ତିନିବର୍ଷ ବିତିବାକୁ ବସିଲାଣି: ଶେଷ ହେଲାନି ସାତକୋଶିଆବାସୀଙ୍କ ବିସ୍ଥାପନ

Advertisment
ସାତକୋଶିଆ ଗାଁ ବିସ୍ଥାପନ କେଳେଙ୍କାରୀ: ବୟସରେ ଜାଲିଆତି, ଟେକିଦେଲେ ୨୦ଲକ୍ଷ

ବନ୍ତଳା :  ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ  କେନ୍ଦ୍ର ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଅଭୟାରଣ୍ୟ କୋର୍‌ ଅଞ୍ଚଳରୁ ଗାଁଗୁଡ଼ିକୁ ବିସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ତିନିବର୍ଷ ବିତିଗଲାଣି। କେବଳ ରାଇଗୋଡ଼ା ଗାଁକୁ ଛାଡ଼ିଦେଲେ ଆଉ କୌଣସି ଗାଁ ଏ ପର୍ଯ୍ୟନ୍ତ ବିସ୍ଥାପିତ ହୋଇପାରିଲା ନାହିଁ। ଫଳରେ ଏଥିନେଇ ସନ୍ଦେହ ବଢିବାରେ ଲାଗିଛି।

ଅନୁଗୁଳ ଜିଲ୍ଲାରେ ଥିବା ସାତକୋଶିଆର ଘଞ୍ଚ ଜଙ୍ଗଲ ଆଗରୁ ବାଘ ହେଣ୍ଟାଳରେ କମ୍ପି ଉଠୁଥିଲା ଗତ ୧୫ବର୍ଷ ତଳେ ଏଠାରେ ୧୧ଟି ବାଘ ଥିଲେ। କିନ୍ତୁ ଏବେ ସେମାନଙ୍କ ଖୋଜଖବର ବନ ବିଭାଗ ପାଖରେ ନାହିଁ। ବନ ବିଭାଗ ଅପାରଗତାର ସୁ‌ଯୋଗରେ ଶିକାରୀମାନେ ଗୋଟିଏ ପରେ ଗୋଟିଏ ବାଘ ଶିକାର କରିଥିବା ସାଧାରଣରେ ଆଲୋଚନା ହୁଏ। ଏହା ସତ୍ତ୍ୱେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରିଥିଲେ। ୨୦୧୮ ମସିହା ଜୁନ ୨୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ କାହ୍ନା ଅଭୟାରଣ୍ୟରୁ ମହାବଳ ମହାବୀର ଏବଂ ସେଇ ମାସ ୨୮ ତାରିଖରେ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇ ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର।

publive-image

କିନ୍ତୁ ସ୍ଥାନୀୟ ବନବାସୀଙ୍କୁ ବନ ବିଭାଗର ଅଣଦେଖା ଓ ଦୁର୍ବଳ ପରିଚାଳନା ଯୋଗୁଁ ସରକାରଙ୍କ ଏହି ବିରାଟ ପ୍ରକଳ୍ପ ସମ୍ପୂର୍ଣ୍ଣ ବିଫଳ ହୋଇଗଲା। ମହାବୀରର ମୃତ୍ୟୁ ଏବଂ ସୁନ୍ଦରୀର ଘର ବାହୁଡା ପରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଆଶାରେ ପୂର୍ଣ୍ଣଛେଦ ପଡିଥିଲା। ଏହି ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଥିଲାବେଳେ ଏପଟେ ସାତକୋଶିଆ କୋର ଅଞ୍ଚଳରେ ଥିବା ଗାଁଗୁଡିକୁ ଉଠା ଯାଇ ନ ଥିବାରୁ ଏହା ଆଗକୁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ  ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ସାତକୋଶିଆ କୋର ଅଞ୍ଚଳରେ ଥିବା ଗାଁଗୁଡିକୁ ବିସ୍ଥାପନ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ରାଇଗୋଡାକୁ ଛାଡି ଦେଲେ ଆଜି ପର୍ଯ୍ୟନ୍ତ ଅନ୍ୟ ଗୋଟିଏ ବି ଗାଁ ବିସ୍ଥାପନ ହୋଇପାରିଲା ନାହିଁ। ଏହି ବିସ୍ଥାପନ ପ୍ରକ୍ରିୟା ୩ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅସନବାହାଳ ଏବଂ ପରେ କଟରଙ୍ଗ ଓ ଟୁଲୁକା ଗାଁ ଅନ୍ୟତ୍ର ବିସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।। ମାତ୍ର ଏ ପର୍ଯ୍ୟନ୍ତ ଏହି ଗାଁ ୩ଟି ବିସ୍ଥାପିତ ହେଲା ନାହିଁ। ଅନ୍ୟ ପକ୍ଷରେ ବରଗଡ଼ ଜିଲ୍ଲା ଦେବ୍ରିଗଡ ଅଭୟାରଣ୍ୟରେ ବିସ୍ଥାପନ ପ୍ରକ୍ରିୟା, ସାତକୋଶିଆ ଅଭୟାରଣ୍ୟ ବିସ୍ଥାପନ ପ୍ରକ୍ରିୟା ଠାରୁ ଢେର ପଛରେ ଆରମ୍ଭ  ହୋଇଥିଲେ ମଧ୍ୟ ସେଠାରେ ବନ କର୍ମଚାରୀମାନେ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଏହି ଘଟଣା ସାତକୋଶିଆ ବନ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏ ସମ୍ପର୍କରେ ସାତକୋଶିଆ ଡିଏଫଓ ସରୋଜ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ‘ଏହି ୩ଟି ଗାଁକୁ ବିସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅସନବାହାଳ ଗାଁକୁ ଜଙ୍ଗଲ ଜମିରୁ ଅଣ ଜଙ୍ଗଲ ଜମିର ସ୍ୱୀକୃତି ପାଇଁ ସରକାରଙ୍କ ନିକଟକୁ କାଗଜପତ୍ର ପଠାଯାଇଛି। ସେହିପରି କଟରଙ୍ଗ ଗ୍ରାମବାସୀଙ୍କ ନାମରେ ଏବେ ବ୍ୟାଙ୍କ ଆକାଉଣ୍ଟ ଖୋଲାଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe