୧୦ ଡିସିମିଲ୍ ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

ତହସିଲରେ ଆବେଦନ ହଜାଇ ଦିଆ ଯାଇଥିବା ଅଭିଯୋଗ

୧୦ ଡିସିମିଲ୍ ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

JournalsOfIndia

ସମ୍ବଲପୁର: ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି, ଆନ୍ଦୋଳନ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବିଭିନ୍ନ ନେତା, ମନ୍ତ୍ରୀ, ଅଧିକାରୀ ଅନେକ ବାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ପିଢ଼ିପିଢ଼ି ଧରି ନିରାଶା ଓ ହତାଶାର ଜୀବନ ଜିଉଁଛନ୍ତି ଏହି ବାସ୍ତୁହରା ମାନେ।

ଭିଟାମାଟି ହରାଇଥିବା ପରିବାରଙ୍କୁ ଖଣ୍ଡେ ଲେଖାଏଁ ଘର ଡିହ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲେ ବି ବର୍ତ୍ତମାନ ସୁଦ୍ଦା ୮୦ ଭାଗ ଲୋକ ତାହା ପାଇପାରି ନାହାନ୍ତି। ତେଣୁ ପୂର୍ବ ଚେତାବନୀ ଅନୁଯାୟୀ ଏହି ୧୦ ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ ଦାବିରେ ମଙ୍ଗଳବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା। ଏଥିରେ ସମ୍ବଲପୁର ସମେତ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଆଦି ବିଭିନ୍ନ ଜିଲ୍ଲାର ଲୋକ ସାମିଲ ହୋଇଥିଲେ।

ସମ୍ବଲପୁର ସଦର ତହସିଲଦାର ଓ କର୍ମଚାରୀଙ୍କ ବେପରୁଆ ମନୋଭାବ କାରଣରୁ ବିସ୍ଥାପିତ ମାନେ ଦାଖଲ କରିଥିବା ବହୁ ଦରଖାସ୍ତ ହଜି ଯାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ଜାରି ରହିଥିଲା। ଶେଷରେ ତହସିଲଦାର ଲକ୍ଷ୍ମଣ ଅମାତ, ଅତିରିକ୍ତ ତହସିଲଦାର ସରୋଜା ବେହେରା ଧାରଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉମାକାନ୍ତ ରାଜ୍ ଫୋନ୍‌ ଯୋଗେ ଆଲୋଚନା କରି ୭ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଯାଞ୍ଚ କରି ସମିତିକୁ ସୂଚନା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଧାରଣା ପ୍ରତ୍ୟାହାର ହୋଇଥିଲେ ବି ଠୋସ୍ ପଦକ୍ଷେପ ନିଆ ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଗାମୀ ଦିନରେ ପ୍ରଭାବିତ ଲୋକ ଥିବା ଅନ୍ୟ ତହସିଲ ଗୁଡ଼ିକ ସାମ୍‌ନାରେ ବି ଏଭଳି ଧାରଣା ଦିଆଯିବ ବୋଲି ସମିତି ପକ୍ଷରୁ କହାଯାଇଛି। ସମିତିର ସଭାପତି ଶୈଳବାଳା ପ୍ରଧାନ, ଉପସଭାପତି ଅନ୍ତର୍ଯ୍ୟାମୀ ପାଢ଼ୀ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ବକ୍ସି, କୋଷାଧ୍ୟକ୍ଷ କୃଷ୍ଣ ଦୟାଲ ପଣ୍ଡା, ପରାମର୍ଶଦାତା ଦୁର୍ଗା ପ୍ରସାଦ ସାହୁ, ଲକ୍ଷ୍ମଣ ପ୍ରଧାନ ଏବଂ ଲୋକନାଥ ସାହୁ ପ୍ରମୁଖ ଧାରଣାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe