କୋମନା ଏସ୍‌ବିଆଇରେ ଅବ୍ୟବସ୍ଥା! ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇଲେ ଗ୍ରାହକ

Advertisment
କୋମନା ଏସ୍‌ବିଆଇରେ ଅବ୍ୟବସ୍ଥା! ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇଲେ ଗ୍ରାହକ

କୋମନା: କୋମନା ବ୍ଲକ ସଦର ମହକୁମାର ଏସ୍‌ବିଆଇ ଶାଖାରେ ବହୁ ଅବ୍ୟବସ୍ଥା ଦେଖାଦେଉଛି। ବହୁ ବର୍ଷ ହେଲା ଏଭଳି ଲାଗି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରି ବୁଧବାର ବ୍ୟାଙ୍କର ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନାମତେ, କୋମନା ସଦର ମହକୁମାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ଯାନ୍ତ୍ରିକ ତ୍ରୁଟି ଲାଗି ରହୁଛି। ସେହିପରି ସର୍ବଦା ଏଠାକାର ଏଟିଏମ୍ ବନ୍ଦ ରହୁଥିବାରୁ ଗ୍ରାହକମାନେ ବହୁ ଅସୁବିଧା ଭୋଗୁଛନ୍ତି। ପୁଣି ବ୍ୟାଙ୍କ ବନ୍ଦ ଦିନରେ ଏଟିଏମ୍ ବନ୍ଦ ରହୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋମନାଠାରେ ବ୍ଲକ୍‌ କାର୍ଯ୍ୟାଳୟ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଅଫିସ୍ ରହିଛି। ଏଠାରେ ସର୍ବଦା ବ୍ୟାଙ୍କ କାମ ପଡ଼ୁଥିବା ବେଳେ ବ୍ଲକ ସଦର ମହକୁମାରୁ ୪୦ କିମି ଦୂର ବଣପାହାଡ଼ ଘେରା ସୁନାବେଡ଼ା ସୋସେଙ୍ଗ ଅଧିବାସୀ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି। ଦୂରଦୂରାନ୍ତରୁ ବହୁ ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସୁଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅସୁବିଧା ଦର୍ଶାଉଥିବାରୁ ନିରାଶ ହୋଇ ଫେରି ଯାଉଛନ୍ତି।

ଏନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ବୁଧବାର ବହୁ ଗ୍ରାହକ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସିଥିବା ବେଳେ ଏଟିଏମ୍‌ ବନ୍ଦ ଥିବା ସହ ବ୍ୟାଙ୍କରେ ଟଙ୍କା ନଥିବା କର୍ମଚାରୀମାନେ କହିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏନେଇ ଗ୍ରାହକମାନେ ଶାଖା ପରିଚାଳକଙ୍କୁ ଜଣାଇବାକୁ ଯାଇଥିବା ବେଳେ ସେ ମଧ୍ୟ ଲମ୍ବା ଛୁଟିରେ ଯାଇଥିବା ଜାଣିବାକୁ ପାଇଥିଲେ। ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଏନେଇ ଆରଏମଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଆର୍‌ଏମ୍‌ଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସରପଞ୍ଚ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ବହୁ ଗ୍ରାହକ ବ୍ୟାଙ୍କରେ କର୍ମଚାରୀମାନେ କାମ କରୁଥିବା ବେଳେ ବାହାର ପଟୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଖବରପାଇ କୋମନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ନୂଆପଡ଼ା ଏସ୍‌ବିଆଇ ଚିପ୍ ମ୍ୟାନେଜର ଫୋନ୍‌ ମାଧ୍ୟମରେ ଏହାର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ୨ ଘଣ୍ଟା ପରେ ତାଲା ଖୋଲାଯାଇଥିଲା। ଏହି ଆନ୍ଦୋଳନରେ ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ପାଣିଗ୍ରାହୀ, ଈଶ୍ବର ଚନ୍ଦ୍ର ସାହୁ, ଉଗ୍ରମାଧବ ସରାଫ, ସମାଜସେବୀ ଦିବାକର ପ୍ରଧାନ, ସମୀର ପାଣିଗ୍ରାହୀ, ଲକ୍ଷ୍ମଣ କୁଅଁର, ଟୁଲୁ ପ୍ରମୁଖ ବହୁ ଗ୍ରାହକ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe