ବିସ୍ଥାପିତଙ୍କ ନିଯୁକ୍ତି ସମସ୍ୟା: ଅଧାରୁ ଅଟକିଛି ଅନେକ ପ୍ରକଳ୍ପ

ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଜନଜାତି କମିଶନ

ବିସ୍ଥାପିତଙ୍କ ନିଯୁକ୍ତି ସମସ୍ୟା: ଅଧାରୁ ଅଟକିଛି ଅନେକ ପ୍ରକଳ୍ପ

PSU Watch

ରାଉରକେଲା:  ହଟୁନି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତଙ୍କ ସମସ୍ୟା। ଜିଲ୍ଲା ପ୍ରଶାସନ ଓ ସେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ନିଯୁକ୍ତି ଅପେକ୍ଷାରେ ବିସ୍ଥାପିତ ପରିବାର ବର୍ଷ ବର୍ଷ ଧରି ଜାରି ରଖିଛନ୍ତି ସଂଘର୍ଷ । ରାଉରକେଲା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବାର ବୈଠକ ପରେ ବୈଠକ ବସିଛି। ସମାଧାନର କିନ୍ତୁ ବାଟ ଫିଟିନି। ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ତାଲିକାରେ ରହିଛନ୍ତି ୧୬୩ ପରିବାର। ଦ୍ବିତୀୟ ପର୍ଯ୍ୟାୟରେ ଅଛନ୍ତି ପ୍ରାୟ ୧୦୯୮। ପ୍ରଥମ ପର୍ଯ୍ୟାୟରେ  ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ପ୍ରାୟ ୮୦୦୦ ପରିବାର ଆବେଦନ କରିଥିଲେ। ଜିଲ୍ଲା ପ୍ରଶାସନ ଏମାନଙ୍କ ମଧ୍ୟରୁ ୧୬୩ ଜଣଙ୍କୁ ଚିହ୍ନଟ କରି ଆର୍‌ଏସ୍‌ପିରେ  ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା।

କେବଳ ଏତିକି ନୁହେଁ ୧୦୯୮ ଖାତାରେ ଅନେକ ଜାଲ୍‌ କାଗଜପତ୍ର ଦେଇ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ। ସେପଟେ ସମସ୍ୟାର ସମାଧାନ ପାଇଁ ଥରେ କି ଦୁଇ ଥର ନୁହେଁ ୬ ଥର ପାର୍ଶ୍ବାଞ୍ଚଳ ବିକାଶ ଓ ଥଇଥାନ ଉପଦେଷ୍ଟା କମିଟି ( ଆର୍‌ପିଡିଏସି) ବୈଠକରେ ହୋଇଛି। କିନ୍ତୁ ରବିବାର ପର୍ଯ୍ୟନ୍ତ ଜଣଙ୍କୁ ହେଲେ ନିଯୁକ୍ତି ମିଳି ନାର୍ହି। ଏସବୁ ଭିତରେ  ୩,୭୨୨ ବିସ୍ଥାପିତ ପରିବାରଙ୍କ ତାଲିକା ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।

ଏମାନଙ୍କ କାଗଜପତ୍ର ଯାଞ୍ଚ ହୋଇ ସେମିତି ଅତିରିକ୍ତ ଜିଲ୍ଲାପାଳ ଅଫିସ୍‌ରେ ପଡିଛି। ଫାଇଲ୍‌ କିନ୍ତୁ ଆଗକୁ ବଢ଼ୁନି। ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ଆର୍‌ପିଡିଏସି ବୈଠକ ନିଷ୍ପତ୍ତି ଅନୁଯାୟୀ ତତ୍କାଳୀନ ଜିଲ୍ଲାପାଳ ସେଲ୍‌ ବୋର୍ଡକୁ ଏମାନଙ୍କ ତାଲିକା ପଠାଇଥିଲେ। ତାହା ସେମିତି ଫାଇଲ ତଳେ ଚାପି ହୋଇ ରହିଯାଇଛି। ଏମାନଙ୍କ ସମସ୍ୟାର ସମାଧାନ ହେଉ ନଥିବାରୁ ସ୍ମାର୍ଟସିଟିରେ ଅନେକ ପ୍ରକଳ୍ପ  ଆଗେଇ ପାରୁନି। ଜିଲ୍ଲା ପ୍ରଶାସନ ଇଚ୍ଛାଶକ୍ତି ଥିଲେ ମଧ୍ୟ ପ୍ରତିବନ୍ଧକ ସାଜୁଛି ବିସ୍ଥାପିତଙ୍କ ବିରୋଧ। ବହୁ ବଡ଼ ବଡ଼ ପ୍ରକଳ୍ପ କେବଳ ପାଚେରୀରେ ସୀମିତ ରହିଛି।

ଏଥିରୁ ମଧ୍ୟ ଗୋଟିଏ ହେଉଛି ବାଲୁଘାଟସ୍ଥିତ ହୋଲ୍‌ସେଲ୍‌ କୃଷକ ବଜାର। ପ୍ରକଳ୍ପ ଶିଳାନ୍ୟାସକୁ ଇତି ମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତିଗଲାଣି। କେବଳ ଅଧପନ୍ତରିଆ ପାଚେରୀ ପଡିଛି। ହୋଲ୍‌ସେଲ୍‌ ବଜାର ପାଇ ପ୍ରଥମ ପର୍ଯ୍ୟାୟରେ ୯୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ନିକଟରେ ସ୍ମାର୍ଟସିଟି ପକ୍ଷରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା‌। ବିସ୍ଥାପିତଙ୍କ ବିବାଦରୁ ସ୍ମାର୍ଟସିଟି ପ୍ରକଳ୍ପରୁ ଓହରି ଯାଇଛି। ପୂର୍ବରୁ ଆସିଥିବା ପ୍ରାୟ ୯୮ କୋଟି ଟଙ୍କାରୁ ୨୦% ଖର୍ଚ୍ଚ ହୋଇଛି।

ଅବଶିଷ୍ଟ ଟଙ୍କା ସେମିତି ବ୍ୟାଙ୍କରେ ଖାତାରେ ପଡିଛି। ସେମିତି ଆଉ ଏକ ପ୍ରକଳ୍ପ ହେଉଛି ସେକ୍ଟର-୧୩ ଓମ୍‌ଫେଡ୍‌ ଡାଏରୀ ପଛପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର। ୫୦ ଏକର ଜାଗାରେ ସୁନ୍ଦରଗଡ଼ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ପାଚେରୀ ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପାଚେରୀ ନିର୍ମାଣ କାମ ଆରମ୍ଭରୁ ପ୍ରତିବାଦ କରିଥିଲେ ବିସ୍ଥାପିତ ପରିବାର। ଜମି ବଦଳରେ ଜମି ଓ  ଆର୍‌ଏସ୍‌ପିରେ ନିଯୁକ୍ତି ଦାବିରେ ନିର୍ମାଣ କାମକୁ ଜୋରଦାର ବିରୋଧ କରିଥିଲେ। ଘଟଣାସ୍ଥଳରେ ୧୪୪ ଧାରା ଲାଗୁ ହୋଇଥିଲା। ବିସ୍ଥାପିତ ପରିବାର ଜିଲ୍ଲା ପ୍ରଶାସନ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ହାଇକୋର୍ଟ ମାମଲାର ଶୁଣାଣୀ କରି ରହିତାଦେଶ ଜାରି କରିଥିଲେ। ସେବେଠୁ କୃଷି ବିଜ୍ଞାନ କେନ୍ଦ୍ର ସେମିତି ଅଧଖଣ୍ଡିଆ ପାଚେରୀ ସୀମିତ  ରହିଛି। ବନ୍ଧମୁଣ୍ଡା କୁକୁଡା ଗେଟ୍‌ ରେଳ ଓଭରବ୍ରିଜ୍‌ରେ ମଧ୍ୟ ସେହି ସମାନ ସ୍ଥିତି ସୃଷ୍ଟି ହୋଇଛି। ଜମି ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ରେଳ ଓଭରବ୍ରିଜ୍‌ କାମ ଧୀମେଇ ଚାଲିଛି। ସହର ଓ ଏହାର ଆଖପାଖରେ ଏମିତି ଅନେକ ପ୍ରକଳ୍ପ ବିସ୍ଥାପିତ ସମସ୍ୟାରୁ ଅଟକିଛି। ସେପଟେ ସମସ୍ୟାର ସମାଧାନ ପାଇ ଜାତୀୟ ଜନଜାତି କମିଶନ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅନେକ ବାର୍‌ ଦାଗିଦ୍‌ କରିଛନ୍ତି।

ପର୍ଯ୍ୟାୟକ୍ରମେ ବିସ୍ଥାପିତ ପରିବାର ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଫଳ କିନ୍ତୁ ଶୂନ୍‌। ନିକଟରେ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ  ୭୦ ମୌଜା ବିସ୍ଥାପିତ ସଂଘର ସଭାପତି ଖାଡ଼ା କୁଜୁର ଜାତୀୟ ଜନଜାତି କମିଶନଙ୍କୁ ଗୁହାରି କରିଥିଲେ। ନିଜର ଅଭିଯୋଗ ବିସ୍ତୃତ ଭାବେ ଜଣାଇଥିଲେ। ଜନଜାତି କମିଶନ ଅଭିଯୋଗ ସଂକ୍ରାନ୍ତରେ ଅବଗତ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ  ନୋଟିସ୍‌ କରିଛନ୍ତି। ୩୦ ଦିନ ଭିତରେ ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗର ବିସ୍ତୃତ  ରିପୋର୍ଟ ଦେବାକୁ କହିଛନ୍ତି। ୩୦ ଦିନ ମଧ୍ୟରେ କୌଣସି ଉତ୍ତର ନ ମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜନଜାତି କମିଶନ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ତେବେ ଆଗାମୀ ଦିନରେ ଜିଲ୍ଲାପାଳ ବିସ୍ଥାପିତ ନିଯୁକ୍ତି ସଂକ୍ରାନ୍ତରେ କି ପଦକ୍ଷେପ ‌ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe