ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଛେନାପୋଡ଼ ଦିବସ

Advertisment

ସମସ୍ତ ସରକାରୀ କାର୍ଯ୍ୟାଳୟ‌ରେ ପାଳନ କରାଗଲା

ସମସ୍ତ ସରକାରୀ କାର୍ଯ୍ୟାଳୟ‌ରେ ପାଳନ କରାଗଲା

ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଛେନାପୋଡ଼ ଦିବସ

ନୟାଗଡ଼: ନୟାଗଡ଼ ଜିଲ୍ଲା ସମେତ ଆଜି ରାଜ୍ୟବ୍ୟାପୀ ବିଶ୍ବ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ଛେନାପୋଡ଼ର ସ୍ରଷ୍ଟା ଭାବେ ପରିଚିତ ସୁଦର୍ଶନ ସାହୁଙ୍କ ଜୟନ୍ତୀ ଏପ୍ରିଲ ୧୧କୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ। ଛେନା ପୋଡ଼ର ସୃଷ୍ଟି ନୟାଗଡ଼ରୁ ହୋଇଥିବାରୁ ଏନେଇ ଜିଲ୍ଲା‌ରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥି ସହିତ ପ୍ରଥମ ଥର ପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଭାବେ ଏହି ଦିବସ ପାଳନ କରାଯାଇଥିବାରୁ ଉତ୍ସାହ ବହୁଗୁଣିତ ହୋଇଥିଲା।

ଜିଲ୍ଲାସ୍ତରଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ତହସିଲଠାରୁ ନେଇ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦିନ ୧୧ଟାରେ ଛେନା‌ପୋଡ଼ କାଟି, ସମସ୍ତଙ୍କୁ ବଣ୍ଟନ କରାଯାଇ ଏହି ଦିବସ ପାଳନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ସାହୁ ଛେନାପୋଡ଼ କାଟିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସମେତ ବିଭିନ୍ନ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ତେବେ ନୟାଗଡ଼ ଛେନାପୋଡ଼କୁ ବାରମ୍ବାର ଜିଆଇ ଟ୍ୟାଗ୍‌ ନେଇ ଦାବି ହେଉଥିବା ବେ‌‌ଳେ, ଗତ ମାର୍ଚ୍ଚ ମାସରେ ଏନେଇ ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ‌ଜିଆଇ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିଲା। ଚଳିତ ବର୍ଷ ଜିଆଇ ଟ୍ୟାଗ୍‌ ନେଇ ଆବେଦନ ହୋଇଥିବାରୁ ଏନେଇ ସଭିଁଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବାରେ ଏଭଳି ଉତ୍ସବ ବେଶ୍‌ ସହାୟକ ହେବ ବୋଲି ଜିଲ୍ଲାପାଳ ଏହି ଅବସରରେ ଗଣମାଧ୍ୟମକୁ କହିଥିଲେ। ନୟାଗଡ଼ର ହେଲ୍ପିଂହ୍ୟାଣ୍ଡ୍‌ ନାମକ ଅନୁଷ୍ଠାନ ଗତବର୍ଷଠାରୁ ବିଶ୍ବ ଛେନାପୋଡ଼ ଦିବସ ପାଳନ ଆରମ୍ଭ କରିଥିଲା। କ୍ରମେ ଏହା ବ୍ୟ‌ାପକ ‌ହେଉଥିବା ଦେଖାଯାଇଛି।

ଏଭଳି ଉତ୍ସବ ଜିଆଇ ଟ୍ୟାଗ୍‌ ନିମନ୍ତେ ସହାୟକ‌ ହେବ
ବ୍ଲକ୍‌, ତହସିଲସ୍ତରରେ ବି ପାଳନ ହେଲା

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୯୪୫ ମସିହାରେ ଏକ ନାଟକୀୟ ଢଙ୍ଗରେ ଛେନାପୋଡ଼ର ସୃଷ୍ଟି ହୋଇଥିଲା। ସୁଦର୍ଶନ ସାହୁ ଓ ତାଙ୍କ ବାପା ବିଦ୍ୟାଧର ସାହୁଙ୍କ ମିଳିତ ଉଦ୍ୟମ କ୍ରମେ ଛେନାପୋଡ଼ ଉଦ୍ଭବ ହୋଇଥିଲା। ଦୈନିକ ଆବଶ୍ୟକ ମିଠା ପ୍ରସ୍ତୁତି ପରେ ଦୋକାନରେ କିଛି ଛେନା ବଳିପଡ଼ୁଥିଲା। ବାସି ଜିନିଷ ବିକ୍ରି କରିବା ବାପା-ପୁଅଙ୍କର ଅଭ୍ୟାସ ନଥିଲା। ତେଣୁ ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍‌ ଗୋଟିଏ ଅଜବ ବୁଦ୍ଧି ମୁଣ୍ଡକୁ ଜୁଟିଥିଲା। ବିରି ପୋଡ଼ ପିଠା ଭଳି ଛେନାରେ କିଛି ଚିନି, ଚାଉଳ ଚୁନା ମିଶାଇ ଏହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ନିଆଁ ଦେଇ ପୋଡ଼ିଦେଇଥିଲେ। ଯାହା ବେଶ୍‌ ସ୍ବାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ପାଲଟି ଯାଇଥିଲା। ବିଦ୍ୟାଧର ଓ ସୁଦର୍ଶନ ଦଶପଲ୍ଲାର ମୂଳବାସିନ୍ଦା ଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୯୪୭ରେ ସୁଦର୍ଶନ ନୟାଗଡ଼ ଆସି ବସ୍‌ଷ୍ଟାଣ୍ଡ୍‌ରେ ମିଠା ଦୋକାନ କରିଥିଲେ। ବିଭିନ୍ନ କାରଣ ପାଇଁ ‌ଛେନାପୋଡ଼ ବ୍ୟବସାୟରୁ ୧୯୮୦ ମସିହାରେ ସୁଦର୍ଶନ ଓହରି ଯାଇଥିଲେ। ୨୦୧୬ ନଭେମ୍ବରରେ ତାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe