ରାମଚଣ୍ଡୀରେ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ୍‌

Advertisment

ଉଦ୍‌ଘାଟନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ, ଯୋଗଦେଲେ ଭାରତ ସମେତ ୫ ଦେଶର ପ୍ରତିନିଧି

ଉଦ୍‌ଘାଟନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ, ଯୋଗଦେଲେ ଭାରତ ସମେତ ୫ ଦେଶର ପ୍ରତିନିଧି

ରାମଚଣ୍ଡୀରେ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ୍‌

ପୁରୀ/କୋଣାର୍କ : ବଙ୍ଗୋପସାଗର ତଟକୁ ଲାଗି ରହିଥିବା ଦେଶମାନଙ୍କୁ ନେଇ ଗଠିତ ବିମଷ୍ଟେକ୍‌(ବେଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର୍‌ ମଲଟିସେକ୍ଟୋରିଆଲ୍‌ ଟେକ୍‌ନିକ୍‌ ଆଣ୍ଡ୍ ଇକେନୋମିକ କୋଅପରେସନ୍‌) ପକ୍ଷରୁ ଆଜି ପୁରୀ-କୋଣାର୍କ ବେଳାମାର୍ଗର ରାମଚଣ୍ଡୀ ନିକଟସ୍ଥ କୁଶଭଦ୍ରା ମୁହାଣରେ ଏକ ବିଶ୍ବସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍‌ଡ୍ରିଲ୍‌ ଅନୁଷ୍ଠିତ ‌ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଓ ଭୂକମ୍ପ ବେଳେ କିଭଳି ଧନଜୀବନକୁ ସୁରକ୍ଷା ଦିଆଯାଇପାରିବ, ବିଶେଷ କରି ହଜାର ହଜାର ବର୍ଷର ଐତିହ୍ୟକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେ ନେଇ ଆଜି ଏକ ମକ୍‌ଡ୍ରିଲ୍‌ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ବିମଷ୍ଟେକ୍‌ ପକ୍ଷରୁ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ସହରର ଏକ ଅବକିଳ ପ୍ରତିକୃତି ନିର୍ମାଣ କରାଯାଇଥିଲା। ପାଣି ଭିତରେ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ଏକ ପ୍ରତିଛବି, ଗାଁ, କୋଣାର୍କର ବ୍ୟାଙ୍କ୍‌, ଅଫିସ୍‌, ସ୍କୁଲ୍‌, ବ୍ୟାତ୍ୟା ଆଶ୍ରୟସ୍ଥଳ, ଲଜିଂ ଘରର ପ୍ରତିକୃତି ପ୍ରସ୍ତୁତ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଠାରେ ରହୁଥିବା ଲୋକଙ୍କୁ ଧନଜୀବନ , ପଶୁପକ୍ଷୀ, ଗର୍ଭବତୀ ମହିଳା, ଶିଶୁ, ବୟସ୍କଙ୍କ ସହିତ ସହିତ ଐତିହ୍ୟ କୀର୍ତ୍ତିରାଜିକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେ ନେଇ କଳାକୌଶଳ ପ୍ରଦର୍ଶନ କରାଯାଇଥିଲା।

କଦଳୀ ଭେଳାଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍‌ ବୋତଲ, ବାଉଁଶ ଖଣ୍ଡ ,ଶୁଖିଲା ନଡ଼ିଆ, ଗାଡ଼ି ଟ୍ୟୁବ୍‌ ସହିତ ହେଲିକପ୍ଟର୍‌ ସାହାଯ୍ୟରେ ଲୋକମାନଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ଓ କାହାକୁ କେଉଁ ସ୍ଥାନରେ ସୁରକ୍ଷିତ ରଖାଯାଇ ପାରିବ, ବିଶେଷ କରି ଐତିହ୍ୟକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ନେଇ କଳାକୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି ବିଶ୍ବସ୍ତରୀୟ ମକ୍‌ଡ୍ରିଲ୍‌ ବେଶ ଶିକ୍ଷଣୀୟ ଓ ଚିତ୍ତାକର୍ଷକ ଥିଲା। ବିମଷ୍ଟେକ୍‌ ପକ୍ଷରୁ ଆୟୋଜିତ ଏହି ଦ୍ବିତୀୟ ଆନ୍ତର୍ଜାତିକ ମକଡ୍ରିଲ୍‌ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ, ବିମଷ୍ଟେକ୍ କେବଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରସ୍ପର ସହଯୋଗୀ ରାଷ୍ଟ୍ର ହେବ ନାହିଁ ବରଂ ଏହା ସବୁରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି, ସଦ୍‌ଭାବନା, ଭାଇଚାରା, କଳା, ସଂସ୍କୃତିର ଆଦାନ ପ୍ରଦାନର ବାର୍ତ୍ତାବହ ହେବ।

ଭାରତ ସମେତ ଥାଇଲାଣ୍ଡ, ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶ ଓ ମିଆଁମାର ଭଳି ସମୁଦ୍ର ଉପକୂଳରେ ଥିବା ସାତଟି ଦେଶକୁ ନେଇ ବିମଷ୍ଟେକ୍‌ ଗଠିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଆୟୋଜକ ଭାରତ ସମେତ ମିଆଁମାର, ବାଂଲାଦେଶ, ନେପାଳ, ଶ୍ରୀଲଙ୍କାର ପ୍ରତିନିଧି ଯୋଗ ଦେଇଥିଲେ। ଏହି ମକଡ୍ରିଲ୍‌ରେ ଏନଡିଆର୍‌ଏଫ୍‌ର ଯବାନମାନଙ୍କ ସହିତ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସମଗ୍ର ବିଶ୍ବ ସମୁଦାୟ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏକ ଆହ୍ବାନ ହୋଇଥିବାରୁ ଏଭଳି ପ୍ରସ୍ତୁତିର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏନଡିଆର୍‌ଏଫ୍‌ ବୋଟରେ କୁଶଭଦ୍ରା ନଦୀ ପରିଭ୍ରମଣ କରିବା ସହ ନିର୍ମିତ ହୋଇଥିବା ଅସ୍ଥାୟୀ କୋଣାର୍କ ପ୍ରତିଛବି ସହରକୁ ବୁଲି ଦେଖିଥିଲେ। ଏହି ଉପଲକ୍ଷେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏନଡିଆର୍‌ଏଫ୍‌ ଯବାନମାନଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନଡିଆର୍‌ଏଫ୍‌ର ଡିଜି ସତ୍ୟନାରାୟଣ ପ୍ରଧାନ, ପୁଲିସ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe