ବଦଳୁଛି ଜିଲ୍ଲା ବିଜେପି ପାଣିପାଗ: ଗୋଟିଏ ମଞ୍ଚରେ ସୁରେଶ, ଟଙ୍କଧର

ବଦଳୁଛି ଜିଲ୍ଲା ବିଜେପି ପାଣିପାଗ: ଗୋଟିଏ ମଞ୍ଚରେ ସୁରେଶ, ଟଙ୍କଧର

ତେଜସ୍କର ମହାପାତ୍ର

ଝାରସୁଗୁଡ଼ା: ଜିଲ୍ଲା ବିଜେପି ରାଜନୀତିରେ ସାଂସଦ ସୁରେଶ ପୂଜାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ୨ଟି ଭିନ୍ନ ଭିନ୍ନ ଗୋଷ୍ଠୀ ଚାଲେ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ। ତେଣୁ ଯେଉଁଠି ସାଂସଦ ଶ୍ରୀ ପୂଜାରୀ ଉପସ୍ଥିତ ଥାନ୍ତି, ସେଠାରେ ବିଧାୟକ ପ୍ରାର୍ଥୀ ବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଶିଷ୍ୟ ବୋଲାଉଥିବା ଟଙ୍କଧର କିମ୍ବା ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳେନାହିଁ। ହେଲେ ରବିବାର ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ମୂରଲୀକ୍ରିଷ୍ଣା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମରେ ଉଭୟ ସାଂସଦ ଶ୍ରୀ ପୂଜାରୀ ଓ ଟଙ୍କଧର ତ୍ରିପାଠୀଙ୍କୁ ଗୋଟିଏ ମଞ୍ଚରେ ବସିଥିବା ଦେଖାଯାଇ ଥିଲା। ଯାହାକୁ ନେଇ ଜିଲ୍ଲା ବିଜେପି ପାଣିପାଗ ଏବେ ବଦଳୁଥିବା ନେଇ ଖୋଦ୍‌ ଦଳୀୟ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ସାଂସଦ ଶ୍ରୀ ପୂଜାରୀଙ୍କର ହୃଦ୍‌ରୋଗ ସମ୍ପର୍କିତ ଅସ୍ତ୍ରୋପଚାର ପରେ ସେ କୁଆଡ଼େ ଆଉ ଦିଲ୍ଲୀ ଆଡ଼କୁ ନ ମୁହାଁଇବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଦଳ ଏବେ ବିକଳ୍ପ ଖୋଜିଲାଣି। ବିକାଶ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ଡି. ମୂରଲୀକ୍ରିଷ୍ଣା ସାଂସଦ ଟିକେଟ ପାଇଁ ଇଚ୍ଛୁକ ଥିବା ମଧ୍ୟ ଜଣାପଡ଼ିଛି। ତେଣୁ ଡି. ମୂରଲୀକ୍ରିଷ୍ଣା ଏବେ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଜ ଫାଉଣ୍ଡେସନ ନାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରି ଉପସ୍ଥିତି ଜାହିର କରୁଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ ହେଉଛି, ମୂରଲୀକ୍ରିଷ୍ଣା ଫାଉଣ୍ଡେସନ ନାମରେ କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ଜିଲ୍ଲା ବିଜେପି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦାୟିତ୍ବରେ ରହିଛି ଓ ଦଳୀୟ ନେତାମାନେ ହିଁ ଏଠାରେ ଅତିଥି ହେଉଛନ୍ତି। ଯଦି ଶ୍ରୀ ପୂଜାରୀ ସାଂସଦ ପ୍ରାର୍ଥୀ ଭାବେ ନ ଲଢ଼ିବେ ତେବେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଆସନ ହିଁ ତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ରହିବ। କାରଣ ଗତ ସାଧାରଣ ନିର୍ବାଚନରେ ତାଙ୍କୁ ସର୍ବାଧିକ ୯୨ ହଜାର ୬୯୦ ଭୋଟ୍‌ ଏହିଠାରୁ ହିଁ ମିଳିଥିଲା। ଶ୍ରୀ ପୂଜାରୀ ପୂର୍ବରୁ ମଧ୍ୟ ଏହି ଆସନରୁ ୨୦୦୯ରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ସେତେବେଳେ କଂଗ୍ରେସ ୪୩.୪୬% ଭୋଟ୍‌ ସହ ବିଜୟୀ ହୋଇଥିବା ବେଳେ ଶ୍ରୀ ପୂଜାରୀ ୪୧.୯୬% ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ସୁରେଶ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ମନ ବଳାଇଥିବା ଦଳୀୟ ମହଲରେ ଚର୍ଚ୍ଚା। ସାଂସଦ ହେବାକୁ ଆଉ ଇଚ୍ଛୁକ ନ ଥିବାରୁ ଜିଲ୍ଲା ବିଜେପିରେ ରହି ଆସିଥିବା ସୁରେଶ ଓ ଧର୍ମେନ୍ଦ୍ର ଗୋଷ୍ଠୀ ବିବାଦର ମଧ୍ୟ ଅବସାନ ଘଟିଛି। ଅପରପକ୍ଷେ, ଶ୍ରୀ ପୂଜାରୀ ବିଧାୟକ ପ୍ରାର୍ଥୀ ଭାବରେ ଟିକେଟ ପାଇଲେ ୨୦୧୪ରୁ ବ୍ରଜରାଜନଗର ଆସନରୁ ଲଗାତାର ପ୍ରାର୍ଥୀ ହେଉଥିବା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ କିଭଳି ସାନ୍ତ୍ବନା ଦେବ ତାକୁ ନେଇ ମଧ୍ୟ ଅଙ୍କକଷା ଆରମ୍ଭ ହେଲାଣି। ଯଦିଓ ଅସୁସ୍ଥତା ଯୋଗୁଁ ବ୍ରଜରାଜନଗର ଉପ ନିର୍ବାଚନ ପରଠାରୁ ଶ୍ରୀମତୀ ପଣ୍ଡା ରାଜନୀତିରେ ଏତେଟା ସକ୍ରିୟ ନାହାନ୍ତି, ତଥାପି ଅଞ୍ଚଳରେ ତାଙ୍କର ମଧ୍ୟ ନିଜସ୍ବ ସଙ୍ଗଠନ ରହିଛି। ଏଭଳି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲା ବିଜେପିରେ କିଛି ବଡ଼ ଧରଣର ପରିବର୍ତ୍ତନ ବି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe