ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ଆର୍‌ଡିସିଙ୍କ ଗସ୍ତ, ଭିତ୍ତିଭୂମି ସମୀକ୍ଷା

Advertisment
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ଆର୍‌ଡିସିଙ୍କ ଗସ୍ତ, ଭିତ୍ତିଭୂମି ସମୀକ୍ଷା

ବରଗଡ଼/ପଦ୍ମପୁର: ଚଳିତ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ବେଳେ ଘୋଷଣା କରିଥିଲେ। ଏହି ଘୋଷଣାକୁ ଏକ ବର୍ଷ ଦୁଇ ଦିନ ବିତିଛି। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ କରିବା ସକାଶେ ସରକାରୀ ସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ଲାଗି ରହିଛି। ଏଭଳି ସ୍ଥିତିରେ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ଭୋଟ୍‌ ବର୍ଜନ ଚେତାବନୀ ଦେଇଛି। ତେବେ ସୋମବାର ପଦ୍ମପୁରଠାରେ ନୂତନ ଜିଲ୍ଲାପାଳ ଅଫିସ୍‌ର ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କରାଯିବାକୁ ନେଇ ଅଡ଼ୁଆ ସ୍ଥିତି ଦେଖାଦେଇଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିସନର ଡ. ସୁରେଶଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ କମିଟି କ୍ଷେତ୍ର ପରିଦର୍ଶନ କରିଛି।

ଚିରୋଲି, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ଗାଁରେ ଏହି ପ୍ରକ୍ରିୟା ଚାଲିଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ କୋଠାବାଡ଼ି ନିର୍ମାଣ ପାଇଁ କେତେ ଭିତ୍ତିଭୂମି ଜରୁରି ତାହା କମିଟି ସମୀକ୍ଷା କରିଥିଲା। ଏହି ୧୧ ଜଣିଆ କମିଟିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ସମେତ ବିଭିନ୍ନ ବିଭାଗଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଏହି କମିଟି ବିସ୍ତୁତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, କମିଟିର ଏହି ଗସ୍ତକୁ ଲୋକ ଦେଖାଣିଆ ବୋଲି ବିଜେପି କହିଛି। ଦଳର ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରଥମେ ରାଜ୍ୟ ସରକାର ଜିଲ୍ଲା ଘୋଷଣା କରନ୍ତୁ ଓ ପରେ ଜିଲ୍ଲାପାଳଙ୍କ ଦପ୍ତର ପାଇଁ ସ୍ଥାନ ଚିହ୍ନଟ କରନ୍ତୁ। ଆଜି ତଥାକଥିତ କମିଟିର ଗସ୍ତ ଓ ପ୍ରକ୍ରିୟା ‘ନଈ ନ ଦେଖୁଣୁ ଲଙ୍ଗଳା ସଦୃଶ’। ରାଜ୍ୟ ସରକାର ପ୍ରଥମେ ବିଜ୍ଞପ୍ତି ଜାରି କରି ପଦ୍ମପୁରକୁ ବିଧିବଦ୍ଧ ଭାବେ ଜିଲ୍ଲା ଘୋଷଣା କରନ୍ତୁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଉଦ୍ୟମ କରିବା ମହଙ୍ଗା ପଡ଼ିବ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ, ବିଜେଡି ଜିଲ୍ଲା ସଭାପତି wପତଥା ପୂର୍ବwତନ ସାଂସଦ ଡ. ପ୍ରଭାସ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ସମୟରେ ଯାହା ଘୋଷଣା କରିଥିଲେ ତାହା ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି। ଜିଲ୍ଲା ଗଠନ ପ୍ରକ୍ରିୟା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe