ଅଙ୍ଗନବାଡି ପିଲାଙ୍କୁ ନିଜ ହାତରେ ଜୋତା ପିନ୍ଧାଇଲେ ସୁନ୍ଦରଗଡ ଜିଲ୍ଲାପାଳ; ସବୁଦିନ ଜୋତା ପିନ୍ଧି ଆସିବାକୁ ପରାମର୍ଶ ଦେଲେ

Advertisment
ଅଙ୍ଗନବାଡି ପିଲାଙ୍କୁ ନିଜ ହାତରେ ଜୋତା ପିନ୍ଧାଇଲେ ସୁନ୍ଦରଗଡ ଜିଲ୍ଲାପାଳ; ସବୁଦିନ ଜୋତା ପିନ୍ଧି ଆସିବାକୁ ପରାମର୍ଶ ଦେଲେ

ସୁନ୍ଦରଗଡ : ଜିଲ୍ଲାପାଳମାନେ ନିଜ ଅଞ୍ଚଳର ସ୍କୁଲକୁ ଗସ୍ତ କରି ପିଲାଙ୍କ ସହ ମଧ୍ୟାହ୍ଣ ଭୋଜନ ଖାଇବା ଘଟଣା ଦେଖିବାକୁ ମିଳିଛି। ଏବେ ଏକ ନୂଆ କାମ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା। ଗୋଟିଏ ଅଙ୍ଗନାବାଡି ପରିଦର୍ଶନ କରି ସେ ସେଠାକାର ପିଲାଙ୍କୁ ନିଜ ହାତରେ ଚପଲ ପିନ୍ଧାଇଛନ୍ତି ।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ । ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଡୁଡୁକା ଅଙ୍ଗନୱାଡି କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ପିଲାଙ୍କ ବସିବା ପାଇଁ ବେଞ୍ଚ, ଡେସ୍କ ସହ ପାଠପଢା ସାମଗ୍ରୀ ବହି, ଖାତା, କଲମ ବଣ୍ଟନ କରିଥିଲେ । ଏହାସହ ମଧ୍ୟାହ୍ନ ଭୋଜନ ପାଇଁ ଥାଳି, ଗିନା ଇତ୍ୟାଦି ମଧ୍ୟ ପିଲାଙ୍କୁ ଦେଇଥିଲେ ଜିଲ୍ଲାପାଳ । ତେବେ ଏତିକି ବେଳେ କୁନି କୁନି ପିଲାମାନେ ଗୋଡରେ ଚପଲ ପିନ୍ଧି ନ ଥିବା ଜିଲ୍ଲାପାଳ ମୀନାଙ୍କ ନଜରକୁ ଆସିଥିଲା । ସେ ସଙ୍ଗେ ସଙ୍ଗେ ପାଖରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ପିଲାଙ୍କ ପାଇଁ ଚପଲ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଚପଲ ମଧ୍ୟ ସାଙ୍ଗେ ସାଙ୍ଗେ ଆସିଲା । ହେଲେ ଅଭ୍ୟାସ ନଥିବା ଯୋଗୁଁ ଅନେକ ପିଲା ଚପଲ ପିନ୍ଧି ପାରିନଥିଲେ । ଏକଥା ଦେଖି ଜିଲ୍ଲାପାଳ ନିଜ ହାତରେ ଅଙ୍ଗନୱାଡିର ଛୋଟ ଛୋଟ ପିଲାଙ୍କୁ ଚପଲ ପିନ୍ଧାଇ ଦେଇଥିଲେ । ଆଉ ସବୁଦିନ ଚପଲ ପିନ୍ଧିବାକୁ ମଧ୍ୟ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି । କିଛି ଦିନ ତଳେ ସ୍କୁଲ ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କରି ଚର୍ଚ୍ଚାକୁ ଆସିଥିଲେ ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା । ତେବେ କେବଳ ସୁନ୍ଦରଗଡ ଜିଲ୍ଲାପାଳ ନୁହେଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକେର ମଧ୍ୟ ନରଣପୁର ଉତ୍ତର ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇ ଚର୍ଚ୍ଚା ପରିସରକୁ ଆସିଥିଲେ । ଜିଲ୍ଲାପାଳମାନେ ଏପରି ଅଚାନକ ଗସ୍ତ କରୁଥିବାରୁ ସାରା ରାଜ୍ୟରେ ସମସ୍ତ ବିଦ୍ୟାଳୟଗୁଡିକରେ ଏବେ ସଚେତନତା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe