ଅନୁଗୁଳ: ଧାନକିଣା ଆରମ୍ଭରୁ କଟ୍‌ନିଛଟ୍‌ନି ତାତି। କୁଇଣ୍ଟାଲ ପିଛା ୫ କେଜି ଧାନ କଟା ଯାଉଥିବା ଅଭିଯୋଗ ଆଣି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଅନୁଗୁଳ ବ୍ଲକ୍‌ ପୋକତୁଙ୍ଗା ମଣ୍ଡିରେ ଆଜି ଏମିତି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ବେଳେ ଏହା ଧାନକିଣାକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଅନୁଗୁଳ ଜିଲ୍ଲାରେ ସପ୍ତାହେ ହେଲା ଧାନକିଣା ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ଧାନକିଣା ଜୋର୍‌ ଧରିନି। ଆଜି ପୋକତୁଙ୍ଗା ମଣ୍ଡିରେ କଟ୍‌ନିଛଟ୍‌ନି ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଧାନର ମାନ ଭଲ ନାହିଁ କହି ଆରମ୍ଭରୁ କେଁ ବାହାର କରାଯାଇଥିଲା। ଏଫ୍‌ଏକ୍ୟୁ ମାନର ଧାନ ନ ଥିବା ଦର୍ଶାଇ ଧାନ ଉଠାଇବାକୁ ମନା କରିଥିଲେ ମିଲର୍ସ। ଏଣୁ କୁଇଣ୍ଟାଲ ପିଛା ୫ କେଜି ଧାନ କାଟିବା ପାଇଁ କହିଥିଲେ। କିନ୍ତୁ ଚାଷୀ ଏଥିରେ ରାଜି ହୋଇ ନଥିଲେ। ଯେଉଁ ଧାନ ଆସିଛି ସବୁ କିଣିବାକୁ ଚାଷୀମାନେ ଦାବି କରିଥିଲେ। ଫଳରେ ମଣ୍ଡିରୁ ଧାନ ଉଠି ନଥିଲା। ଏପଟେ ଚାଷୀମାନେ କରତପଟା-ବନ୍ତଳା ରାସ୍ତାକୁ ଅବରୋଧ କରି ରଖିଥିଲେ। ଏହା ସହ ମଣ୍ଡିରେ ତାଲା ପକାଇ ଦେଇଥିଲେ। ପରେ ଅଧିକାରୀମାନେ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା। କୁଇଣ୍ଟାଲ୍‌ ପିଛା ୫ କେଜି ଧାନ କାଟିଲେ ହେବନି ବୋଲି ଚାଷୀମାନେ କହିବା ସହ ୩ କେଜି କାଟିବା ପାଇଁ ରାଜି ହୋଇଥିଲେ।  ପରେ ସନ୍ଧ୍ୟାରେ ଧାନକିଣା ଆରମ୍ଭ ହୋଇଥିବା ଜଣାପଡ଼ିଛି। 

Advertisment

Narendra Modi: ‘ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ’

 ଯୋଗାଣ ବିଭାଗ ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ସମୁଦାୟ ୨୭ଟି ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଏଥିରେ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ରହିଥିଲା ବେଳେ ୨୬ଟି ପ୍ୟାକ୍ସ ଧାନ କିଣିଛନ୍ତି। ମୋଟ ୬୯ ଜଣ ଚାଷୀଙ୍କ ପାଖରୁ ୨୧୮୯.୨୭ କୁଇଣ୍ଟାଲ ଧାନ କିଣା ହୋଇଛି। ଏଥର ଜିଲ୍ଲାରେ ୧୦୦ଟି ମଣ୍ଡିରେ ଧାନ କିଣିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଏହାର ଏକ ଚତୁର୍ଥାଂଶ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଅନୁଗୁଳରେ ପାଖାପାଖି ୪୯ ହଜାର ଚାଷୀ ଧାନ ବିକିବାକୁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରୁ ୮ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଦେଇଛନ୍ତି ସରକାର। ୧୩ ଜଣ ମିଲର୍ସ ଚୁକ୍ତିବଦ୍ଧ ହୋଇଛନ୍ତି। ଏନେଇ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି, ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ଭାଗରେ ମଣ୍ଡି ଖୋଲୁଛି। ସପ୍ତାହକ ଭିତରେ ଅଧିକାଂଶ ମଣ୍ଡି ଖୋଲିଯିବ। ଆସନ୍ତା ମକର ସଂକ୍ରାନ୍ତି ପରେ ଧାନକିଣା ‌ଜୋର୍‌ ଧରିବ ବୋଲି ସେ କହିଛନ୍ତି।

Life lost in a moving train: ଚଳନ୍ତା ଟ୍ରେନ୍‌ରେ ଚାଲିଗଲା ପ୍ରାଣ: ଚିରନିଦ୍ରାରେ କଥାବାଚକ ଭାଗବତାଚାର୍ଯ୍ୟ ଶ୍ରୀକୃଷ୍ଣ ଶୁଭମ୍ ମହାରାଜ