’ସମ୍ବାଦ’ ପ୍ରଭାବ: ୪ଶହ କୋଟିର ମେଗା ଜଳଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

Advertisment
’ସମ୍ବାଦ’ ପ୍ରଭାବ: ୪ଶହ କୋଟିର ମେଗା ଜଳଯୋଗାଣ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

Deccan Chronicle

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଉପଖଣ୍ଡବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ 'ଜଳ ଜୀବନ ମିସନ୍‌' ପ୍ରକଳ୍ପ ଜରିଆରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକ‌ଳରେ 'ବୃହତ୍‌ କନ୍ଧମାଳ ଜଳ ଯୋଗାଣ ପ୍ରକଳ୍ପ' କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଗତ ୨୦୨୧ ମସିହା ନଭେମ୍ବର ୨ ତାରିଖରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଆସନ୍ତା ୨୦୨୩ ମସିହା ନଭେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଥିଲେ ମଧ୍ୟ ଏ ନେଇ ସଂଶୟ ଦେଖାଦେଇଛି।

କନ୍ଧମାଳବାସୀଙ୍କୁ କେବେ ମହାନଦୀ ପାଣି ମିଳିବ ଏବଂ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ବପ୍ନ କେବେ ପୂରଣ ହେବ, ସେ ନେଇ 'ସମ୍ବାଦ'ରେ ରିପୋର୍ଟ ପ୍ରକାଶ ପାଇବା ପରେ ନୂଆ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍‌ ତୁରନ୍ତ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ଚନ୍ଦ୍ର ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବହରି ପ୍ରଧାନ ଏବଂ ବିଭାଗୀୟ କନିଷ୍ଠଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ତୁରନ୍ତ ପ୍ରକଳ୍ପ ସାରିବାକୁ ଜିଲ୍ଲାପାଳ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ, ଚଳିତ ବର୍ଷା ଋତୁରେ ମହାନଦୀରେ ଆସିବାକୁ ଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ବନ୍ୟା ପୂର୍ବରୁ ଇନ୍‌ଟେକ୍‌ ୱେଲ୍‌ ଏବଂ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ର ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ ଅଧୀକ୍ଷଣ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ଏହା ହେଲେ ଆଉ ବନ୍ୟାର ଭୟ ରହିବ ନାହିଁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗ ମଞ୍ଜୁରି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଏବଂ ପ୍ରକଳ୍ପ ଦ୍ବାରା ବିସ୍ଥାପନ ସମସ୍ୟାର ମଧ୍ୟ ସମାଧାନ ହୋଇସାରିଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ପ୍ରକଳ୍ପ ଜରିଆରେ  ଫୁଲବାଣୀ ଉପଖଣ୍ଡ ଅନ୍ତର୍ଗତ ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ ଏବଂ ଚକାପାଦ ବ୍ଲକ୍‌ର ୯୫ ହଜାର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗାଠାରେ ମହାନଦୀ କୂଳରେ ଏକ ବୃହତ୍‌ ଇନ୍‌ଟେକ୍‌ ୱେଲ୍‌ ଏବଂ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯାଇ ପାଇପ୍‌ ଯୋଗେ ହରଭଙ୍ଗାରୁ ପାଣି ଅଣାଯିବ। ତେବେ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe