Naveen congratulated the people of the state on the occasion of Republic Day
ଭୁବନେଶ୍ବର: ବିଜେଡିର ସାଂଗଠନିକ ନବକଳେବର ପରେ ଭି କେ ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିଲାଣି। ‘ପାଣ୍ଡିଆନପନ୍ଥୀ’ଙ୍କର ସକ୍ରିୟତା ଦଳରେ ଅସ୍ବସ୍ତିକର ପରିବେଶ ସୃଷ୍ଟି କରିଛି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ୍ ହେବା ତାହାର ଏକ ପ୍ରତିଫଳନ ବୋଲି କୁହାଯାଉଛି। ଯୁଦ୍ଧ ପରିସ୍ଥିତି ଆଳ ଦେଖାଇ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲେ ବି ବାସ୍ତବ ସ୍ଥିତି ଭିନ୍ନ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।
ବିଜେଡିର ସାଂଗଠନିକ ନବକଳେବର ପରେ ଆଜିର ପ୍ରସ୍ତାବିତ ସ୍ବାଗତ କାର୍ଯ୍ୟକ୍ରମ ଥିଲା ପ୍ରଥମ ଦଳୀୟ କାର୍ଯ୍ୟକ୍ରମ। ବିଜୁ ବାବୁଙ୍କ ବୀରତ୍ବକୁ ମନେ ପକାଇବା ବାହାନାରେ ପୁଣି ଥରେ ବିଜେଡିକୁ ଚଳଚଞ୍ଚଳ କରିବା ଥିଲା ଏହାର ଉଦ୍ଦେଶ୍ୟ। ଗତକାଲି ଶଙ୍ଖ ଭବନରେ ଏଥି ପାଇଁ ପ୍ରସ୍ତୁତି ବୈଠକ ବସିଥିଲା। ପ୍ରଥେମ ୫ ହଜାର ଲୋକଙ୍କୁ ଆଣି ମେଗା ସୋ’ କରିବାକୁ ଯୋଜନା ହେଉଥିଲା। କିନ୍ତୁ ବହୁ ନେତା ଏଥିରେ ଆଗ୍ରହ ଦେଖାଇଲେ ନାହିଁ। କାଳେ ସୋ’ ଫ୍ଲପ୍ ହେବ, ସେଥି ପାଇଁ ଲୋକ ସଂଖ୍ୟା କମାଇବାକୁ ନିଷ୍ପତ୍ତି ହେଲା। ଗତକାଲିର ବୈଠକରେ ଏକ ହଜାରରୁ ଦେଢ଼ ହଜାର ଲୋକ ଆଣି ନବୀନଙ୍କୁ ସ୍ବାଗତ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏତିକି ଲୋକ ବି କିଏ ଆଣିବେ, ସେଥି ପାଇଁ ରାତି ପର୍ଯ୍ୟନ୍ତ ଛକାପଞ୍ଝା ଚାଲିଥିଲା।
ଯୁଦ୍ଧ ପରିସ୍ଥିତି ଜାଣି ବି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା
ଲୋକ ଯୋଗାଡ଼ କରିବା କାଠିକର ପାଠ ହେଲାଣି
ଏବେ ଆକ୍ରୋଶରେ ‘ପାଣ୍ଡିଆନପନ୍ଥୀ’
ଆଜି ସକାଳୁ ଯୁଦ୍ଧ ପରିସ୍ଥିତି ପାଇଁ ଏହି କାର୍ଯ୍ୟକ୍ରମ ବାତିଲ କରାଗଲା ବୋଲି କୁହାଗଲା। ତେବେ ଏହାକୁ ସହଜରେ ଦଳ ଭିତରେ କେହି ଗ୍ରହଣ କରିପାରୁ ନାହାନ୍ତି। ଯଦି ବାସ୍ତବରେ ଯୁଦ୍ଧ ପାଇଁ କାର୍ଯ୍ୟକ୍ରମ ବାତିଲ ହେଲା, ତେବେ ଦଳରେ ଏବେ ନିଷ୍ପତ୍ତି ନେଉଥିବା ଲୋକମାନଙ୍କ ଦୂରଦୃଷ୍ଟି କିପରି ବୋଲି ବହୁ ବରିଷ୍ଠ ନେତା ପ୍ରଶ୍ନ ଉଠାଇଛନ୍ତି। ଗତକାଲି ସକାଳୁ ହିଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଶଙ୍ଖ ଭବନରେ ବୈଠକ ବେଳେ ଏହି ନେତାମାନେ ଜାଣିପାରିଲେ ନାହିଁ କିପରି? ବାସ୍ତବରେ ସେମାନେ ଶଙ୍ଖ ଭବନରେ ନିଷ୍ପତ୍ତି ନେବାକୁ ବସିଥିଲେ ନା ଉପରୁ କାହାରି ନିର୍ଦ୍ଦେଶକୁ ପାଳନ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲେ, ତାହା ସନ୍ଦେହରେ। ବାସ୍ତବରେ ଲୋକ ଯୋଗାଡ଼ରେ କିଛି ଆଖିଦୃଶିଆ ଅଗ୍ରଗତି ନହେବା କାର୍ଯ୍ୟକ୍ରମ ବାତିଲ୍ର ଏକ ବଡ଼ କାରଣ ବୋଲି କୁହାଯାଉଛି। ଆଜି ଦିନତମାମ ଦଳ ଭିତରେ ଏମିତି ଚର୍ଚ୍ଚା ଜୋର୍ ଧରିଥିବାରୁ ଶେଷରେ ଆସନ୍ତାକାଲି ତ୍ରିରଙ୍ଗା ଯାତ୍ରା କରିବାକୁ ଘୋଷଣା କରାଯାଇଛି। ଏହାକୁ ସଫଳ କରିବା ପାଇଁ ଉଦ୍ୟମ ଚାଲିଛି। କିନ୍ତୁ କଂଗ୍ରେସ ଆଜି ତ୍ରିରଙ୍ଗା ଯାତ୍ରା କଲା ପରେ ବିଜେଡି ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସଙ୍ଗକୁ ବି ଦଳୀୟ ମହଲରେ ସମାଲୋଚନା କରାଯାଉଛି।
ସାଂଗଠନିକ ନିଯୁକ୍ତି ପରେ ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷ କରି ରାଜନୈତିକ ବ୍ୟାପାର କମିଟିକୁ ଯେପରି ଗଠନ କରାଯାଇଛି, ତାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ନେତାମାନଙ୍କୁ ଏବେ ‘ପାଣ୍ଡିଆନପନ୍ଥୀ’ ଭାବେ ଆଖ୍ୟା ଦିଆଗଲାଣି। ପାଣ୍ଡିଆନଙ୍କ ପ୍ରତି ସମର୍ପଣ ଭାବରୁ ଏମାନେ କମିଟିରେ ସ୍ଥାନ ପାଇଲେ ବୋଲି ରାଜନୈତିକ ମହଲରେ କୁହାଯାଉଛି। ଆଉ ପାଣ୍ଡିଅାନଙ୍କୁ ସାମାନ୍ୟ ସମାଲୋଚନା କରିଥିବା ନେତାମାନଙ୍କୁ କେବଳ ପିଏସିରୁ ନୁହେଁ, ସଂଗଠନରୁ ବି ଆଡ଼େଇ ଦିଆଯାଇଛି। ବିଜେଡି ପରି ୨୪ ବର୍ଷ ଶାସନ କରିଥିବା ଏକ ବୃହତ ଆଞ୍ଚଳିକ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ପିଏସିରେ ଅଭିଜ୍ଞ ନେତାମାନଙ୍କୁ ରଖା ନଯିବା ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଫଳରେ ନେତାମାନେ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ କେହି ଆଗ୍ରହ ଦେଖାଉ ନାହାନ୍ତି। ଆହୁରି ମଧ୍ୟ ପୁଣି ଥରେ ବିଜୁ ବାବୁଙ୍କ ଦଳୀୟ ଭିତ୍ତିରେ ସୀମାବଦ୍ଧ ରଖିବାକୁ ପାଣ୍ଡିଆନ ପନ୍ଥୀଙ୍କ ଉଦ୍ୟମକୁ ବହୁ ବରିଷ୍ଠ ନେତା ନାପସନ୍ଦ କରିଛନ୍ତି। ଯଦି ବିଜୁ ବାବୁଙ୍କୁ ସତରେ ସମ୍ମାନ ଦେବାକୁ ବିଜେଡି ଚାହୁଁଛି, ତେବେ ସର୍ବଦଳୀୟ ସଭା ଡାକି ବିଜୁ ବାବୁଙ୍କ ବୀରତ୍ବର କାହାଣୀ ବର୍ଣ୍ଣନା କରାଯାଇପାରିଥା’ନ୍ତା। କିନ୍ତୁ ତାହା ନକରି ନବୀନଙ୍କୁ ସ୍ବାଗତ କରି ବିମାନବନ୍ଦରରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆଣିବା ପାଇଁ ନିଷ୍ପତ୍ତି ନିଶ୍ଚିତ ଭାବେ ଅପରିଣାମଦର୍ଶୀ ବୋଲି ମତପ୍ରକାଶ ପାଉଛି।
Follow Us