ସଶକ୍ତ ହେବ ଜିଲ୍ଲା ପରିଷଦ, ଡିଆର୍‌ଡିଏ ଉଚ୍ଛେଦ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ

ସଶକ୍ତ ହେବ ଜିଲ୍ଲା ପରିଷଦ, ଡିଆର୍‌ଡିଏ ଉଚ୍ଛେଦ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ

Daily Pioneer

ପ୍ରକଳ୍ପ ନିର୍ଦ୍ଦେଶକ ବଦଳରେ ମୁଖ୍ୟ ଉନ୍ନୟନ ଅଧିକାରୀ
ସୃଷ୍ଟି ହେବ ୧୫୦ ପ୍ରୋଗ୍ରାମ ମ୍ୟାନେଜର୍ ପଦବି

ଭୁବନେଶ୍ବର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍‌ଡିଏ)କୁ ଉଚ୍ଛେଦ କରିବା ପାଇଁ ଗତ ୧୮ ତାରିଖରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏହାକୁ ଜିଲ୍ଲା ପରିଷଦ ସହ ମିଶ୍ରଣ କରାଯିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ଆଜି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ଜାରି ହୋଇଛି ଓ ଖୁବ୍ ଶୀଘ୍ର ଏହା ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇବ। ସେହିଦିନ ଠାରୁ ବିଧିବଦ୍ଧ ଭାବେ ଡିଆର୍ଡିଏ ଉଚ୍ଛେଦ ହେବ। ଡିଆର୍ଡିଏ ମିଶ୍ରଣ ପରେ ଜିଲ୍ଲା ପରିଷଦର ରୂପରେଖ କିପରି ହେବ, ସେ ସଂକ୍ରାନ୍ତରେ ସଂକଳ୍ପରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ଏହି ଉଚ୍ଛେଦ ପରେ ଜିଲ୍ଲା ପରିଷଦ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ଜିଲ୍ଲାରେ ସମସ୍ତ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଓ ତଦାରଖ ଜିଲ୍ଲା ପରିଷଦ ଦ୍ବାରା ଫଳପ୍ରଦ ଭାବେ କରଯାଇପାରିବ ବୋଲି ସରକାରୀ ଭାବେ କୁହାଯାଇଛି।

ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ପଦବିକୁ ଜିଲ୍ଲା ପରିଷଦରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପଦବି ଭାବେ ନାମିତ କରାଯିବ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ନିର୍ବାହୀ ଅଧିକାରୀ ଓ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉପ ନିର୍ବାହୀ ଅଧିକାରୀ ଭାବେ ବିବେଚନା କରାଯିବ। ବର୍ତ୍ତମାନ ଡିଆର୍ଡିଏରେ କାମ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଜିଲ୍ଲା ପରିଷଦର କର୍ମଚାରୀ ହେବେ। ମିଶ୍ରଣ ଦିନ ଠାରୁ ଡିଆର୍ଡିଏର ସମସ୍ତ ପଦବି ଜିଲ୍ଲା ପରିଷଦରେ ସୃଷ୍ଟି କରାଯିବ। ବର୍ତ୍ତମାନ ଡିଆର୍ଡିଏରେ ଥିବା ୩୦ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ), ୩୦ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ(ଦକ୍ଷତା ବିକାଶ), ୩୦ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ(ଆବାସ), ୩୦ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ(ଜୀବିକା), ୩୦ ପ୍ରୋଗ୍ରାମ ଅଫିସର ପଦବିକୁ ଉଚ୍ଛେଦ କରାଯିବ। ତାହା ବଦଳରେ ୧୫୦ ପ୍ରୋଗ୍ରାମ ମ୍ୟାନେଜର୍ ପଦବି ସୃଷ୍ଟି କରାଯିବ। ସେମାନେ ରାଜ୍ୟ କ୍ୟାଡର୍‌ର କର୍ମଚାରୀ ହେବେ। ଜିଲ୍ଲା ପରିଷଦ ସହ ଡିଆର୍ଡିଏର ମିଶ୍ରଣ ହେବା ପରେ ଯେଉଁ ପ୍ରୋଗ୍ରାମ ମ୍ୟାନେଜର୍‌ ପଦବି ଖାଲି ରହିବ, ତାହା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଦ୍ବାରା ପୂରଣ ହେବ। ୭ଟି ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର୍(ଅର୍ଥ) ପଦବି ସୃଷ୍ଟି ହେବ। ୩୦ଟି ଜିଲ୍ଲା ପରିଷଦ ପାଇଁ ୩୦ଟି ବ୍ୟକ୍ତିଗତ ସହାୟକ ପଦବି ସୃଷ୍ଟି କରାଯିବ। ପ୍ରୋଗ୍ରାମ ମ୍ୟାନେଜର୍ ଓ ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର୍‌ଙ୍କ କ୍ଷେତ୍ରରେ ପଞ୍ଚାୟତିରାଜ ନିର୍ଦ୍ଦେଶକ ନିଯୁକ୍ତି କର୍ତ୍ତୃପକ୍ଷ ରହିବେ ଏବଂ ବିଭାଗର ସଚିବ ଆପିଲେଟ୍ ଅଥରିଟି ଭାବେ ବିବେଚିତ ହେବେ। ୩୦ଟି ଜିଲ୍ଲା ପରିଷଦରେ ମୋଟ୍ ଉପରେ ୧୧୧୫ଟି ପଦବି ରହିବ।

ଡିଆର୍‌ର୍ଡିଏକୁ ଡେପୁଟେସନ୍‌ରେ ଯାଇଥିବା କର୍ମଚାରୀମାନେ ଜିଲ୍ଲା ପରିଷଦକୁ ଡେପୁଟେସନ୍‌ରେ ଯିବେ। ବର୍ତ୍ତମାନ ଡିଆର୍‌ର୍ଡିଏରେ ଦୈନିକ ମଜୁରୀ ଓ ଠିକା ଭିତ୍ତିରେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କୁ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଜିଲ୍ଲା ପରିଷଦରେ ନିୟୋଜିତ କରାଯାଇପାରିବେ। ତେବେ ସେମାନେ ନିୟମିତ କର୍ମଚାରୀର ମାନ୍ୟତା ପାଇବେ ନାହିଁ। ଜିଲ୍ଲା ପରିଷଦର ଗ୍ରାଣ୍ଟ୍-ଇନ୍-ଏଡ୍(ଦରମା)ରୁ ସେମାନଙ୍କ ଦରମା ଦିଆଯିବ। ଜିଲ୍ଲା ପରିଷଦରେ ଖାଲି ହେବାକୁ ଥିବା ପଦବିରେ ସରକାରଙ୍କ ବିନା ମଞ୍ଜୁରୀରେ ପରିଷଦ ପକ୍ଷରୁ ସିଧାସଳଖ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe