କୋରାପୁଟ: ଓଡ଼ିଶା, ଛତିଶଗଡ ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ଅଂଚଳ କରିବାକୁ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ(ଡିପିବିପି) ସଦସ୍ୟଙ୍କ ମଧ୍ୟରେ ଏବେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଅଞ୍ଚଳକୁ ସ୍ବତନ୍ତ୍ର ମାନ୍ୟତା ପାଇଁ ଏକ କୋର କମିଟି ଗଠିତ ହୋଇଛି। ଏହି କମିଟି ଏଥିପାଇଁ ଜୋରଦାର ଲଢ଼େଇ କରିବ ବୋଲି ସ୍ପଷ୍ଟ ହୋଇଛି।
କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ଅଧ୍ୟକ୍ଷତାରେ କିଛି ମାସ ପୂର୍ବେ ଗଠିତ ହୋଇଛି ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ (ଡିପିବିପି)। ଏହି ସଂଗଠନ ପ୍ରତି ଓଡ଼ିଶାର କୋରାପୁଟ ସୀମାବର୍ତ୍ତୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଆଦିବାସୀ ନେତୃବୃନ୍ଦଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏହି ୩ ରାଜ୍ୟ ସୀମାବର୍ତ୍ତୀ ଅଂଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ଅଂଚଳ ଗଠନ କରିବାକୁ ଏହି ନେତୃବୃନ୍ଦଙ୍କ ମଧ୍ୟରେ ଦାବି ଜୋର ଧରିଥିବାବେଳେ ସଂଗଠନରେ ସମ୍ପୃକ୍ତ ଥିବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଏଥିନେଇ ମାନସମନ୍ଥନ ଚାଲିଛି।
ଗଠିତ ହୋଇଥିବା କେନ୍ଦ୍ରୀୟ କୋର କମିଟିର ମୁ୍ଖ୍ୟ ଉପଦେଷ୍ଟା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ନେତମ୍, ସଭାପତି ଭାବେ ଜୟରାମ ପାଙ୍ଗୀ, ସାଧାରଣ ସମ୍ପାଦକ ଭାବେ ଗଦାଧର ପରିଡା, ଉପସଭାପତି ଭାବେ ଏସ.ଗଙ୍ଗାଧର, କାମରାଜ କାୱାସୀ, ନକୂଳ ବିଶ୍ବାସୀ, ସମ୍ପାଦକ ଭାବେ ମାନସ ରଞ୍ଜନ ପଣ୍ଡା, ଉପେନ୍ଦ୍ର ମାଝି, ଲଲିତା ମାଡକାମୀ, ପ୍ରଭାରୀ ଭାବେ ଅଶୋକ କୁମାର ପାଙ୍ଗୀ ରହିଛନ୍ତି। ତେବେ ଏହାକୁ ଏକ କେନ୍ଦ୍ର ଶାସିତ ଅଂଚଳ ନା ଏକ ସ୍ୱତନ୍ତ୍ର ରାଜ୍ୟ କରିବେ ସେ ନେଇ ମତଭେଦ ଦେଖାଦେଇଥିବା ଶ୍ରୀ ପାଙ୍ଗି ଜଣାଇଛନ୍ତି ।
ତେବେ ଏହି ଅଂଚଳର ଆଦିବାସୀ ତିନୋଟି ରାଜ୍ୟ ସରକାରଙ୍କ ଦ୍ବାରା ଅବହେଳିତ ହୋଇ ରହିଥିବା ଯୋଗୁଁ ସେହି ରାଜ୍ୟଗୁଡିକରୁ ଅଲଗା ହୋଇ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ଶାସିତ ଅଂଚଳ ଭାବେ ଦଣ୍ଡକାରଣ୍ୟ ପ୍ରଦେଶ ଗଠନର ଆବଶ୍ୟକତା ରହିଛି ବୋଲି ଆନ୍ଧ୍ରର ଆରାକୁରୁ ଆସିଥିବା ଆଦିବାସୀ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ମଙ୍ଗଳବାର କୋରାପୁଟରେ ଆୟୋଜିତ ସଭାରେ ଏହି ୩ ରାଜ୍ୟର ବୁଦ୍ଧିଜୀବୀ ଏକାଠି ହୋଇ ବିଷଦ ଭାବେ ଆଲୋଚନା କରିଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଜଣାଇଛନ୍ତି ।
ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ଦଣ୍ଡକାରଣ୍ୟ ବିକାଶ ପରିଷଦର ଜେନେରାଲ ବଡି ମିଟିଂରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡରୁ ଆସିଥିବା ରାଜନେତା ଓ ପ୍ରଶାସକ ଯୋଗଦେଇଥିଲେ। ଆନ୍ଧ୍ର ପ୍ରଦେଶ ଆରକୁ ଭ୍ୟାଲିର କଂଗ୍ରେସର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଏସ. ଗଙ୍ଗାଧର, କୋରାପୁଟର ପୂର୍ବତନ ଏମପି ତଥା ଆଦିବାସୀ ନେତା ଜୟରାମ ପାଙ୍ଗୀ ଓ କୋରାପୁଟର ପୂର୍ବତନ ପ୍ରଶାସକ ଗଦାଧର ପରିଡାଙ୍କ ସହ ବହୁ ନେତା ଉପସ୍ଥିତ ରହି ଆଦିବାସୀଙ୍କ ଉନ୍ନତି ପାଇଁ ଦଣ୍ଡକାରଣ୍ୟ ରାଜ୍ୟ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଥିଲେ। ୮୦ ଦଶକରୁ ଦଣ୍ଡାକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବି ହୋଇ ଆସୁଛି। ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ରାଜ୍ୟର ପ୍ରାୟ ୩୦୦ କିଲୋମିଟର ବ୍ୟାପୀ ରହିଛି ଏହି ଅଞ୍ଚଳ। ଉକ୍ତ ଅଞ୍ଚଳରେ ଓଡ଼ିଶାର ଅବିଭକ୍ତ କୋରପୁଟ ଜିଲ୍ଲା, ଆନ୍ଧ୍ରର ବିଶାଖାପାଟଣା ଓ ପାର୍ବତୀପୁରମ ଜିଲ୍ଲା ସହ ଛତିଶଗଡର ତିନିଟି ଜିଲ୍ଲା ରହିଛି।
Follow Us