ଏକାଦଶ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ବୈଠକ

ଜିଲ୍ଲା ସାରା ଜାନୁଆରିରୁ ସର୍ଭେ

ଏକାଦଶ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ବୈଠକ

ସୋନପୁର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏକାଦଶ କୃଷି ଗଣନା ୨୦୨୧-୨୨ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରଥମ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଳା କୃଷି ଗଣନା ଅଧିକାରୀ ଅବୋଲି ସୁନୀଲ ନରୱଣେଙ୍କ ପରାମର୍ଶକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଗଣନାର ଆଭିମୁଖ୍ୟ ସହିତ ଚଳିତ ବର୍ଷ ପାଇଁ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀ ସମ୍ୱନ୍ଧରେ ଆଲୋଚନା କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଧାର୍ଯ୍ୟ କରାଯାଇଥିବା ସମୟ ଅନୁଯାୟୀ ଚଳିତ ଡିସେମ୍ବର ମଧ୍ୟରେ ସର୍ଭେ ପାଇଁ ଆବଶ୍ୟକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତି ସହ ତାଲିମ ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ, ଜାନୁଆରିରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଓ ସୁପରିଚାଳନା ନିମନ୍ତେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷି ବିଭାଗର କର୍ମଚାରୀ ଏବଂ ରାଜସ୍ବ ବିଭାଗର କ୍ଷେତ୍ର ଅଧିକାରୀ ସାମିଲ ରହିବେ। ଜିଲ୍ଲାର ସମସ୍ତ ୯୮୮ ଗ୍ରାମରେ ଏହି ସର୍ଭେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ୯୨ ଜଣ କର୍ମଚାରୀ ନିୟୋଜିତ ରହିବେ। ଉଦାହରଣ ଭାବେ ୨୦ ପ୍ରତିଶତ ଗ୍ରାମକୁ ସର୍ଭେ କରାଯାଇ ୧୦ମ କୃଷି ଗଣନା କରାଯାଇଥିବା ବେଳେ ଚଳିତ ଏକାଦଶ କୃଷି ଗଣନାରେ ଜିଲ୍ଲାର ଶତ ପ୍ରତିଶତ ଗ୍ରାମକୁ ଡିଜିଟାଲ ଭାବେ ମୋବାଇଲ ଆପ୍‌ ଜରିଆରେ ସମସ୍ତ ସର୍ଭେ କରାଯାଇ ୩ଟି ପର୍ଯ୍ୟାୟରେ ଡାଟାବେସ ପ୍ରସ୍ତୁତି କରାଯିବ। ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କୃଷି ଯନ୍ତ୍ରପାତି ଉପଯୋଗ ତଥା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବ୍ୟବହାର, ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ।

ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡକୁ ଏଥି ପାଇଁ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟର ପରିଚାଳନା ଓ ଅଗ୍ରଗତି ବିଭାଗ ୱେବ୍‌ ପୋର୍ଟାଲରେ ମଧ୍ୟ ଅପଲୋଡ୍‌ କରାଯିବ। ବୈଠକ ଜିଲ୍ଳା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦେଶକ ଚତୁର୍ଭୁଜ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ସଦସ୍ୟ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଗୌରୀଶଙ୍କର ସିଂହ, ଏସ୍‌ଡିଭିଓ ଡା. ଅଶେଷ କର, ସୋନପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ହୃଷୀକେଶ ଦାଶ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ ଭୋଇ, ଡିଆଇଓ ବିକାଶ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe