ବଦଳି ନୀତିକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ, ନିୟମ ହେଉଛି ଅଥଚ ପାଳନ ହେଉନି

Advertisment
ରାଜ୍ୟରେ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟକୁ କେନ୍ଦ୍ରର ପ୍ରଶଂସା : ୮ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲା ସିସିଆଇ ପିଏମ୍‌ଜି

Odisha News Insight

ଭୁବନେଶ୍ୱର : ସରକାର ନିଜେ ନିୟମ ପ୍ରଣୟନ କରୁଛନ୍ତି, ଅଥଚ ତାର ପାଳନ ହେଉନି। ନିୟମ ପ୍ରଣୟନ କଲାବେଳେ ଯେଉଁ ସ୍ବଚ୍ଛତା, ଦକ୍ଷତା ଓ ସ୍ପଷ୍ଟ ନୀତିର ଆଭିମୁଖ୍ୟ ରଖିଥାନ୍ତି, ପରବର୍ତ୍ତୀ କାଳରେ ତାକୁ ଭୁଲିଯାନ୍ତି। ଓଡ଼ିଶା ସଚିବାଳୟ ସେବା କ୍ୟାଡର କର୍ମଚାରୀଙ୍କ ବଦଳିକୁ ନେଇ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନରେ କାର୍ଯ୍ୟରତ ଓଏସ୍‌ଏସ୍‌ କ୍ୟାଡର କର୍ମଚାରୀଙ୍କ ବଦଳି ପାଇଁ ଗୃହ ବିଭାଗର ମାର୍ଗଦର୍ଶିକା ଆଧାରରେ ବଦଳି ହେଉନଥିବା ନେଇ ଅଭିଯୋଗ ହୋଇଛି।

କଥାଟି ଏମିତି। ଓଏସ୍‌ଏସ୍‌ କର୍ମଚାରୀ ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ରହିଲେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଆଗ୍ରହ କମିଯିବ, କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବ। ଏପରି ବିଚାର କରି କର୍ମଚାରୀଙ୍କୁ ନୂଆ ପରିବେଶ ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ୨୦୧୭ରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଥିବାବେଳେ ଏକ ସ୍ପଷ୍ଟ ବଦଳି ନୀତି ଜାରି କରିଥିଲେ। ସେହି ନିର୍ଦ୍ଦେଶାବଳୀ ଆଧାରରେ ପ୍ରତିବର୍ଷ ଓଏସ୍‌ଏସ୍‌ କର୍ମଚାରୀଙ୍କ ବଦଳି ହେବ ବୋଲି ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଲା। କିନ୍ତୁ ବିଡ଼ମ୍ବନା ହେଉଛି, ଏହି ନିୟମାବଳୀ କେବଳ ସେହିବର୍ଷ ହିଁ କର୍ମଚାରୀଙ୍କ ବଦଳି କ୍ଷେତ୍ରରେ ଲାଗୁ ହୋଇଥିଲା। ତା ପରଠାରୁ ଆଉ ଏହାର ଅନୁପାଳନ ହେବା ଦେଖିବାକୁ ମିଳିନି।

୨୦୧୭ ଫେବ୍ରୁଆରି ୨୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ସଂକଳ୍ପ ସଂଖ୍ୟା ୭୭୦୬ ଅନୁଯାୟୀ, ଜଣେ କର୍ମଚାରୀ ଗୋଟିଏ ବିଭାଗର ଗୋଟିଏ ସେକ୍‌ସନ୍‌ରେ ୬ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ। ସେହିପରି ସମ୍ପୃକ୍ତ କର୍ମଚାରୀ ଜଣକ ସେହି ବିଭାଗରେ କେବଳ ୧୦ ବର୍ଷ କାମ କରିପାରିବେ। ୧୦ ବର୍ଷ ପରେ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯିବ। ଜଣେ କର୍ମଚାରୀଙ୍କର ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ବଦଳି ହେବା ପରେ ୩ ବର୍ଷ ଭିତରେ ଆଉ ସମ୍ପୃକ୍ତ କର୍ମଚାରୀ ପୂର୍ବ ବିଭାଗକୁ ବଦଳି ହୋଇ ଆସିପାରିବେ ନାହିଁ। ଆବଶ୍ୟକ ସ୍ଥଳେ ପ୍ରଶାସନିକ କାରଣ ଓ ସାଧାରଣ ସ୍ବାର୍ଥ ପାଇଁ ଜଣେ କର୍ମଚାରୀଙ୍କୁ ସରକାର ବଦଳି କରିପାରିବେ ବୋଲି ନିୟମ ଉଲ୍ଲେଖ ରହିଛି।

ଲୋକସେବା ଭବନର ଅଧିକାଂଶ ବିଭାଗର ଓଏସ୍‌ଏସ୍‌ କର୍ମଚାରୀଙ୍କ ଅଭିଯୋଗ ହେଲା ପଦୋନ୍ନତି ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିଭାଗ ବଦଳିବା ନିୟମ ବହୁପୂର୍ବରୁ ଥିଲା। ଏବେ ସେହି ନିୟମ ବି ପାଳନ କରାଯାଉନି। ଏପରିକି କେତେକ କର୍ମଚାରୀଙ୍କ ବଦଳି ହେବାର ଅଳ୍ପଦିନ ଭିତରେ ପୂର୍ବ ବିଭାଗକୁ ଫେରି ଆସିଛନ୍ତି। ଅର୍ଥାତ୍‌ ସରକାରଙ୍କ ୩ ବର୍ଷିଆ ନିୟମ ମଧ୍ୟ ପାଳନ ହେଉନି। ଅର୍ଥ, ଉଚ୍ଚଶିକ୍ଷା, ନଗର ଉନ୍ନୟନ ବିଭାଗରେ କେତେକ କର୍ମଚାରୀ ୨୦ ବର୍ଷ ଧରି ସେହିଠାରେ ହିଁ କାମ କରୁଛନ୍ତି। ପ୍ରଶାସନିକ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ୫'ଟି' ବ୍ୟବସ୍ଥା ଲାଗୁ କରିଥିବାବେଳେ କର୍ମଚାରୀଙ୍କ ବଦଳିକୁ ନେଇ ନିଜେ ସରକାର ପ୍ରଣୟନ କରିଥିବା ନିୟମର କାହିଁକି ସଠିକ୍‌ ଅନୁପାଳନ ହେଉନାହିଁ ସେ ନେଇ କର୍ମଚାରୀ ମହଲରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe