ଜିଲ୍ଲା କମିଟିରୁ ବିଜୟଙ୍କୁ ବହିଷ୍କାର ଘଟଣା: କୁଶପୁତ୍ତଳିକା ଦାହ ରାଜନୀତି ତୀବ୍ର

ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଅଧ୍ୟକ୍ଷଙ୍କ ଗସ୍ତ ଆଜି

ଜିଲ୍ଲା କମିଟିରୁ ବିଜୟଙ୍କୁ ବହିଷ୍କାର ଘଟଣା: କୁଶପୁତ୍ତଳିକା ଦାହ ରାଜନୀତି ତୀବ୍ର

କେନ୍ଦ୍ରାପଡା: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଆଜି ମଧ୍ୟ କେନ୍ଦ୍ରାପଡା ରାଜନୀତି ଉଷ୍ମ ରହିଛି। ତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ପକ୍ଷରୁ କୁଶପୁତ୍ତଳିକା ଦାହ ପ୍ରତିଯୋଗିତା ଚାଲିଛି। ଏପରିସ୍ଥଳେ ଆସନ୍ତାକାଲି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁରାଗ ଠାକୁର ଏଠାକୁ ଆସୁଛନ୍ତି। ଏହି ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। ଗତ ଗୁରୁବାରଠାରୁ ବିଜେପିରେ ଗୋଷ୍ଠୀ ବିବାଦ ପଦାକୁ ଆସିଛି। ଗୁରୁବାର ଦିନ ଗରଦପୁର ବ୍ଲକ୍‌ର ସିଙ୍ଗିଟିଆ ସିଦ୍ଧବଟଠାରେ ଆୟୋଜିତ ମିଶ୍ରଣ ପର୍ବ ସଭାରେ ବିଜୟ ମହାପାତ୍ର ସମର୍ଥକ ଭଙ୍ଗାରୁଜା କରିଥିଲେ। ଗତକାଲି ବିଜୟଙ୍କୁ ଜିଲ୍ଲା କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା।

ଏହି ଘଟଣାକୁ ନେଇ ଆଜି ଦିନତମାମ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିଥିଲା। କେନ୍ଦ୍ରାପଡ଼ା ସହରର ଦୁହୁରିଆଠାରେ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଏକାଠି ହୋଇ ଜିଲ୍ଲା ସଭାପତି ଓ ଅନ୍ୟ ନେତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ୍‌ ବୋ ସହିତ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପୂର୍ବତନ ମଣ୍ଡଳ ସଭାପତି ମମତା ମୁଦୁଲି, ୬ ନଂ ଜୋନ୍‌ ଯୁବମୋର୍ଚ୍ଚା ସଭାପତି ରବୀନ୍ଦ୍ର ବାରିକ, ପୂର୍ବତନ ଜିଲ୍ଲା ସମ୍ପାଦିକା ମିଡ଼ିଆ ପ୍ରଭାରୀ ମମତାମୟୀ ସାମଲ, କୃଷ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବିଜପି ସମର୍ଥକମାନେ ଏହି ୩ ନେତାଙ୍କର କୁଶାପୁତ୍ତଳିକା ଦାହ କରିଥିଲେ।ଅନ୍ୟପକ୍ଷରେ, ବିପକ୍ଷ ଗୋଷ୍ଠୀ ପକ୍ଷରୁ ଚାନ୍ଦୋଳ, ରାଜନଗର ପରେ ଆଜି ମାର୍ଶାଘାଇ, ଛତା, ଶ୍ୟାମସୁନ୍ଦରପୁର ଓ ମନକରପୁର ଠାରେ ବିଜୟଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ତେବେ, ଜିଲ୍ଲା ବିଜେପିର ପୂର୍ବତନ ସଭାପତି ସୁକାନ୍ତ ଦ୍ୱିବେଦୀ ଗଣ୍ଡଗୋଳ ପଛରେ ବିଜୟଙ୍କ ହାତ ନାହିଁ ବୋଲି କହିଛନ୍ତି। ବରଂ ସ୍ଥାନୀୟ ୧୧ ନଂ ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟା ଅହଲ୍ୟା ଲେଙ୍କାଙ୍କୁ ମିଶ୍ରଣ ପର୍ବକୁ ଡକା ଯାଇ ନଥିବା ପ୍ରତିବାଦରେ କର୍ମୀମାନେ ଉତ୍‌କ୍ଷିପ୍ତ ହୋଇ ଗଣ୍ଡଗୋଳ କରିଥିବା ପ୍ରକାଶ କରିଛନ୍ତି।

ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଏପରି ଟକ୍କରାଟକ୍କରି ଚାଲିଥିବାବେଳେ ଆସନ୍ତାକାଲି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁରାଗ ଠାକୁର ଏଠାକୁ ଆସୁଛନ୍ତି। ଶ୍ରୀ ଠାକୁରଙ୍କ ଗସ୍ତ ପଛର ଉଦ୍ଦେଶ୍ୟ ସମ୍ପର୍କରେ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବି ସେ କିଛି ଜାଣିନାହାନ୍ତି ବୋଲି ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ କହୁଛନ୍ତି। କେହିକେହି ବିଜୟଙ୍କ ବିରୁଦ୍ଧରେ ଚୂଡାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏଠାରୁ ଦଳୀୟ ନେତୃବର୍ଗଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ସେ ଆସୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe