ପୁରୀ: ସହର ସ୍ମାର୍ଟ ହେଉଛି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକୁ ଶଯ୍ୟା ମିଳୁନାହିଁ। ରୋଗୀ ଉପରେ କଳଙ୍କି ଲଗା ସାଲାଇନ୍ ଷ୍ଟାଣ୍ଡ ଝୁଲୁଛି। ଭେଷଜ ପୁରୁଷ ୱାର୍ଡରେ ଛାତରୁ ପଲସ୍ତରା ଖସୁଛି। ଗରିବଙ୍କଠୁ ନେଇ ନିମ୍ନ ମଧ୍ୟବିତ୍ତଙ୍କ ଯାଏ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରନ୍ତି। ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବରୁ ରୋଗୀଙ୍କୁ ଚଟାଣରେ ଶୋଇ ଚିକିତ୍ସିତ ହେବାକୁ ପଡ଼ୁଛି। ସରକାର ସ୍ବାସ୍ଥ୍ୟ ବଜେଟ୍ ବେଳେ ବ୍ୟୟବରାଦରେ ଆଖି ଖୋସିଦେବା ତଥ୍ୟ ରଖୁଛନ୍ତି। ଭିତ୍ତିଭୂମି ସଜାଡ଼ିବା ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରୁଥିବା କହୁଛନ୍ତି। ହେଲେ ଶଯ୍ୟା ବଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ହୋଇପାରୁନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳୁଛି।
ପୁରୁଷ ଭେଷଜ ୱାର୍ଡରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଶଯ୍ୟା ତଳେ ଜାକିଜୁକି ହୋଇ ଶୋଇ ଚିକିତ୍ସିତ ହେଉଛନ୍ତି। ୬ ତାଲାରେ ଥିବା ଶିଶୁ ବିଭାଗରେ ମଧ୍ୟ କୋମଳମତି ରୋଗଗ୍ରସ୍ତ ଶିଶୁମାନଙ୍କୁ ଚଟାଣରେ କେବଳ ବେଡ୍ସିଟ୍ ଉପରେ ଚିକିତ୍ସିତ ହେବାକୁ ପଡ଼ୁଛି। ପୁରୀ ଜିଲ୍ଲାର ଜନସଂଖ୍ୟା ପାଖାପାଖି ୧୭ଲକ୍ଷ ଓ ସହରର ଜନସଂଖ୍ୟା ୨ଲକ୍ଷରୁ ଅଧିକ। ତେବେ ଦୁଇ-ତିନିଟି ବଡ଼ ଘରୋଇ ଡାକ୍ତରଖାନାକୁ ବାଦ୍ ଦେଲେ ସାଧାରଣ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। କିନ୍ତୁ ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୨୭୦ରେ ସୀମିତ। ଏହାବ୍ୟତୀତ କିଛି ବର୍ଷ ତଳେ ଶିଶୁ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୦୦ ଶଯ୍ୟା ବୃଦ୍ଧି ହୋଇଛି। କିନ୍ତୁ ମୋଟ୍ ଶଯ୍ୟା ସଂଖ୍ୟା ୪ଶହକୁ ଅତିକ୍ରମ କରିପାରିନାହିଁ। ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟରୁ ଆସୁଥିବା ଶହଶହ ରୋଗୀ ଶଯ୍ୟା ଓ ଭିତ୍ତିଭୂମି ଅଭାବରୁ ଲୋକେ ଦହଗଞ୍ଜ ହେଉଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡା. ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି ଶଯ୍ୟା ଅଛି, ତା’ଠାରୁ ୫ ଗୁଣ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ରୋଗୀର ସ୍ଥିତି ସେତିକି ଜଟିଳ ହେଲେ ହିଁ କେବଳ ତାଙ୍କୁ ଶଯ୍ୟା ଉପଲବ୍ଧ ହୋଇପାରୁଛି। ଯେଉଁ ରୋଗୀମାନେ ଡାକ୍ତରଖାନାରେ ନ ରହି ବି ଚିକିତ୍ସା ଦ୍ବାରା ଭଲ ହେବାର ସମ୍ଭାବନା ଥାଏ, ସେମାନଙ୍କୁ ଶଯ୍ୟା ଅଭାବରୁ ଫେରାଇ ଦିଆଯାଉଛି ବୋଲି ଡା. ଦାଶ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଧିକାଂଶ ରୋଗୀଙ୍କୁ ସ୍ବାସ୍ଥ୍ୟ ସମସ୍ୟାରେ ସମ୍ପୂର୍ଣ୍ଣ ସୁଧାର ନଆସିବା ପୂର୍ବରୁ ଶଯ୍ୟା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଯେଉଁ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ରହିବାର ଆବଶ୍ୟକତା ଥାଏ ଓ ସେତେବେ ଶଯ୍ୟା ଫାଙ୍କା ନଥାଏ ସେ କ୍ଷେତ୍ରରେ ତାଙ୍କୁ ପ୍ରଥମେ ଚଟାଣରେ ବେଡ୍ସିଟ୍ ପାରି ଶୁଆଇ ଦିଆଯାଉଛି। ପରେ ଶଯ୍ୟାରେ ଥିବା କିଛି ରୋଗୀ ଡିସ୍ଚାର୍ଜ ହେବା ପରେ ସେମାନଙ୍କୁ ସ୍ଥାନ ମିଳୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଡାକ୍ତର ପଦବି ଖାଲି ପଡ଼ିଛି। ସେବିକାଙ୍କ ସଂଖ୍ୟା ସୀମିତ ଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ତେଣୁ ଅଧିକାଂଶ ସମୟରେ ରୋଗୀର ସ୍ବାସ୍ଥ୍ୟାବସ୍ଥା ଟିକେ ଗୁରୁତର ହେଲେ ଡାକ୍ତର ତାଙ୍କୁ କଟକ ଏସ୍ସିବିକୁ ରେଫର୍ କରିଦେଉଛନ୍ତି। ବେଳେବେଳେ ବହୁ ଆଶା ଭରସା ନେଇ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଥିଲେ ହେଁ ଭିତ୍ତିଭୂମି ଅଭାବରୁ ଦହଗଞ୍ଜ ହେଉଛନ୍ତି। ଏଡିଏମଓ ଡା. ଦାଶଙ୍କ କହିବା କଥା ହେଲା, ୯୮.୩୮ କୋଟି ଟଙ୍କାରେ ୨୪ ହଜାର ବର୍ଗମିଟର ଅଞ୍ଚଳରେ ୩ଶହ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲ କୋଠା ନିର୍ମିତ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ଦୁଇ ବର୍ଷ ଲାଗିବ। ସେତେଦିନ ପର୍ଯ୍ୟନ୍ତ ଏ ଅବ୍ୟବସ୍ଥା ଲାଗି ରହବ।
Follow Us