କଟକ: ଉଚ୍ଚଶିକ୍ଷା ଅନୁଷ୍ଠାନ ସୁରକ୍ଷା, ଗରିମା ଓ ବୌଧିକ ସ୍ବତନ୍ତ୍ରତାର ସ୍ଥାନ ହୋଇ ରହିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନଏଲୟୁ) ପରିସରରେ ଓ ଏହାର ଆଖପାଖରେ ଏକ ଅନୁକୂଳ ଶୈକ୍ଷିକ ବାତାବରଣ ରକ୍ଷା ସହିତ ସୁରକ୍ଷା ଓ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ହାଇକୋର୍ଟ ଗାଇଡଲାଇନ ଜାରି କରିଛନ୍ତି। ଏନଏଲୟୁ ଛାତ୍ରଙ୍କୁ ଅପହରଣ ଓ ଅସଦାଚରଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ନରାଜଠାରେ ପୁଲିସ ଆଉଟପୋଷ୍ଟ ସ୍ଥାପନ କରାଯିବା ସହ ସେଠାରେ ଜଣେ ସବ୍-ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଓ ଯଥେଷ୍ଟ କର୍ମଚାରୀଙ୍କୁ ମୁତୟନ କରାଯିବ। ସେହିଭଳି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିଟ୍ ହାଉସ ସହ ୨୪ ଘଣ୍ଟିଆ ପୁଲିସ ମୁତୟନ ବ୍ୟବସ୍ଥା କରାଯିବା ଦିଗରେ ପଦକ୍ଷେପ ନେବା ପାଇଁ ପୁଲିସ କମିସନର ଓ କଟକ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଏଲୟୁର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଅଧିକ ସୁରକ୍ଷାକର୍ମୀ, ପ୍ରମୁଖ ସ୍ଥାନରେ ସିସିଟିଭି କ୍ୟାମେରା, ଆଲୋକ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। କ୍ୟାମ୍ପସରେ ଓ ଆଖପାଖ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ା କଡ଼ି କରାଯିବ। କ୍ୟାମ୍ପସ ଭିତରକୁ ନିଶାଦ୍ରବ୍ୟ ପ୍ରବେଶ ରୋକିବାକୁ ବ୍ୟାଗ୍ ଓ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯିବ। ସନ୍ଦେହ ହେଲେ ଛାତ୍ରଛାତ୍ରୀଙ୍କ ''ବ୍ରେଥଲାଇଜର ଟେଷ୍ଟ'' ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
କ୍ୟାମ୍ପସରେ ଛାତ୍ରଛାତ୍ରୀ ଯେପରି ନିଷେଧ କରାଯାଇଥିବା ଦ୍ରବ୍ୟ ନ ଖାଆନ୍ତି ତାହା ସୁନିଶ୍ଚିତ କରିବା ପାଇଁ ନିୟମ ଅନୁସାରେ ହଷ୍ଟେଲ ପରିସର ଯାଞ୍ଚ କରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଯଦି କୌଣସି ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ନିଶା ସେବନ କରୁଥିବା ଧରାପଡ଼ନ୍ତି, ତେବେ ତୁରନ୍ତ ସେମାନଙ୍କ ଅଭିଭାବକଙ୍କୁ ଏ ନେଇ ସୂଚନା ଦିଆଯିବା ସହିତ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବ। ସଂଧ୍ୟା ସମୟରେ ସ୍ଥାନୀୟ ବଜାରକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ନିୟନ୍ତ୍ରିତ ଯାତାୟାତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟ ସହରରୁ କ୍ୟାମ୍ପସକୁ ସ୍ୱତନ୍ତ୍ର ବସ ସେବାର ବ୍ୟବସ୍ଥା କରାଯିବ। ବ୍ୟକ୍ତିଗତ ନିରାପତ୍ତା, ବେଆଇନ କାର୍ଯ୍ୟର ଆଇନଗତ ପରିଣତି ଓ ଦାୟିତ୍ବସଂପନ୍ନ ଆଚରଣ ପ୍ରସଂଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପର୍ଯ୍ୟାୟକ୍ରମେ ସଚେତନତା କାର୍ଯ୍ୟକ୍ରମ କରାଯିବ। ନିର୍ଯାତନା, ଭୟଭିତ କରିବା ବା ଦୁରାଚାର ଭଳି ଘଟଣା ସଂକ୍ରାନ୍ତରେ ବିନା ଭୟରେ ଛାତ୍ରଛାତ୍ରୀ ରିପୋର୍ଟ କରିବା ପାଇଁ ବ୍ୟବସ୍ଥା କରାଯିବ। ଆଇନଶିକ୍ଷା ପାଇଁ ଅନୁକୂଳ ତଥା ସୁରକ୍ଷିତ କ୍ୟାମ୍ପସ ପାଇଁ ଏହି ସବୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ଆହୁରି ପଢ଼ନ୍ତୁ: Liquor Seized: ୨୬୨ ଲିଟର ଚୋରା ବିଦେଶୀ ମଦ ଜବତ; ଘଟଣା ସ୍ଥଳରୁ ଅଭିଯୁକ୍ତ ଚମ୍ପଟ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବ ନିର୍ଦ୍ଦେଶ ପାଳନ କରି ଆଜି ମାମଲାର ଶୁଣାଣି ବେଳେ ଡିସିପି, ଏନଏଲୟୁ ରେଜିଷ୍ଟ୍ରାର, ଫେଜ-୨ ଥାନା ଆଇଆଇସି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୩ରେ କିଛି ଛାତ୍ରଙ୍କୁ ଜୋରଜବରଦସ୍ତ କାର୍ରେ ବସାଇ ଅପହରଣ ଉଦ୍ୟମ ଓ ଦୁର୍ବ୍ୟବହାର କରାଯାଇଥିବା ନେଇ ସିଡିଏ ଫେଜ୍-୨ ଥାନାରେ ଏତଲା ପଞ୍ଜୀକରଣ ହୋଇଥିଲା। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣାରେ ବିବାଦର ସମାଧାନ ହୋଇଥିଲା। ଏଭଳି ସ୍ଥିତିରେ ମାମଲାରେ ଅଭିଯୁକ୍ତ ଥିବା ଚାରିଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜେଏମଏଫସି-୧ ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲା ରଦ୍ଦ ପାଇଁ ନିବେଦନ କରିଥିଲେ। ଆପୋଷ ବୁଝାମଣ ପ୍ରସଂଗକୁ ହାଇକୋର୍ଟ ବିଚାରାକୁ ନେଇ ଆବେଦନକାରୀଙ୍କ ବିରୋଧରେ ରହିଥିବା ମାମଲାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)