ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କୋରାପୁଟରେ ବି ଅସନ୍ତୋଷ: ଲାଇସେନ୍ସ ଫେରାଇବାକୁ ଆଇନଜୀବୀଙ୍କ ଚେତାବନୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କୋରାପୁଟରେ ବି ଅସନ୍ତୋଷ: ଲାଇସେନ୍ସ ଫେରାଇବାକୁ ଆଇନଜୀବୀଙ୍କ ଚେତାବନୀ

ଜୟପୁର : ପଶ୍ଚିମ ଓଡ଼ିଶା ଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କୋରାପୁଟ ଜିଲ୍ଲା ଓକିଲ ସଂଘରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଲାଇସେନ୍ସ ଫେରାଇବାକୁ ଆଇନଜୀବୀମାନେ ଚେତାବନୀ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲା ଓକିଲ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସଭାପତି ସରୋଜ ଦାଶଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ପରବର୍ତ୍ତୀ ପଦକ୍ଷେପ ପାଇଁ ୧୪ଜଣିଆ କମିଟି ଗଠନ କରାଯିବା ସହ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଗରିବ, ଅନୁସୂଚିତ ଜାତି, ଜନଜାତିର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ନିମନ୍ତେ ଦାବି କରାଯାଉଛି। ତେଣୁ ଦାବି ପୂରଣ କରିବାକୁ ପ୍ରତିମାସର ଶେଷ ଦୁଇ କାର୍ଯ୍ୟ ଦିବସରେ ଆନ୍ଦୋଳନ କରାଯାଉଛି। ଏହି ଦୁଇଦିନ ଜରୁରୀକାଳୀନ ଜାମିନ, ହାଇକୋର୍ଟ ଜାମିନ, ବିଚାରାଧୀନ କଏଦୀଙ୍କ ଜାମିନ ସହ ଜରୁରୀ ଦେୱାନୀ ମାମଲାର ଶୁଣାଣି ହେଉଛି। ତେଣୁ ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦେଶକୁ ଓକିଲମାନେ ମାନିବେ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏପରିକି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ବହୁ ଓକିଲ ମତ ଦେଇଥିଲେ। ଆଗାମୀଦିନରେ ସଂଘର ସଭାପତି ଓ ସଂପାଦକ କିମ୍ବା କୌଣସି ଆଇନଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, କୋରାପୁଟ ଜିଲ୍ଲା ଓକିଲ ସଂଘର ସମସ୍ତ ୭୩୧ଜଣ ସଦସ୍ୟ ଲାଇସେନ୍ସ ଫେରାଇବେ ବୋଲି ଚେତାବନୀ ଦିଆଯାଇଥିଲା। ଏ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୨ଟି ଯାକ ଓକିଲ ସଂଘର ସଭାପତି ଓ ସଂପାଦକଙ୍କୁ ଚିଠି କରାଯାଇଛି। ଆସନ୍ତା ୨୦ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର କେନ୍ଦ୍ରୀୟ ସମନ୍ବୟ ଓ କାର୍ଯ୍ୟକାରୀ କମିଟିର ବୈଠକ କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe