ହାଇକୋର୍ଟ ବିଚାରପତିଙ୍କ ଦେବଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘର ବିରୋଧ

Advertisment

କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ନିଷ୍ପତ୍ତି

କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ନିଷ୍ପତ୍ତି

ହାଇକୋର୍ଟ ବିଚାରପତିଙ୍କ ଦେବଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘର ବିରୋଧ

ଦେବଗଡ଼ : ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଙ୍ଗମ ସାହୁ ୨ ଦିନିଆ ଦେବଗଡ଼ ଗସ୍ତରେ ଆସୁଛନ୍ତି। ତେବେ ତାଙ୍କର ଏହି ଗସ୍ତକୁ ଦେବଗଡ଼ ଜିଲ୍ଲା ଓକିଲ ସଂଘ ବିରୋଧ କରିଛି। ଜଷ୍ଟିସ ଶ୍ରୀ ସାହୁଙ୍କ ଗସ୍ତ ବେଳେ ଅସହଯୋଗ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ଦେବଗଡ଼ ଜିଲ୍ଲା ଓକିଲ ସଂଘର ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କେନ୍ଦ୍ର ସରକାର ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ କ‌ୌଣସି ପଦକ୍ଷେପ ନେଇ ନଥିବାରୁ ଦେବଗଡ ଜିଲ୍ଲା ଓକିଲ ସଂଘର ବୈଠକରେ କ୍ଷୋଭ ପ୍ରକାଶ ପାଇଛି। ସେହିପରି ବିଭିନ୍ନ ଓକିଲ ସଂଘ ପକ୍ଷରୁ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଭେଦଭାବ ପୂର୍ଣ୍ଣ ନୀତିକୁ ସଂଘ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ୩୦ ତାରିଖ ଦିନ ଜଷ୍ଟିସ ଶ୍ରୀ ସାହୁଙ୍କ ଗସ୍ତ ସମୟରେ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ କଳାବ୍ୟାଜ ପରିଧାନ କରି ଜିଲ୍ଲା ଅଦାଲତ ପରିସର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜଷ୍ଟିସ ଶ୍ରୀ ସାହୁଙ୍କର ଜିଲ୍ଲା ଓକିଲ ସଂଘର ସଦସ୍ୟ/ସଦସ୍ୟାମାନଙ୍କ ସହିତ ହେବାକୁ ଥିବା ଆଲୋଚନା କାର୍ଯ୍ୟକ୍ରମକୁ ମଧ୍ୟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏନେଇ ଆଜି ଦେବଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଏବଂ ଦୌରାଜଜ୍‌ଙ୍କୁ ଅବଗତ କରି ଏ ବାବଦରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଜଣାଇବା ପାଇଁ ଅନୁରୋଧ କରାଯାଇଛି। ଜିଲ୍ଲା ଓକିଲ ସଂଘର ସଭାପତି ସଚ୍ଚିକାନ୍ତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଉପସଭାପତି ସୁଶାନ୍ତ ବିଶ୍ବାଳ, ସଂପାଦକ ତରଣୀକାନ୍ତ ଦାଶ, ସହ-ସଂପାଦକ କ୍ଷେତ୍ରବାସୀ ମେହେର, କୋଷାଧ୍ୟକ୍ଷ ରାଜ କିଶୋର ପ୍ରଧାନଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିଲେ।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ମରିବାକୁ ବି ଆମେ ପ୍ରସ୍ତୁତ: ଦେବଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି
ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟଙ୍କ ଆଭିମୁଖ୍ୟ ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ଦାବି ବର୍ତ୍ତମାନ ଜନଆନ୍ଦୋଳନର ପରିଣତ ହୋଇସାରିଛି। ବୈମାତୃକ ମନୋଭାବ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ଅଣଦେଖା କରୁଥିବା ବେଳେ ହାଇକୋର୍ଟ ବର୍ତ୍ତମାନ ସମ୍ବଲପୁରଠାରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ନ ପଠାଇ ଇଂରେଜ ପରି ଶାସନ କରୁଥିବାକୁ ବରଦାସ୍ତ କରାଯିବ ନାହିଁ। ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଂଚ ହେବା ନିମନ୍ତେ ସସ୍‌ପେଣ୍ଡ କ’ଣ ମୃତ୍ୟୁବରଣ କରିବାକୁ ପଡ଼ିଲେ ମଧ୍ୟ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe