ଜିଲ୍ଲାପାଳ-ସଦସ୍ୟ ବାକ୍‌ଯୁଦ୍ଧ: ସମ୍ବଲପୁର ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ

Advertisment
ଜିଲ୍ଲାପାଳ-ସଦସ୍ୟ ବାକ୍‌ଯୁଦ୍ଧ: ସମ୍ବଲପୁର ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପରିଷଦ ବୈଠକରେ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ରେଙ୍ଗାଲିର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଦେନାରାୟଣ ତିୱାରୀଙ୍କ ମଧ୍ୟରେ ପ୍ରବଳ ବାକ୍‌ଯୁଦ୍ଧ ହୋଇଛି। ଜିଲ୍ଲାପାଳଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଶ୍ରୀ ତିୱାରୀ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ପ୍ରଚଳିତ ନିୟମ ଅନୁସାରେ ଆରମ୍ଭ ହୋଇଥିଲା। କ୍ରମ ଅନୁସାରେ ଗୋଟିଏପରେ ଗୋଟିଏ ଆଲୋଚନାର ପ୍ରସଙ୍ଗକୁ ଯିବାପାଇଁ କୁହାଯାଇଥିଲା। ତେବେ, ଆରମ୍ଭରୁ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟ ଦେନାରାୟଣ ତିୱାରୀ ଏହାକୁ ବିରୋଧ କରିଥିଲେ। ବୈଠକରେ ବହିଲେଖା ପଢ଼ି ସମୀକ୍ଷା କଲେ କିଛି ହେବନାହିଁ ବୋଲି କହିଥିଲେ। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି, ବରଂ ମନମୁଖି କାର୍ଯ୍ୟ କରୁଥିବା କହିଥିଲେ। ଏହାପରେ, ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଶ୍ରୀ ତିୱାରୀଙ୍କ ବନ୍ଦ ହୋଇନଥିଲା, ବରଂ ବିଜେଡିର ଅନ୍ୟ ‌କେତେକ ଜିଲ୍ଲା ପରିଷଦ ସଦସ୍ୟ ବି ତାଙ୍କ ସହ ସାମିଲ୍‌ ହୋଇଯାଇଥିଲେ। ଏଥିରେ ଜିଲ୍ଲାପାଳ କ୍ଷୁବ୍‌ଧ ହୋଇ ବୈଠକକୁ ଶ୍ରୀ ତିୱାରୀଙ୍କୁ ପରୋକ୍ଷରେ ବାହାରିଯିବାକୁ କହିଥିଲେ। ଜିଲ୍ଲାପାଳ କହିଥିଲେ, ‘ଜିଲ୍ଲା ପରିଷଦ ସଭାପତି ଯଦି କହୁଛନ୍ତି, ଏଜେଣ୍ଡା ହିସାବରେ ବୈଠକ ହେବ, ତାହେଲେ ବୈଠକ ହେବ। ଯଦି, ଜିଲ୍ଲା ପରିଷଦ ସଭାପତି ତଥା ଏହି ବୈଠକ ପ୍ରତି ଆପଣଙ୍କ ସମ୍ମାନ ନାହିଁ, ତା’ହେଲେ ଏହି ବୈଠକରେ ବସିବାର କୌଣସି ଅଧିକାର ନାହିଁ।’

ଏଭଳି କଥା ଶୁଣିବା ପରେ ଶ୍ରୀ ତିୱାରୀ ‘ଆମେ ଜନ ପ୍ରତିନିଧି, ଆମେ ଲୋକଙ୍କ କଥା ନିଶ୍ଚିତ କହିବୁ’ କହି ବୈଠକରୁ ଉଠି ଜିଲ୍ଲା ପରଷଦ ସମ୍ମିଳନୀ କକ୍ଷରୁ ବାହାରି ଆସିଥିଲେ। ପରେ ଅବଶ୍ୟ ଜିଲ୍ଲା ପରିଷଦର ସିଇଓ ଧର୍ମେନ୍ଦ୍ର ମଲ୍ଲିକ ଏବଂ ସଭା ଉପସ୍ଥିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରୀ ତିୱାରୀଙ୍କୁ ପୁଣି ଭିତରୁ ଡାକି ନେଇଥିଲେ। ଜିଲ୍ଲାପାଳ ବି ମଧ୍ୟ ‌ସେଠାରେ ତାଙ୍କୁ ବୁଝାସୁଝା କରିଥିଲେ। ବୈଠକରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ସୁଦର୍ଶନ ହରିପାଲ, ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରୀ ନାୟକ ମଂଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe