Image Courtesy of The New Indian Express
କଟକ : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ସୁଧାର ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସଚିବ ସତ୍ୟପାଠ ଦାଖଲ କରିବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। ହାଇକୋର୍ଟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେବା ପରେ ସ୍ବାସ୍ଥ୍ୟ ସଚିବ ଏସ.ପଣ୍ଡିତ ଭର୍ଚୁଆଲ ମାଧ୍ୟମରେ ହାଜର ହୋଇ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ଅତି କମ୍ରେ ଖାଲି ପଡ଼ିଥିବା ୯୦ ପ୍ରତିଶତ ଏମବିବିଏସ ଡାକ୍ତର ପଦ ପୂରଣ କରାଯିବ ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠ ଅନୁଯାୟୀ ଡାଇଗ୍ନୋଷ୍ଟିକ୍ ସେବା ସଂପ୍ରସାରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ପେଶାଲିଷ୍ଟ ଡାକ୍ତର ପଦ ପୂରଣ ପାଇଁ କିନ୍ତୁ ସମୟ ଲାଗିବ ବୋଲି ସଚିବ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ମାମଲାର ଶୁଣାଣି କରି ଏପ୍ରିଲ ୩ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ପଦବି ପୂରଣ ସହିତ ସ୍ବାସ୍ଥ୍ୟସେବା ପ୍ରସଂଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସମୟସୀମା ପ୍ରସଂଗରେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ଏପ୍ରିଲ ୧୨କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ ଭିତ୍ତିଭୂମି ସମସ୍ୟା ସଂପର୍କରେ ତଥ୍ୟ ଦାଖଲ କରାଯାଇଥିଲା। ଅନେକ ସ୍ଥାନରେ ସର୍ବନିମ୍ନ ସୁବିଧା ନ ଥିବା ବି ଜଣା ପଡିଥିଲା। ଏଥି ସହିତ ଆବେଦନକାରୀ ଶ୍ରୀ ମହାନ୍ତି ମଧ୍ୟ ରାଜ୍ୟର କେତେକ ସରକାରୀ ଡାକ୍ତରଖାନା ପରିଦର୍ଶନ କରି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଚିତ୍ର ହାଇକୋର୍ଟରେ ଦାଖଲ କରିଥିଲେ।
Follow Us