ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା

‘ରାଷ୍ଟ୍ରର ବିକାଶରେ ଦୁର୍ନୀତି  ବଡ଼ ପ୍ରତିବନ୍ଧକ’

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା

ସୁନ୍ଦରଗଡ଼: ରାଷ୍ଟ୍ରର ବିକାଶ ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ତେବେ ଏହାକୁ ରୋକିବା ପାଇଁ ଆମ ଦେଶରେ ବିଭିନ୍ନ ଆଇନ ରହିଛି। ସାଧାରଣ ଲୋକେ  ପ୍ରଥମେ ଏହି ସବୁ ଆଇନ ବିଷୟରେ ଭଲ ଭାବେ ଜାଣିବା ଦରକାର। ତା’ଛଡ଼ା ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଆଗକୁ ଆସି ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ’। ବୁଧବାର ସୁନ୍ଦରଗଡ଼ ବିକାଶ ଭବନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଏସପି ସାଗରିକା ନାଥ  ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ଶୀର୍ଷକ ଆଲୋଚନାରେ ଭାଗ ନେଇ ଏହି ଆହ୍ବାନ ଦେଇଥିଲେ।

ଓଡ଼ିଶା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଦୁର୍ନୀତି ନିବାରଣ ପାଇଁ ରହିଥିବା ବିଭିନ୍ନ ନିୟମ ସମ୍ପର୍କରେ ତୃଣମୂଳ ସ୍ତରର ଜନସାଧାରଣ କିପରି ସଚେତନ ହେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

publive-image

ସଭା ପୂର୍ବରୁ  ଦୁର୍ନୀତି ନିବାରଣ ସମ୍ପର୍କିତ  ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।  ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ  ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe