ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ହେଉନି ବାୟୋମେଟ୍ରିକ ବ୍ୟବସ୍ଥା, ହଇରାଣ ହେଉଛନ୍ତି ରୋଗୀ

ଚିଠି କରି ନିରବ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ହେଉନି ବାୟୋମେଟ୍ରିକ ବ୍ୟବସ୍ଥା, ହଇରାଣ ହେଉଛନ୍ତି ରୋଗୀ

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ ମେସିନ୍‌ ଲାଗିବ। ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ୨ ମାସର ଅନୁଧ୍ୟାନ ପରେ ଏହି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନି। ଫଳରେ ପୂର୍ବଭଳି ଅଧିକାରୀମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି। ମନଇଚ୍ଛା କାର୍ଯ୍ୟାଳୟରୁ ପଳାଉଛନ୍ତି। ପରିଣାମ ସ୍ବରୂପ ସ୍ବାସ୍ଥ୍ୟସେବା ପରି ଜରୁରୀକାଳୀନ ସେବାରୁ ରୋଗୀମାନେ ବଞ୍ଚିତ ହେଉଛନ୍ତି।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ସ୍ବାସ୍ଥ୍ୟସେବା ପାଇଁ ଜିଲ୍ଲାର ପ୍ରାୟ ୨ଲକ୍ଷ ଲୋକ ନିର୍ଭରଶୀଳ। ପ୍ରତିଦିନ ରୋଗୀ ଦେଖାଇବାକୁ ଏଠାରେ ଭିଡ଼ ରହୁଛି। କିନ୍ତୁ ଜିଲ୍ଲା ଚିକିତ୍ସାଳୟର କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ ଓ ଡାକ୍ତରମାନେ ଠିକ୍‌ ସମୟରେ ଆସୁନଥିବାରୁ ରୋଗୀମାନେ କଲବଲ ହେଉଛନ୍ତି। ସାମାଜିକ କର୍ମୀ ଦିଲୀପ କୁମାର ବରାଳ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀମାନେ ନିଜ ଇଚ୍ଛାରେ ଆସୁଛନ୍ତି ଓ ନିଜ ଇଚ୍ଛାରେ ପଳାଉଛନ୍ତି। ସରକାରୀ ନିୟମକୁ କେହି ମାନୁନାହାନ୍ତି। କେଉଁ କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ ଓ ଡାକ୍ତର କେଉଁ ସମୟରେ ଆସୁଛନ୍ତି ଓ କେତେବେଳେ ଫେରୁଛନ୍ତି, ତାର ଅନୁଧ୍ୟାନ କରାଯାଉ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ୍‌ ମେସିନ୍‌ ବି ଲଗାଇବାକୁ ସେ ଅନୁରୋଧ କରିଥିଲେ।

ପ୍ରଥମ ଆପିଲିଏଟ୍‌ କର୍ତ୍ତୃପକ୍ଷ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗତ ଜୁଲାଇ ୬ ତାରିଖରେ ଏହି ଅଭିଯୋଗ(ଅପିଲ୍‌ ନଂ-୩୧)ର ଶୁଣାଣି କରି କହିଥିଲେ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀ ନିୟମିତ ଓ ସମୟ ଅନୁସାରେ ଆସୁଛନ୍ତି କି ନାହିଁ, ଦୁଇ ମାସ ଧରି ତାର ଅନୁଧ୍ୟାନ କରାଯାଇଥିଲା। ଅନୁଧ୍ୟାନ ପରେ ବାୟୋମେଟ୍ରିକ ଉପସ୍ଥାନର ଆବଶ୍ୟକତା ରହିଥିବା ଜଣାପଡ଼ିଛି। ଏଣୁ ଆବଶ୍ୟକତା ଅନୁଯାୟୀ ବାୟୋମେଟ୍ରିକ ଆଟେଣ୍ଡାନ୍ସ ମେସିନ୍‌ ଲଗାଯିବ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟର କୌଣସି ସ୍ଥାନରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ମେସିନ୍‌ ଲାଗି ନ ଥିବାରୁ ପୂର୍ବଭଳି ଅଧିକାରୀ ଓ କର୍ମଚାରୀମାନେ ଦପ୍ତରକୁ ବିଳମ୍ବରେ ଆସୁଛନ୍ତି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ସୁଜାତା ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଖୁବ୍‌ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe