ଅସ୍ଥାୟୀ ରାମ୍ପ୍‌କୁ ଶ୍ରୀମନ୍ଦିର ପ୍ରଶାସନ ହଟାଇ ଦେଇଛି। ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ କରିଛି। ଉତ୍ତରଦ୍ୱାରରୁ ଆନନ୍ଦବଜାର ଦେଇ ସ୍ଥାୟୀ ଦିବ୍ୟାଙ୍ଗ ରାମ୍ପ୍‌ ତିଆରି କରି ଆନନ୍ଦବଜାର ଗୁମୁଟ ଦେଇ ଦିବ୍ୟାଙ୍ଗ ଭକ୍ତଙ୍କୁ ଭିତର ବେଢ଼ାକୁ ଦର୍ଶନ ପାଇଁ ଛାଡ଼ିବାର ଯୋଜନା ପ୍ରସ୍ତୁତ କରିଛି। ସେହି ଅନୁଯାୟୀ ରାମ୍ପ୍‌ କାମ ଆରମ୍ଭ ହୋଇଛି ସତ, କିନ୍ତୁ ଏ ପର୍ଯ୍ୟନ୍ତ ‌ଶେଷ ହୋଇପାରିନି। ଏ ଭିତରେ ଦିବ୍ୟାଙ୍ଗ ରାମ୍ପ୍‌ ନିର୍ମାଣକୁ ଦେଢ଼ ବର୍ଷ ବିତିଗଲାଣି। ଆରମ୍ଭରୁ ଏହି ରାମ୍ପ୍‌କୁ ଅନ୍ୟ ଦ୍ୱାର ଦେଇ ନେବାକୁ ସେବାୟତମାନେ, ମୁଖ୍ୟତଃ ସୁଆର ମହାସୁଆର ସେବକମାନେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି ରଖିଥିଲେ। କାରଣ ଏହି ରାମ୍ପ୍‌ ଆନନ୍ଦବଜାର ଦେଇ ଗଲେ ଭକ୍ତମାନେ ଆଘାତ ପାଇବାର ଆଶଙ୍କା ରହିଥିଲା।

publive-image

ଗହଳଚହଳ ଭିତରେ ଦିବ୍ୟାଙ୍ଗ ଭକ୍ତମାନେ କଲବଲ ହେବା ଆଶଙ୍କା ପ୍ରକଟ କରି ସୁଆର ମହାସୁଆର ନିଯୋଗ ବି ଅନ୍ୟଦ୍ୱାର ଦେଇ ଦିବ୍ୟାଙ୍ଗ ରାମ୍ପ୍‌ ନିର୍ମାଣ କରିବାକୁ ଦାବି କରି ଆସୁଛି। ଏଭଳି ବାଦବିବାଦ ଭିତରେ ଦିବ୍ୟାଙ୍ଗ ରାମ୍ପ୍‌ ଅଧଗଢ଼ା ଅବସ୍ଥାରେ ପଡ଼ିରହିଛି। ଯାହାର ସିଧାସଳଖ ପ୍ରଭାବ ଦିବ୍ୟାଙ୍ଗ ଭକ୍ତଙ୍କ ଉପରେ ପଡ଼ିଛି। ଏମାନେ ଦର୍ଶନ ପାଇଁ କଲବଲ ହେଉଛନ୍ତି। କଷ୍ଟେମଷ୍ଟେ ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି, ସେମାନେ ନାଟମଣ୍ଡପକୁ ଯାଇପାରୁ ନାହାନ୍ତି। ଭିତରବେଢ଼ାରୁ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି। ବୃଦ୍ଧବୃଦ୍ଧାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ କିଛି ଦଲାଲ ଏହି ଅସହାୟତାର ସୁଯୋଗ ନେବାକୁ ହାତଛଡ଼ା କରିନାହାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ବୁଲାଇ ଦେବାକୁ କହି ସେବା ନାଁରେ ଲୁଟୁଛନ୍ତି। କାହାଠାରୁ ୫୦୦ ତ କାହାଠାରୁ ହଜାରେ ଟଙ୍କା ଆଦାୟ କରୁଛନ୍ତି। ଆଜି ବି ଏଭଳି କିଛି ଯୁବକ ଜଣେ ଭକ୍ତଙ୍କୁ ଶ୍ରୀମନ୍ଦିର ନେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଯୁବକମାନେ ଭକ୍ତମାନେ ଯାହା କିଛି ଇଚ୍ଛା ମୁତାବକ ଦେଉଛନ୍ତି, ତାହା ଗ୍ରହଣ କରୁଛୁ ବୋଲି ଯୁକ୍ତି ବାଢ଼ିଥିଲେ। ବର୍ଷାଧିକ ସମୟ ହେଲା ଏଭଳି ଭକ୍ତଙ୍କୁ ଶୋଷଣ ଚାଲିଥିଲେ ବି ପ୍ରଶାସନର ଦୃଷ୍ଟି ପଡ଼ୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe