ଅନୁଭବ-ବର୍ଷା ବିବାଦର ନୂଆ ମୋଡ଼: ସାଇବର୍ ଥାନାରେ ଅଭିଯୋଗ କଲେ ବର୍ଷା

Advertisment

ଫେସ୍‌ବୁକ ପେଜ୍‌ରେ ଚରିତ୍ର ସଂହାର ହେଉଛି, ସୋସିଆଲ୍‌ ମିଡିଆରେ ପରସ୍ପରକୁ ଆକ୍ଷେପ

ଫେସ୍‌ବୁକ ପେଜ୍‌ରେ ଚରିତ୍ର ସଂହାର ହେଉଛି, ସୋସିଆଲ୍‌ ମିଡିଆରେ ପରସ୍ପରକୁ ଆକ୍ଷେପ

ପରିବାର ଅଦାଲତରେ ବର୍ଷା-ଅନୁଭବ ହାଜର: ମଧ୍ୟସ୍ଥତା ପ୍ରକ୍ରିୟା ପୁଣି ବିଫଳ

OdishaTV

କଟକ : ଅନୁଭବ-ବର୍ଷା ବିବାଦ ପୁଣି ଏକ ନୂଆ ମୋଡ଼ ନେଇଛି। ‘ଅନୁଭବ ମହାନ୍ତି ରିଅଲ୍ ହିରୋ ଅଫ୍ କେନ୍ଦ୍ରାପଡ଼ା ନାଁରେ ଏକ ଫେସ୍‌ବୁକ ମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ବର୍ଷା ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଏବେ ଏହି ପେଜ୍‌କୁ କିଏ ନିୟନ୍ତ୍ରଣ କରୁଛି, ତାହାର ଅନୁଧ୍ୟାନ ଆରମ୍ଭ କରିଛି।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଏକାଧିକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣା ଏବେ ପ୍ରମୁଖ ଚର୍ଚ୍ଚାର ପ୍ରସଂଗ ହୋଇଛି। କୋର୍ଟରେ ଉଭୟଙ୍କ ମାମଲା ବିଚାରାଧୀନ ଥିବା ବେଳେ ବର୍ଷାଙ୍କ ବିରୋଧରେ ମିଥ୍ୟା ଓ ବିଭ୍ରାନ୍ତିକର କାହାଣୀ ସୋସିଆଲ୍ ମିଡିଆ ମାଧ୍ୟମରେ ଅନୁଭବ ଭାଇରାଲ୍ କରୁଥିବା ଅଭିଯୋଗରେ ବର୍ଷା ୨୨ ତାରିଖରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ଷ୍ଟେସନ ଡାଏରୀ କରି ଘଟଣାର ତଦନ୍ତ କରୁଥିବା ବେଳେ ବର୍ଷା ସାଇବର୍ ଥାନାରେ ଆଉ ଏକ ଏତଲା ଦେଇଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ‘ଅନୁଭବ ମହାନ୍ତି ରିଅଲ୍ ହିରୋ ଅଫ୍ କେନ୍ଦ୍ରାପଡ଼ା ନାଁରେ ଏକ ଫେସବୁକ ପେଜ୍‌ରେ ତାଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଓ ଅସମ୍ମାନଜନକ ଟିପ୍ପଣୀ ଦିଆଯାଉଛି। ଏଥିରେ ବିଭିନ୍ନ ଭିଡିଓ ସେୟାର କରି ତାଙ୍କ ଚରିତ୍ର ସଂହାର କରି ସମାଜରେ ତାଙ୍କୁ କଳଙ୍କିତ କରାଯାଉଛି। ଅନୁଭବ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିବା ପରଠାରୁ ୨୦୨୦ରୁ ଆଜି ସୁଦ୍ଧା ଏହି ଫେସବୁକ ପେଜ୍‌ରେ କେହି ଅଜଣା ବ୍ୟକ୍ତି ତାଙ୍କର ଓ ତାଙ୍କ ସ୍ବାମୀ ଅନୁଭବଙ୍କ ବ୍ୟକ୍ତିଗତ ଚାଟ୍‌, ଭିଡିଓ, ଅଡିଓ ସେୟାର କରି ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛି। ସୋମବାର ଏକ ଧମକପୂର୍ଣ୍ଣ ପୋଷ୍ଟରେ ତାଙ୍କ ଚରିତ୍ର ସଂହାର କରାଯାଇଛି। ଏହି ପେଜ୍‌ର ୟୁଆରଏଲ୍ ଏବଂ ସ୍କ୍ରିନ ସଟ୍ ବର୍ଷା ସାଇବର୍ ଥାନାରେ ଦାଖଲ କରିଛନ୍ତି। ସାଇବର୍ ଥାନା ପୁଲିସ ଆଇପିସିର ଧାରା ୫୦୯ ଏବଂ ଆଇଟି ଆକ୍ଟ ୨୦୦୮ର ଧାରା ୬୭ରେ ଏକ ମାମଲା ରୁଜୁ କରିଛି। ଫେସ୍‌ବୁକ୍‌ରେ ଖୋଲା ଯାଇଥିବା ଏହି ପେଜ୍‌ର ପ୍ରକୃତ ଆଡମିନ୍ ସମ୍ପର୍କରେ ଜାଣିବାକୁ ପୁଲିସ ଫେସ୍‌ବୁକ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଥିବା ବେଳେ ଖୁବ ଶୀଘ୍ର ଏନେଇ ସ୍ପଷ୍ଟ ହେବ ବୋଲି ସାଇବର୍ ଥାନା ପକ୍ଷରୁ ସୂଚନା ମିଳିଛି।

ସୋସିଆଲ୍‌ ମିଡିଆରେ ପରସ୍ପରକୁ ଆକ୍ଷେପ

ଭୁବନେଶ୍ବର : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଉଭୟଙ୍କ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ସୋସିଆଲ୍‌ ମିଡ଼ିଆରେ ଦୁହେଁ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି। ଉଭୟଙ୍କ ପ୍ରଶଂସକ ମଧ୍ୟ ଟଣାଓଟରା ହେଉଛନ୍ତି। ଗତକାଲି ଅନୁଭବ ନିଜର ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ସମାଲୋଚନା କରି ଡାକ୍ତରୀ ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା ଏବଂ ଫୋରେନସିକ୍ ଲ୍ୟାବ୍ ପରୀକ୍ଷା ଭଳି ତିନୋଟି ଚ୍ୟାଲେଞ୍ଜ କରିଥିଲେ। ବର୍ଷାଙ୍କ ଫେସ୍‌ବୁକ୍‌ ଫ୍ୟାନ୍‌ ପେଜ୍‌ରେ କେତେକ ଉତ୍ତର ରଖିବା ପରେ ଆଜି ଅନୁଭବ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। କହିଛନ୍ତି, ମୁଁ ଜାଣେ ତୁମର ଏହି ଫ୍ୟାନ୍‌ ପେଜ୍‌ର ମାଲିକ ତୁମେ ନିଜେ। ଏହି ପେଜ୍‌ ମାଧ୍ୟମରେ ତଥା ଅନ୍ୟ କିଛି ପେଜ୍‌ରୁ ଯାହା ଇଚ୍ଛା, ତାହା ପୋଷ୍ଟ କରୁଛ। ହେଲେ ସମସ୍ତଙ୍କ ସମ୍ମୁଖରେ ନିଜକୁ ନିରବ ରହିବାର ଚିତ୍ରଣ କରି ପେଜ୍‌ର ଅପବ୍ୟବହାର କରି ଅପମାନ, ହଇରାଣ ଏବଂ ଅପମାନିତ କରୁଛ। ଯଦି ସାହସ ଅଛି, ମୋର ତିନୋଟି ଚ୍ୟାଲେଞ୍ଜକୁ ସାମ୍ନା କର। ଭୟ କର ନାହିଁ।

ସେ ଆହୁରି କହିଛନ୍ତି, ଗତ ଦୁଇବର୍ଷ ଧରି ଗଣମାଧ୍ୟମ ମୋର ଏବଂ ମୋ ପରିବାରର ମିଡିଆ ଟ୍ରାଏଲ୍‌ କରୁଛି। ସେହି ଦୁଇ ବର୍ଷ ମଧ୍ୟରେ ତୁମର ସତ୍ୟ ଦେଖାଉଥିବା ଗୋଟିଏ ବି ଖବର ନାହିଁ। କିନ୍ତୁ ବର୍ତ୍ତମାନ ଯେତେବେଳେ ମୁଁ ତୁମ ପରଦା ପଛର ଚେହେରା ଖୋଲିବା ପାଇଁ ସାହସ କଲି, ତୁମେ ଏତେ ବିବ୍ରତ ହୋଇଗଲ ଯେ ମୋ ବିରୋଧରେ ଅଭିଯୋଗ ଦାଖଲ କରୁଛ। କାରଣ ତୁମେ ଭୟ କରୁଛ। ମୁଁ ଭାବୁଛି ସମସ୍ତେ ତୁମକୁ ପ୍ରଶଂସା କରିଥା’ନ୍ତେ। ଯଦି ତୁମେ ସେହି ସମସ୍ତ ମିଡିଆ ହାଉସ ବିରୋଧରେ ଅଭିଯୋଗ ଦାଖଲ କରିଥା’ନ୍ତ। ଯେଉଁମାନେ ଦୁଇ ବର୍ଷ ମଧ୍ୟରେ ମୋତେ ଏବଂ ମୋ ପରିବାର ବିରୋଧରେ ମିଥ୍ୟା ଖବର ଦେଖାଉଛନ୍ତି। କିନ୍ତୁ ତମେ କେବେ ତାହା କରିନାହଁ। ମୁଁ ଓଡ଼ିଶାର ପୁଲିସ ଏବଂ ଓଡ଼ିଶା ସାଇବର ବିଭାଗକୁ ଅନୁରୋଧ କରୁଛି ଯେ ଏହିପରି ନକଲି ଲୋକଙ୍କୁ ଧ୍ୟାନ ଦିଅନ୍ତୁ ନାହିଁ। ମୁଁ ଜଣେ ଜନପ୍ରତିନିଧି। ସୋସିଆଲ ମିଡିଆରେ ଏଭଳି ଜିନିଷ ଲେଖୁଥିବାରୁ ମୁଁ ଦୁଃଖିତ। ହେଲେ ମୁଁ ଅନୁଭବ କଲି, ଆଉ କେତେଦିନ ଏଭଳି ମୂକ ଦର୍ଶକ ହୋଇ ରହିବି। ତେଣୁ ମୁହଁ ଖୋଲିଲି।

ଅନ୍ୟପଟେ ବର୍ଷାଙ୍କ ଫ୍ୟାନ୍‌ ପେଜ୍‌ରେ ଅନୁଭବଙ୍କୁ ସମାଲୋଚନା କରାଯାଇଛି। ଏତେ ହୀନ ସ୍ତରର ବିବାହ ବିଚ୍ଛେଦ ପୂର୍ବରୁ କେବେ ହୋଇନଥିଲା। ସୋସିଆଲ ମିଡିଆର ଅପବ୍ୟବହାର କରି ନିଜ ଜୀବନ ସାଥୀକୁ ଭୟଭୀତ କରି, ବଦନାମ କରି, ତାର ଚରିତ୍ର ସଂହାର କରି ଜଣେ ସ୍ବାମୀ ସମାଜକୁ କି ଶିକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ଜଣଙ୍କୁ ବରବାଦ୍‌ କରିବାକୁ କେତେ ତଳସ୍ତରକୁ ଯାଉଛନ୍ତି? ସମଗ୍ର ଓଡ଼ିଶା ସାକ୍ଷୀ। ଜଣେ ମହିଳାର ନାରୀତ୍ବ ଓ ମାତୃତ୍ବକୁ ନେଇ ସୋସିଆଲ ମିଡିଆରେ ନିଜ ସ୍ବାମୀ ପ୍ରଶ୍ନ ଉଠାଇବା ଆମ ସମାଜ ପାଇଁ କଳଙ୍କ। ନାରୀର ନାରୀତ୍ବକୁ ପ୍ରଶ୍ନ କରୁଥିବା ସାଂସଦ ନିଜ ମା’, ଭାଉଜ, ଝିଆରୀ, ଉଉଣୀଙ୍କ ସଂପର୍କରେ ଏଭଳି ଶସ୍ତା ଟିପ୍ପଣୀ ବଜାରରେ ଦେଇପାରିଥା’ନ୍ତେ କି? ନା ଆଉ କେହି କହିଥିଲେ ସହିପାରିଥା’ନ୍ତେ କି? ସେ ନାରୀ ହିଁ ଜାଣିଥିବ, ତାଙ୍କ ସ୍ବାମୀର ପୁରୁଷତ୍ବର ପ୍ରକୃତ ସତ୍ୟ। ଆମେ ଏକପାଖିଆ କାହାଣୀ ଶୁଣି ନିଜର ମତ ଦେଇ ଚାଲିଛୁ। ସ୍ତ୍ରୀଙ୍କ ପକ୍ଷର ସତ୍ୟତା ନ ଜାଣି ନ ଶୁଣି ଆମେ ନିଜ ମତ ରଖିବା ଉଚିତ କି? ସେହି ନାରୀ ସ୍ଥାନରେ ଆପଣମାନେ ନିଜ ମା’, ଭଉଣୀ, ଝିଅଙ୍କ କଥା ଭାବି ଦେଖନ୍ତୁ। କ’ଣ ସତ୍ୟ, କ’ଣ ମିଛ, ତାର ବିଚାର ସୋସିଆଲ ମିଡିଆରେ ହୁଏ ନା ନ୍ୟାୟାଳୟରେ ବୋଲି ପ୍ରଶ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe