ଟ୍ରିବ୍ୟୁନାଲ ନାମରେ ପ୍ରହସନ ଚାଲିଛି: ଜଳପୁରୁଷ ରାଜେନ୍ଦ୍ର ସିଂ

ଓଡ଼ିଶାର ମୃତ ନଦୀ ଶୀର୍ଷକ ଆଲୋଚନା

ଟ୍ରିବ୍ୟୁନାଲ ନାମରେ ପ୍ରହସନ ଚାଲିଛି: ଜଳପୁରୁଷ ରାଜେନ୍ଦ୍ର ସିଂ

siwi.org

କେବଳ ଓକିଲଙ୍କୁ ଫିସ୍‌ ଦେଉଛନ୍ତି ସରକାର
ଦ୍ବିପାକ୍ଷିକ ଆଲୋଚନା ଜରିଆରେ ମହାନଦୀ ସମସ୍ୟା ସମାଧାନକୁ ମିଳୁନି ଗୁରୁତ୍ବ

ଭୁବନେଶ୍ବର : ଟ୍ରିବ୍ୟୁନାଲ ନାମରେ ପ୍ରହସନ ଚାଲିଛି। ସରକାର କେବଳ ବିଚାରପତି, ଓକିଲଙ୍କୁ ଫିସ୍‌ ଦେଉଛନ୍ତି। ଜଷ୍ଟିସ ଗୌଡ଼ଙ୍କ ଅଧ୍ୟକ୍ଷତାରେ ମହାନଦୀ ସମସ୍ୟାର ଦ୍ବିପାକ୍ଷିକ ଆଲୋଚନା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ୪ ଥର, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ୩ ଥର ଅନୁରୋଧ କରାଯାଇ ସାରିଛି। ମାତ୍ର ଉଭୟ ମୁଖ୍ୟମନ୍ତ୍ରୀ ଏହାକୁ ଶୁଣିନାହାନ୍ତି। ଓଡ଼ିଶାର ମୃତ ନଦୀ ଶୀର୍ଷକ ଏକ ଭର୍ଚୁଆଲ ଆଲୋଚନାଚକ୍ରରେ ଏଭଳି ମତ ଦେଇଛନ୍ତି ‘ଜଳ ପୁରୁଷ’ ତଥା ମାଗାସେସ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂ।

ଶ୍ରୀ ସିଂ କହିଛନ୍ତି, ଆଉ ଏକ ଶୁଣାଣି ସ୍ଥଗିତ କରି ଟ୍ରିବ୍ୟୁନାଲ ପୁଣି ମହାନଦୀ ସମସ୍ୟା ସମାଧାନକୁ ବିଳମ୍ବିତ କରିଛି। ଏହା କାବେରୀ ଭଳି ଅବସ୍ଥାକୁ ଆସିବାରେ ଲାଗିଛି। ଅନ୍ୟଦିଗରେ ମହାନଦୀ ବର୍ତ୍ତମାନ କାରଖାନା ଜବରଦଖଲ, ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଛି। ନଦୀରେ ଚାଷୀଙ୍କ ଅଧିକାର ନେଇ ବ୍ୟବସ୍ଥାର ଦୃଷ୍ଟିଭଙ୍ଗୀ ଗୁରୁତ୍ବ ହ୍ରାସ ପାଉଛି। ଏହାକୁ ନେଇ ସ୍ବର ଶାଣିତ ହୋଇ ପାରୁ ନାହିଁ। ସମୟ ଆସିଛି ଓଡ଼ିଶା, ଛତିଶଗଡ଼ ସିଭିଲ ସୋସାଇଟିର ଚାଷୀମାନେ ଏକାଠି ହେବା ଉଚିତ। ଏପରିକି ତଳମୁଣ୍ଡରେ ପାଣି ପହଞ୍ଚାଇବା ପାଇଁ କଲ୍‌ମା ବ୍ୟାରେଜ୍‌ ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ ଚାଷୀ ଆଗେଇ ଆସିବା ଉଚିତ। ମାତ୍ର ଜଳବାୟୁ ପରିବର୍ତ୍ତନ ଆନ୍ଦୋଳନ ସେତେ ସଶକ୍ତ ହୋଇ ପାରିନଥିବାରୁ ଏହା ହୋଇ ପାରୁନାହିଁ।

ଆଲୋଚନାରେ ଭାଗ ନେଇ ଉଚ୍ଚତମ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଗୋପାଳ ଗୌଡ଼ କହିଛନ୍ତି, ମହାନଦୀ ବିବାଦ ସମାଧାନ ପାଇଁ ଉଭୟ ଓଡ଼ିଶା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ଉଚିତ। ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ମହାନଦୀ ଉପରେ ଶିଳ୍ପସଂସ୍ଥା ଶୋଷଣ ବନ୍ଦ ହେବା ଉଚିତ। ନ୍ୟାୟିକ ପ୍ରକ୍ରିୟା ସହିତ ଆନ୍ଦୋଳନ ଜରିଆରେ ମହାନଦୀ ସମସ୍ୟା ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ହେବା ଉଚିତ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମକର୍ତ୍ତା ବ୍ରତିନ୍ଦୀ ଜେନା, ପ୍ରଦୂଷଣମୁକ୍ତ ମହାନଦୀକୁ ଗୁରୁତ୍ବ ଦେଇଥିଲେ। ଆଲୋଚନାରେ ଜଷ୍ଟିସ ଭେଙ୍କଟ ଗୋପାଳ, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରାଜେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe