ଅଦାଲତ ଅବମାନନା ମାମଲା : ପୁରୀର ପୂର୍ବତନ ଉପଜିଲ୍ଲାପାଳ, ସତ୍ୟବାଦୀର ପୂର୍ବତନ ତହସିଲଦାର ଓ ଥାନା ଅଧିକାରୀ ଦୋଷୀ ସାବ୍ୟସ୍ତ

Advertisment
ଓଡ଼ିଶାରେ ୨୪ଟି ପୋକ୍ସୋ କୋର୍ଟ ନିର୍ମାଣ ପ୍ରକ୍ରିୟା ଜାରି

hindustantimes.com

କଟକ : ଅଦାଲତ ଅବମାନନା ମାମଲାରେ ପୁରୀର ପୂର୍ବତନ ଉପଜିଲ୍ଲାପାଳ, ସତ୍ୟବାଦୀର ତତ୍କାଳୀନ ତହସିଲଦାର ଓ ତତ୍କାଳୀନ ଥାନା ଅଧିକାରୀ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ତିନି ଅଧିକାରୀଙ୍କୁ ହାଇକୋର୍ଟ ଅଦାଲତ ଅବମାନନା ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖକୁ ଦଣ୍ଡ ନିରୂପଣ ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫେସର ସିଦ୍ଧାର୍ଥ ଦାଶଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ତିନି ଅଧିକାରୀ ହେଲେ, ପୁରୀର ତତ୍କାଳୀନ ଉପଜିଲ୍ଲାପାଳ ମଧୁସୂଦନ ଦାସ, ସତ୍ୟବାଦୀର ତତ୍କାଳୀନ ତହସିଲଦାର ବିଜୟ କେତନ ସାହୁ ଓ ସତ୍ୟବାଦୀ ଥାନାର ତତ୍କାଳୀନ ଆଇଆଇସି ନିର୍ମଳା ଗୋଚ୍ଛାୟତ। ଆଜି ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ତିନି ଅଧିକାରୀ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀଙ୍କ ବିରୋଧରେ ସତ୍ୟପାଠରେ ଭୁଲ ତଥ୍ୟ ପ୍ରଦାନ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ପୁରୀର ତତ୍କାଳୀନ ତହସିଲଦାର ଆବେଦନକାରୀଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ସଂପର୍କରେ ଉପଜିଲ୍ଲାପାଳ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଆବେଦନକାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ଏହାପରେ ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ ଅଭିଯୋଗ କରି ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ତିନି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ତିନି ଅଧିକାରୀ ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିଲେ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ.ସି. ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe