ଜଗତସିଂହପୁର: ନବୀନ ନିବାସରେ ଗୋଟିକ ପରେ ଗୋଟିଏ ଜିଲ୍ଲାର ସମୀକ୍ଷା ଚାଲିଥିବା ବେଳେ ଆଜି ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସହ-ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଦାଶ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କଟକ ଜିଲ୍ଲାର ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲିକ, ମନ୍ତ୍ରୀ ତଥା ପୁରୀ ଜିଲ୍ଲା କାଟକପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ ଓ ଅନ୍ୟ କେତେଜଣ ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଆଲୋଚନା ହୋଇଥିଲା। ବୈଠକରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କର ଶୁଦ୍ଧିକ୍ରିୟା ଚାଲିଥିବାରୁ ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ନଥିଲେ। ତେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ବୈଠକକୁ ବିଜୟଶଙ୍କରଙ୍କୁ ଡକାଯାଇ ନ ଥିଲା ନା’ ସେ କୌଣସି ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିଲେ ସେ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ବୈଠକ ପାଇଁ ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ ନବୀନ ନିବାସରେ ପହଞ୍ଚିଥିଲେ। ଆଲୋଚନାରେ ସାଂସଦ ପ୍ରାର୍ଥୀଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ସାଂସଦ ପ୍ରାର୍ଥୀ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି। ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ରଣନୀତି ପ୍ରସ୍ତୁତ କରିବା ସହ ଯେମିତି ସମସ୍ତ କର୍ମୀ ଏଥିପାଇଁ ପ୍ରୟାସ କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିପାଇଁ ବିଧାୟକମାନଙ୍କୁ ଅଧିକ ପରିଶ୍ରମ କରିବା ପାଇଁ କୁହାଯାଇଥିଲା। ବିଧାୟକ ପ୍ରାର୍ଥୀ ସମ୍ପର୍କରେ ସେମିତି କୌଣସି ଆଲୋଚନା ହୋଇ ନ ଥିବା ଜଣାପଡ଼ିଛି। କିନ୍ତୁ ଦଳ ଯେମିତି ସବୁ ଆସନରେ ଜିତିବ ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା। ସମସ୍ତ କର୍ମୀଙ୍କୁ ଏକାଠି କରି ହୋଲି ପରେ ଦଳୀୟ କାମରେ ଲାଗି ପଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us