ପୁରୀ : ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏ ଭିତରେ ରଥଯାତ୍ରା ଶେଷ ସମୀକ୍ଷା ବୈଠକ ବି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପୁରୀରୁ ପ୍ରତିନିଧିତ୍ବ କରୁଥିବ ସାଂସଦ ପିନାକୀ ମିଶ୍ରଙ୍କୁ ଗତ ତିନିଟି ବୈଠକରେ ପ୍ରତ୍ୟକ୍ଷ ଯୋଡ଼ିହେବାର ଦେଖିବାକୁ ମିଳିନି। ଏହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତେବଡ଼ ଯାତ୍ରାର ପ୍ରସ୍ତୁତି ଚାଲିଥିଲେ ବି ସାଂସଦ ଏଥିରେ ଅନୁପସ୍ଥିତ ରହିବା ଘଟଣାକୁ ସେବାୟତ, ଶ୍ରୀଜଗନ୍ନାଥପ୍ରେମୀ, ବୁଦ୍ଧିଜୀବୀ ସହଜରେ ଗ୍ରହଣ କରି ପାରିନାହାଁନ୍ତି। କେବଳ ସେତିକି ନୁହେଁ, ଜିଲ୍ଲାରୁ ଦୁଇ ଦୁଇ ଜଣ ମନ୍ତ୍ରୀ ପ୍ରତିନିଧିତ୍ବ କରୁଥିଲେ ବି ଉଭୟଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇନି କି ମତ ରଖିବାର ସୁଯୋଗ ଦିଆଯାଇନି।
ମେ' ୨୩ ତାରିଖରେ ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ସାଂସଦଙ୍କ ପ୍ରତିନିଧି ଭାବେ ଗୌରହରି ପ୍ରଧାନ ମଞ୍ଚରେ ବସିଥିଲେ। ସେହିଭଳି ଗତ ୧ ତାରିଖରେ ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ତତ୍କାଳୀନ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ବି ସାଂସଦ ଅନୁପସ୍ଥିତ ରହିଥିଲେ। ଆଶା କରାଯାଉଥିଲା, ଯେହେତୁ ଆଜି ଶେଷ ସମନ୍ବୟ ବୈଠକ, ଏଥିରେ ନିଶ୍ଚିତ ସାଂସଦ ଉପସ୍ଥିତ ରହିବେ। ହେଲେ ତାହା ହୋଇନାହିଁ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ସେ ଦୃଷ୍ଟିରୁ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସାଂସଦ ବୈଠକରେ ଯୋଡ଼ି ହୋଇଥିବା ଦେଖିବାକୁ ମିଳିଛି। ପୁରୀର ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ, ସେ ଉପରେ ସାଂସଦ ପ୍ରତ୍ୟକ୍ଷ ନଜର ରଖିବା କଥା। ସେଭଳି ସ୍ଥିତିରେ ସାଂସଦଙ୍କ ଅନୁପସ୍ଥିତିକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।
ଅନ୍ୟପକ୍ଷରେ ଆଜି ରଥଯାତ୍ରା ଶେଷ ତଥା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧିକାରୀଙ୍କ ରାଜ୍ ଦେଖିବାକୁ ମିଳିଛି। ଯେଉଁଠି ଲୋକ ପ୍ରତିନିଧି ଭାବେ ମନ୍ତ୍ରୀମାନେ ସଭା ପରିଚାଳନା ଓ ମଞ୍ଚ ମଣ୍ଡନ କରିବା କଥା ସେଠି ଅଧିକାରୀମାନେ ମଞ୍ଚ ମଝିରେ ବସି ସଭା ପରିଚାଳନା କରିଛନ୍ତି। କେବଳ ଆଇନ ମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ବି ସଭାରେ ମନ୍ତବ୍ୟ ରଖିବାକୁ ସୁଯୋଗ ମିଳିନଥିଲା। ଅଧିକାରୀମାନେ ସଭା ଆରମ୍ଭ କଲେ ଓ ସଭା ଶେଷ କଲେ।
Follow Us