ରାଜନଗର: ‘ଆମେ ସମସ୍ତେ ଏକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏକ ହୋଇ କାମ କରୁଛୁ। ଆମ ଭିତରେ କୌଣସି ମନୋମାଳିନ୍ୟ ନାହିଁ। ଆମ ଭିତରୁ ଯିଏ ଟିକେଟ୍ ପାଇବ, ଆମେ ସମସ୍ତେ ମିଳିତ ଭାବେ ଲଢିବୁ।’ ଏଭଳି ଏକ ବାର୍ତା ଦେବାକୁ ଯାଇ ରାଜନଗର ବିଧାନସଭା ନିର୍ବାଚନ ମଣ୍ତଳୀର ବିଜେପି ଟିକେଟ୍ ଆଶାୟୀମାନେ ମିଳିତ ଭାବେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ଠାରୁ ଆରମ୍ଭ କରି ଯୁବନେତା ଅଜୟ କୁମାର ବେହେରାଙ୍କ ଯାଏ ସମସ୍ତ ଆଶାୟୀଙ୍କର ଏଥିରେ ଫଟୋ ରହିଛି। ୨୦ ଦିନ ତଳେ ଜିଲ୍ଲା ବିଜେଡି ସଭାପତିଙ୍କୁ ବୈଠକ କରାଇ ନଦେବା ସହ ତାଙ୍କ ଉପସ୍ଥିତିରେ ଟିକେଟ୍ ଆଶାୟୀଙ୍କ ସମର୍ଥକଙ୍କ ମଧ୍ୟରେ ମୁଥ ମରାମରି ଘଟଣା ଜିଲ୍ଲା ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଥିଲା। ହଠାତ୍ ମୁଥ ମରାମରିରୁ ବାହାରି ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣରେ କୋର୍ କମିଟି ବୈଠକ ନାଁରେ ଟିକେଟ୍ ଆଶାୟୀଙ୍କ ଫଟୋଉଠା ଘଟଣା ରାଜନଗର ରାଜନୀତିକୁ ଉଷ୍ମ କରିଛି। ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ବଢିବା ପରେ ବିଜେପିର ଟିକେଟ ଆଶାୟୀମାନେ ବୈଠକ କରି ଏଭଳି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଗତକାଲି ରାଜନଗର ବ୍ଲକର ସାନବଡଗୋପାଳପୁରଠାରେ ରାଜନଗର ନିର୍ବାଚନମଣ୍ତଳୀ ବିଜେପିର କୋର କମିଟି ବୈଠକ ବସିଥିଲା। ଏଥିରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଜିଲ୍ଲା ବିଜେପି ଉପସଭାପତି ତଥା ଯୁବନେତା ଅଜୟ କୁମାର ବେହେରା, ଯୁବନେତା ଲଳିତ କୁମାର ବେହେରା, ସଦାଶିବ ଜେନା, ରାଜକିଶୋର ସାହୁ, ଶଶିକାନ୍ତ ସ୍ବାଇଁ ପ୍ରମୁଖ ଆଶାୟୀଙ୍କ ସମେତ ୧୮ଜଣ କୋର କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେପିରେ ମିଶିବା ଓ ଟିକେଟ୍ ପାଇବା ଚର୍ଚ୍ଚାକୁ ନେଇ ଆଲୋଚନା ହୋଇଥିଲା। ଏହାପରେ ସମସ୍ତେ ଏକ ବୋଲି ଜଣାଇବା ଲାଗି ସାମାଜିକ ଗଣମାଧ୍ୟମରେ ଫଟୋ ଓ ବାର୍ତ୍ତା ସାମ୍ନାକୁ ଆସିଛି। ଏ ସଂପର୍କରେ ଜିଲ୍ଲା ବିଜେପି ଉପସଭାପତି ଅଜୟ କୁମାର ବେହେରା କହିଛନ୍ତି ଯେ ବିଭିନ୍ନ ମହଲରେ ଯେଉଁ ଚର୍ଚ୍ଚା ଚାଲିଛି, ତାହାକୁ ନେଇ ସନ୍ଦେହ ଦୂର କରିବା ପାଇଁ ଏ ପ୍ରକାର ବାର୍ତ୍ତା ଦେଇଛୁ। ଆମ ଦଳରେ ଯୋଗ୍ୟ ନେତାଙ୍କ ଅଭାବ ନାହିଁ, ବାହାରୁ କାହିଁକି ନେତା ଆଣିବୁ ବୋଲି ଅଜୟ ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ଅଲେଖ କୁମାର ଜେନା କହିଛନ୍ତି ଯେ ବାରମ୍ବାର ଅଂଶୁମାନ ଦଳ ବଦଳାଉଥିବା ସଂପର୍କରେ ଚର୍ଚ୍ଚା ହେଉଛି। କଂଗ୍ରେସ ଦୁର୍ବଳ ହେଉଥିବାରୁ କର୍ମୀଙ୍କୁ ବାନ୍ଧି ରଖିବା ପାଇଁ ଏହା ଏକ ଚାଲ୍।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଂଶୁମାନ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଗଲା ୬ମାସ ହେଲା ବିଜେଡି ସହିତ ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟ ବଢିଛି। ୬ମାସ ତଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନ ବାବୁଙ୍କ ଗାଁରେ ପହଁଚି ଟିଫିନ୍ ପେ ଚର୍ଚ୍ଚା ବୈଠକ କରିଥିଲେ। ଗାଁରେ ପହଁଚିବା ପରେ ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବୈଠକକୁ ଯାଇଥିଲେ। ସେବେଠୁଁ ଅଂଶୁମାନଙ୍କ ବିଜେପିରେ ମିଶିବା ଚର୍ଚ୍ଚା ଚାଲିଛି। କିନ୍ତୁ ଏଭଳି ଚର୍ଚ୍ଚାକୁ ଅଂଶୁମାନ ଖଣ୍ଡନ କରିଛନ୍ତି। ଅଂଶୁମାନ କହିଛନ୍ତି ଯେ ସେ ଗତକାଲି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିସାରିଛନ୍ତି। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସରେ ଅଛି ଏବଂ କଂଗ୍ରେସରୁ ହିଁ
ନିର୍ବାଚନ ଲଢ଼ିବେ।
Follow Us