Discussions have been held with schools and mass education to introduce table tennis in schools
ଭୁବନେଶ୍ବର: ୧୬ ବର୍ଷ ପରେ ଭାରତକୁ ଫେରିଛି ଏସିଆନ ଟେବୁଲ ଟେନିସ ଟିମ୍ ଚମ୍ପିଆନସିପ୍। ଏହାସହ ଓଡିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ୨୮ତମ ଏସିଆନ ଟେବୁଲ ଟେନିସ ଟିମ୍ ଚମ୍ପିଆନସିପ୍।
ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରୁ ଅକ୍ଟୋବର ୧୫ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଚମ୍ପିଆନସିପ୍। ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡରେସନ ଓ ଏସିଆନ ଟେବୁଲ ଟେନିସ ୟୁନିୟନ ପକ୍ଷରୁ ଆୟୋଜିତ ଚମ୍ପିଆନସିପ୍ରେ ଅନ୍ତର୍ଜାତୀୟ ସ୍ତରର ବହୁ ପ୍ରତିଷ୍ଠିତ ଦଳ ସାମିଲ ହେବେ।
ଭାରତ, ଚାଇନା, ସିଂଗାପୁର,ଜାପାନ,କୋରିଆ, ମକାଓ,ଶ୍ରୀଲଙ୍କା, ଥାଇଲାଣ୍ଡ ଭଳି ୨୨ଟି ଦେଶର ଖେଳାଳୀ ଏହି ଚମ୍ପିଆନସିପ୍ ରେ ଭାଗ ନେଉଛନ୍ତି। ଗତ ଏସିଆନ ଚମ୍ପିଆନସିପ୍ ରେ ଭାରତ ୩ଟି ବ୍ରୋଞ୍ଜ ପଦକ ହାତେଇଥିଲା। ଏଥର ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ସଂଘ ଆଶା ରଖିଛି। ଚମ୍ପିଆନସିପ୍ ଦେଖିବା ପାଇଁ ବିଦେଶରୁ ୪ଶହରୁ ଅଧିକ ଟେନିସ ପ୍ରେମୀ ଆସିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।
ଲଣ୍ଡନ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍ ପାଇଁ ମନୋନୀତ ହୋଇଥିବା ଖେଳାଳୀ ଏହି ଚମ୍ପିଆନସିପରେ ସାମିଲ ହେବେ। ଏହି ଚମ୍ପିଆନସିପର ଅଭିଜ୍ଞତା ଖେଳାଳୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛି ସଂଘ।
ଜାତୀୟ ସ୍ତରର ଖେଳାଳୀଙ୍କ ସହ ଓଡ଼ିଶାର ଖେଳାଳୀ ଅଭ୍ୟାସ କରିବାର ସୁଯୋଗ ପାଇବେ। ସ୍କୁଲ ସ୍ତରରେ ଟେବୁଲ ଟେନିସକୁ ପହଞ୍ଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି ବୋଲି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।
Follow Us