ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ: ‘ରାଜ୍ୟର ଶିକ୍ଷାକୁ ବିଶ୍ୱସ୍ତରୀୟ କରିବାକୁ ସମସ୍ତଙ୍କର ପ୍ରୟାସ ଜାରି ରହୁ’

ଏଣିକି ସ୍କୁଲର ଆଶାନୁରୂପ ଫଳାଫଳ ନ ହେଲେ ଶିକ୍ଷକଶିକ୍ଷୟିତ୍ରୀ ଉତ୍ତରଦାୟୀ

ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ: ‘ରାଜ୍ୟର ଶିକ୍ଷାକୁ ବିଶ୍ୱସ୍ତରୀୟ କରିବାକୁ ସମସ୍ତଙ୍କର ପ୍ରୟାସ ଜାରି ରହୁ’

ବାଲେଶ୍ବର :  ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେଉଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାର ମାନକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ନିରନ୍ତର ଉଦ୍ୟମ କରିବା ଉଚିତ। ବାଲେଶ୍ବର ହେଉଛି ‘ଫକୀରମୋହନଙ୍କ ମାଟି ଏବଂ ଶିକ୍ଷା କ୍ଷେତ୍ରରେ ଏହି ଜିଲ୍ଲା ଆଗୁଆ। ସମଗ୍ର ରାଜ୍ୟ ଓ ଦେଶରେ ଏହା ଅନ୍ୟମାନଙ୍କ ପାଇଁ ଆଲୋକବର୍ତିକା ହେଉ। ୫-ଟି ଉପକ୍ରମରେ ରାଜ୍ୟର ସ୍କୁଲଗୁଡ଼ିକର ରୂପାନ୍ତରୀକରଣ ଚାଲିଥିବା ବେଳେ ଏହି ସ୍କୁଲ ବେସରକାରୀ ସ୍କୁଲଠାରୁ ମଧ୍ୟ ଉନ୍ନତ ହୋଇପାରିଛି। ଓଡ଼ିଶାକୁ ସମଗ୍ର ଦେଶରେ ଏକ ଅଗ୍ରଗାମୀ ରାଜ୍ୟର ମାନ୍ୟତା ଦେବାକୁ ହେଲେ ଆମ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥାକୁ ମଜ୍‌ବୁତ କରି ମାନବସମ୍ବଳର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଆମ ଜୀବନରେ ଆମେ ଯେଉଁ ସଫଳତାର ଅଧିକାରୀ ହୋଇଛୁ ସେଥିପାଇଁ ଜଣେ ଶିକ୍ଷକର ଭୂମିକା ଓ ମାର୍ଗଦର୍ଶନକୁ ଆମେ କେବେ ବି ଅସ୍ବୀକାର କରିପାରିବା ନାହିଁ। ତେଣୁ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏହାର ମାନ ବଢ଼ାଇବାକୁ ଏକ ଆହ୍ବାନ ଭାବେ ଆମକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ବାଲେଶ୍ବର ଗାନ୍ଧୀସ୍ମୃତି ଭବନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।

ସମ୍ମିଳନୀକୁ ମନ୍ତ୍ରୀ ଶ୍ରୀ ଦାଶ ଉଦ୍‌ଘାଟନ କରିବା ସହିତ ସ୍କୁଲର ପରୀକ୍ଷା ଫଳାଫଳ ଏବଂ ଅଧ୍ୟୟନ ଓ ଶିକ୍ଷାଗ୍ରହଣ କ୍ଷେତ୍ରରେ ପିଲାର ଉପଯୁକ୍ତ ବିକାଶ ପାଇଁ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ତରଦାୟୀ ରହିବେ ବୋଲି କହିଥିଲେ। ଆଶାନୁରୂପ ଫଳାଫଳ ନ ହେଲେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ। ମୋ ସ୍କୁଲ ଅଭିଯାନରେ ବାଲେଶ୍ବର ଜିଲ୍ଲାର ପ୍ରଦର୍ଶନକୁ ସେ ପ୍ରଶଂସା କରିବା ସହିତ କୋଭିଡ୍‌ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟାହତ ହୋଇଥିବାରୁ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରରେ ୪ ଜଣ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ସମ୍ମିଳନୀରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ସ୍ବରୂପ କୁମାର ଦାସ, ନୀଳଗିରି ବିଧାୟକ ଇଂ.ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାରେ ୫-ଟିରେ ସାମିଲ ହୋଇଥିବା ସ୍କୁଲ ଗୁଡ଼ିକରେ ଶିକ୍ଷକ ପଦବି ପୂରଣ କରିବାକୁ ଅତିଥି ମାନେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମ୍ମିଳନୀ ଉଦ୍‌ଘାଟନ ଅବସରରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ବେଦପାଠ, ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ମନ୍ତ୍ରୀ ଓ ବିଧାୟକମାନଙ୍କ ସମେତ ସମସ୍ତ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ସମ୍ବିତ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟରତ ୩ ଜଣ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ, ୧୨ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୋ ସ୍କୁଲ ଜିଲ୍ଲା ସଂଯୋଜକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ, ପ୍ରାୟ ୨୮୦ଟି ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe