‘ବିଶୃଙ୍ଖଳିତ ଆଚରଣ, ଚରମ ଅବହେଳା’: ଅସନ୍ତୋଷ ଝାଡ଼ିଲା ଛାମୁ ଖୁଣ୍ଟିଆ ନିଯୋଗ

‘ବିଶୃଙ୍ଖଳିତ ଆଚରଣ, ଚରମ ଅବହେଳା’: ଅସନ୍ତୋଷ ଝାଡ଼ିଲା ଛାମୁ ଖୁଣ୍ଟିଆ ନିଯୋଗ

ପୁରୀ: ଗତକାଲି ପହଣ୍ଡି ବେଳେ ବଡ଼ଠାକୁର ଯେଉଁଭଳି ଚାରମାଳ ଉପରେ ମୁହଁମାଡ଼ି ପଡ଼ିଗଲେ, ତାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛି ଛାମୁ ଖୁଣ୍ଟିଆ ନିଯୋଗ। ପହଣ୍ଡି ଦାୟିତ୍ବରେ ଥିବା ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ଓ ଚରମ ଅବହେଳାର ଏହା ନିଦର୍ଶନ ବୋଲି ନିଯୋଗ କହିଛି। ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଚଳିତ ବର୍ଷ ତରବରିଆ ଭାବେ ଯେଉଁଭଳି ନୀତିକାନ୍ତି କରାଗଲା, ଭୋକରେ ଠାକୁରଙ୍କୁ ସେନାପଟା ଲଗାଇ ନେଇ ଆସିଲେ, ଖେଚେଡ଼ି ଭୋଗ ଲାଗି କଲେନି, ତାହା ଘୋର ପାପ। ମହାପ୍ରଭୁ ଭୋକରେ ରଥଯାତ୍ରାକୁ ଆସିଲେ। ଏହି ବିଘ୍ନର କାରଣ ବଡ଼ଠାକୁରଙ୍କ ରଥ ପାଖରେ ଦଳାଚକଟା ଓ ଭକ୍ତଙ୍କ ମୃତ୍ୟୁ। ତଥାପି କେହି ଚେତିଲେନି। ବୈଠକରେ ଶୃଙ୍ଖଳା କଥା ଦୋହରାଇ ଆସୁଥିବା ଦାୟିତ୍ବରେ ଥିବା ସେବାୟତ ତାଙ୍କ କାର୍ଯ୍ୟ ଶୃଙ୍ଖଳିତ କଲେନି। ବାହାର ଲୋକ ରଥ ଉପରେ ରହିବେନି ବୋଲି ନିୟମ ଥିଲେ ବି ବାହାର ଲୋକ ଅବାଧ ରଥରେ ଚଢ଼ିଲେ। ନିଜ ମନମାନିରେ କାମ କଲେ। ଏହା ଦୁଃଖ ଓ ପରିତାପର ବିଷୟ। ଯେଉଁଥିପାଇଁ ଗତକାଲି ଏତେ ବଡ଼ ଅଘଟଣ ଘଟିଗଲା। ପହଣ୍ଡି ବେଳେ ଠାକୁରଙ୍କ ଖାଦ୍ୟ ଥାଳିରେ ବାହାର ଲୋକ ଖାଇଦେଲେ। ଗଡ଼ୁରେ ପାଣି ପିଇଲେ ଓ ହାତ ଧୋଇଲେ। ସମସ୍ତ ଜିନିଷ ମାରା ହେଲା। ଯାହାର ଫଳ ମହାପ୍ରଭୁ ସଙ୍ଗେ ସଙ୍ଗେ ଦେଖେଇଲେ। ମହାପ୍ରଭୁ କାହାର ନୁହନ୍ତି, ନା ସେବକଙ୍କର ନା ଭକ୍ତଙ୍କର। ନବକଳେବର ବିଭ୍ରାଟଠାରୁ ମହାପ୍ରଭୁ ରାଗି କରି ବସିଛନ୍ତି। ଏଭଳି ଘଟଣା, ସଂସାର ପ୍ରତି ବିପଦ।

ଅନେକ ଅଘଟଣ ଭବିଷ୍ୟତରେ ଘଟିବାର ଏହା ପୂର୍ବ ସୂଚନା। ମହାପ୍ରଭୁ ଯେଉଁଭଳି ମୁହଁମାଡ଼ି ପଡ଼ିଲେ, ଏଥିରେ ଛାମୁ ଖୁଣ୍ଟିଆ ନିଯୋଗ ମର୍ମାହତ। ଯେହେତୁ ରଥଯାତ୍ରାରେ ଦଇତାପତିଙ୍କ ଦାୟିତ୍ବ; ସେଥିପାଇଁ ଛାମୁ ଖୁଣ୍ଟିଆ ନିଯୋଗ ଦଇତାପତିଙ୍କୁ ଶ୍ରୀବିଗ୍ରହଙ୍କୁ ସୁରକ୍ଷିତ ନେଇ ସୁରକ୍ଷିତ ଆଣିବାକୁ ଦାୟିତ୍ବ ଦେଇଥାଏ। ଶ୍ରୀଅଙ୍ଗ ଅକ୍ଷତ ରଖିବା ପାଇଁ କହିଥାଏ। ଯେଉଁ ଅବସ୍ଥାରେ ନେଇଥିବେ, ସେହି ଅବସ୍ଥାରେ ମହାପ୍ରଭୁଙ୍କୁ ରତ୍ନବେଦିକୁ ଆଣିବେ। କିନ୍ତୁ ଦେଖାଗଲା, ମହାପ୍ରଭୁଙ୍କ ନାକ ଓ ଆଖିରେ ଆଘାତ ଲାଗିଛି। ଯେଉଁମାନେ ଏଭଳି କରିଛନ୍ତି, ନିଶ୍ଚିତ ଦଣ୍ଡ ଭୋଗିବେ। ଗତକାଲିର ଅଘଟଣରେ ୩୬୫ ଦିନ ସେବା କରୁଥିବା ସେବକଙ୍କ କିଛି ହୋଇନି। କିନ୍ତୁ ଯେଉଁମାନଙ୍କ ଦାୟିତ୍ବ ରହିଥିଲା, ସେମାନେ ଆଜି ଆହତ ହୋଇଛନ୍ତି। ଛାଟେଣି ତିନି ଘେରା ଗୁଡ଼ାଯାଏ ଓ ବନ୍ଧାଯାଏ। କିନ୍ତୁ ଏହା ବନ୍ଧା ହୋଇନଥିଲା। ମହାପ୍ରଭୁ ଯେହେତୁ ରାଗିକରି ଆସିଥିଲେ, ସେଥିପାଇଁ ଛାଟେଣି ବାହାରିଗଲା। ଏତେ ବଡ଼ ଅଘଟଣ ଘଟିଗଲା। ଅନେକ ସେବାୟତ ସେଠାରେ ମୃତାହତ ହୋଇଥାନ୍ତେ। କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେତେବଡ଼ ଘଟଣା ଘଟିନି। ଏହା ସତର୍କଘଣ୍ଟି, ସେବାୟତ ସତର୍କ ହୋଇଯାଆନ୍ତୁ ବୋଲି ସଭାପତି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe