Odisha Diary
ଇବ୍ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଇବ୍ତାପଜ ବିଦ୍ୟୁତ କେନ୍ଦ୍ରର ଅବସରପ୍ରାପ୍ତ କର୍ମଚାରୀ ସନ୍ତୋଷ ସାହୁଙ୍କ ପୁନଃ ନିଯୁକ୍ତିକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓପିଜିସିରେ ଅବସରପ୍ରାପ୍ତ କର୍ମଚାରୀଙ୍କ କୌଣସି ପ୍ରକାର ନିଯୁକ୍ତିକୁ ଓପିଜିସି ଏମ୍ପ୍ଲଇଜ ୟୁନିଅନ୍ ଏବଂ ଅଫିସର ଏସୋସିଏସନ୍ ବିରୋଧ କରି ଆସୁଛନ୍ତି।
ସୂଚନା ଅନୁସାରେ, ସନ୍ତୋଷ ସାହୁଙ୍କୁ ଓପିଜିସିର କାର୍ମିକ ବିଭାଗର ଜୁନ୍ ୩୦ ଆଦେଶ କ୍ରମାଙ୍କ ୧୦୬୫ ଅନୁସାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଛି। ତାଙ୍କୁ ଜମି ଅଧିଗ୍ରହଣ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଛି। ଶ୍ରୀ ସାହୁଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ଓପିଜିସିର ଅବସରପ୍ରାପ୍ତ କର୍ମଚାରୀମାନେ ଓପିଜିସି ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ବିଗତ ବର୍ଷେ ମଧ୍ୟରେ ଅପରେସନ ଓ ମେଣ୍ଟେନାନ୍ସରେ କାମ କରୁଥିବା ବହୁ କର୍ମଚାରୀ ଚାକିରିରୁ ଅବସର ନେଇଛନ୍ତି। କାରଖାନା ପାଇଁ ସେମାନଙ୍କ ଆବଶ୍ୟକତା ଥାଇ ମଧ୍ୟ ପୁନଃ ନିଯୁକ୍ତି ଦିଆଯାଇ ନାହିଁ।
ଭେଷଜ ବିଶେଷଜ୍ଞ ବିଜୟଲାଲ ବିଶ୍ଵାଳଙ୍କୁ ଅଞ୍ଚଳବାସୀଙ୍କ ଦାବି ଓ ଆନ୍ଦୋଳନ ସତ୍ତ୍ୱେ ପୁନଃ ନିଯୁକ୍ତି କରାଯାଇ ନ ଥିଲା। ଡ. ବିଶ୍ଵାଳଙ୍କ ଅବସର ପରେ ବର୍ଷାଧିକ କାଳ ଅତିକ୍ରାନ୍ତ ହେବା ସତ୍ତ୍ୱେ ଜଣେ ନିୟମିତ ଭେଷଜ ବିଶେଷଜ୍ଞଙ୍କ ନିଯୁକ୍ତି କରାଯାଇ ପାରି ନାହିଁ। ଫଳରେ ଅଞ୍ଚଳବାସୀ ଓ ଓପିଜିସି କର୍ମଚାରୀ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି। ଅଥଚ ଜମି ଅଧିଗ୍ରହଣ ବିଭାଗର ପରାମର୍ଶଦାତା ପାଇଁ ଯୋଗ୍ୟତା ନ ଥାଇ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦେବା ଓପିଜିସି କର୍ତ୍ତୃପକ୍ଷଙ୍କ ମନମୁଖି କାରବାର ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତୋଷଙ୍କ ନିଯୁକ୍ତିକୁ ବାତିଲ କରା ନ ଗଲେ ଅବସରପ୍ରାପ୍ତ କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ଲବ ପ୍ରଧାନ, ଭୂବନ ଚନ୍ଦନ, ସିଦ୍ଧାର୍ଥ ପଣ୍ଡା, ମକରଧ୍ଵଜ ସା, ଦିଲ୍ଲୀପ ଠାକୁର, ଲକ୍ଷ୍ମଣ ହାତୀ ଓ ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି। ଓପିଜିସି ଜନସଂପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି ସନ୍ତୋଷ ସାହୁଙ୍କୁ ଅବସର ପରେ କମ୍ପାନିର ଆବଶ୍ୟକତା ଥିବାରୁ ଭୂ- ଅଧିଗ୍ରହଣ ବିଭାଗରେ ପରାମର୍ଶଦାତା ଭାବେ ଅସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମଧ୍ୟ କଂପାନିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆବଶ୍ୟକ କ୍ଷେତ୍ରରେ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସନ୍ତୋଷ ସାହୁଙ୍କ ନିଯୁକ୍ତିରେ କୌଣସି ପ୍ରକାର ଅନିୟମିତତା ନାହିଁ।
Follow Us