କଲମା ବ୍ୟାରେଜର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

କଲମା ବ୍ୟାରେଜର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଝାରସୁଗୁଡ଼ା : ଛତିଶଗଡ଼ରେ ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର ୨ ଦିନ ହେବ କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଖୋଲି ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। କଲମାର ଗେଟ୍‌ ଖୋଲିବା ଯୋଗୁ ଶନିବାର ସକାଳୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଶନିବାର ଦିନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧,୨୩,୫୪୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ୬୦୫.୬୭ଫୁଟ ରହିଛି। ଶନିବାର ସନ୍ଧ୍ୟା ସୁଦ୍ଧା କଲମାର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। କିନ୍ତୁ ଛତିଶଗଡ଼ରେ ବୃଷ୍ଟିପାତ ହାର କମିବାରେ ଲାଗିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ର ଉପରମୁଣ୍ଡରେ ୦.୧୩ ମିମି ବୃଷ୍ଟିପାତ ହୋଇଛି। ତେଣୁ କଲମାର ସମସ୍ତ ଗେଟ୍‌ ଖୋଲା ରହିଥିଲେ ହେଁ ଜଳପ୍ରବାହର ମାତ୍ରା ସେତେଟା ବୃଦ୍ଧି ପାଇନାହିଁ। ସେଠାରେ ଆଉ ଦିନେ ଦୁଇଦିନ ବର୍ଷା ନ ହେଲେ କଲମା ବ୍ୟାରେଜର ଗେଟ୍‌ ବନ୍ଦ କରିବାକୁ ଛତିଶଗଡ଼ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି। ସାଧାରଣତଃ ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ ଫୁଟ କିମ୍ବା ତା’ଠାରୁ କମ୍‌ ପାଣି ରଖାଯାଇଥାଏ। ଯଦି ଏହି ଅବଧି ମଧ୍ୟରେ ଅଧିକ ପାଣି ପ୍ରବେଶ କରେ, ତେବେ ଚଳିତ ବର୍ଷ ଶୀଘ୍ର ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇପାରେ। ଆଜିଠୁ ବରଗଡ଼ କେନାଲ ମଧ୍ୟ ଖୋଲାଯାଇଛି। ତେଣୁ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବନ୍ୟାଜଳର ମାତ୍ରା ଓ ନିଷ୍କାସିତ ହେଉଥିବା ମୋଟ ପାଣିର ହାରକୁ ଦେଖି କେବେ ହୀରାକୁଦର ଗେଟ୍‌ ଖୋଲିବ, ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe