ପୁରୀର ନାମକରଣକୁ ନେଇ ଚର୍ଚ୍ଚା

ପୁରୀର ନାମକରଣକୁ ନେଇ ଚର୍ଚ୍ଚା

ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ସମର୍ଥନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ: ଶଙ୍କରାଚାର୍ଯ୍ୟ

ପୁରୀ : ପୁରୀ ନାଁ ହେଉ ‘ଶ୍ରୀଜଗନ୍ନାଥଧାମ ପୁରୀ’। କିଛିଦିନ ଧରି ଏହିଭଳି ଦାବି ଜୋର୍‌ ଧରିବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏହି ଦାବିକୁ ସମର୍ଥନ ଜଣାଇଛନ୍ତି। ତେବେ, ନାମ ପରିବର୍ତ୍ତନର ସେଭଳି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଗୋବର୍ଦ୍ଧନ ପୀଠ ମଠାଧୀଶ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ।

ପୁରୀ ରେଳ ଷ୍ଟେସନ୍‌ର ନାମ ଶ୍ରୀଜଗନ୍ନାଥ ପୁରୀ ରେଳଷ୍ଟେସନ୍‌ ଭାବେ ନାମିତ କରିବା ଦାବିରେ ଆଜି ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ବ୍ରାହ୍ମଣ, ଆଇନଜୀବୀ, ସାମାଜିକ କର୍ମୀ ପୁରୀ ରେଳ ଷ୍ଟେସନ୍‌ ଆଗରେ ଶାନ୍ତିପୂର୍ଣ୍ଣ ସ୍ଲୋଗାନ୍‌ ଦେଇଛନ୍ତି। ଆଜି ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀ ସମୃଦ୍ଧ‌ ହୋଇଛି। ଲକ୍ଷ ଲକ୍ଷ ଭକ୍ତ ଏଠାକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏଣୁ ପୁରୀର ନାମକୁ ଶ୍ରୀଜଗନ୍ନାଥ ଧାମ ପୁରୀ ନାମରେ ନାମିତ କରିବା ସମୟ ଆସିଛି ବୋଲି ସଂଗଠନ କହିଛି। ଆଜି ଶାନ୍ତିପୂର୍ଣ୍ଣ ନାରା ପରେ ପୁରୀ ରେଳ ଷ୍ଟେସନ୍‌ର ଷ୍ଟେସନ୍‌ ମାଷ୍ଟରଙ୍କୁ ଭେଟି ସଂଗଠନ ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଛି। ଖୁବଶୀଘ୍ର ସଂଗଠନ ଦିଲ୍ଲୀ ଗସ୍ତ କରି ରେଳମନ୍ତ୍ରୀଙ୍କୁ ଭେଟିବ ବୋଲି କହିଛି। ଅନ୍ୟପଟେ ପୁରୀ ଗସ୍ତ କାଳରେ ଏ ସଂପର୍କରେ ଗଣମାଧ୍ୟମର ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ଦାବି ଯଥାର୍ଥ। ପୁରୀର ନାମ ଶ୍ରୀଜଗନ୍ନାଥ ଧାମକୁ ପରିବର୍ତ୍ତନ ବହୁତ ଭଲ ପ୍ରସ୍ତାବ। ଯଦି ଶ୍ରୀଜଗନ୍ନାଥ ଧାମକୁ ନାମ ପରିବର୍ତ୍ତନ ହୁଅନ୍ତା, ବହୁତ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ପୁରୀର ନାମ ପରିବର୍ତ୍ତନ ସମ୍ପର୍କିତ ପ୍ରଶ୍ନରେ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ରାଜ୍ୟର ଅନ୍ୟ ଧାର୍ମିକ ପୀଠର ଉଦାହରଣ ଦେଇ କହିଛନ୍ତି ଯେ ଅଯୋଧ୍ୟା ଆଗରେ ପୁରୀ ଲାଗୁନି। କିନ୍ତୁ ଲୋକେ ଅଯୋଧ୍ୟାକୁ ଅଯୋଧ୍ୟାପୁରୀ କହୁଛନ୍ତି। ମଥୁରା ଆଗରେ ଆଗରେ ବି ପୁରୀ ଲାଗୁନି। କିନ୍ତୁ ଲୋକେ ମଥୁରାପୁରୀ କହୁଛନ୍ତି। କାଶୀ, କାଞ୍ଚି, ଅବନ୍ତିକା, ଉଜ୍ଜୟିନୀ, ଦ୍ବାରିକ, ମାୟାବନ, ହରିଦ୍ବାର, ଏସବୁର ନାମରେ ବି ପୁରୀ ଶଦ୍ଦ ପ୍ରୟୋଗ ହେଉନି। ଯେଉଁଠି କି ଏହି ଧାର୍ମିକ ସ୍ଥଳ ୭ ପୁରୀ ନାମରେ ବିଶ୍ବବିଦିତ। ଏ ଭିତରେ ଅଷ୍ଟମ ସ୍ଥାନରେ ରହୁଛି ଶ୍ରୀଜଗନ୍ନାଥ ପୁରୀ। ପୁରୀ କହିବା ମାନେ ହିଁ ଆମେ ଶ୍ରୀଜଗନ୍ନାଥ ପୁରୀ ହିଁ ବୁଝୁଛେ। ସାରାବିଶ୍ବ ବି ଏହା ଶ୍ରୀଜଗନ୍ନାଥ ଧାମ ପୁରୀ ବୋଲି ଜାଣୁଛନ୍ତି। ଏଣୁ ନାମ ପରିବର୍ତ୍ତନ ଉତ୍କର୍ଷ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପୁରୀ ପୂର୍ବରୁ ହିଁ ଶ୍ରୀଜଗନ୍ନାଥ ପୁରୀ ନାମରେ ପ୍ରସିଦ୍ଧି ଲାଭ କରି ଆସୁଥିବାରୁ ଏହାର ନାମ ପରିବର୍ତ୍ତନ କୌଣସି ଆବଶ୍ୟକତା ନାହିଁ। ପୁରୀ ନିଜ ନାମରେ ହିଁ ପର୍ଯ୍ୟାପ୍ତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe