ଜିଲ୍ଲା କ୍ରୀଡ଼ା ସଂଘ ବିବାଦ ଘନେଇଲା: ପୂର୍ବତନ ସମ୍ପାଦକଙ୍କ ନାଁ’ରେ ଏତଲା ଦେଲେ ବର୍ତ୍ତମାନର ସମ୍ପାଦକ

Advertisment
ଜିଲ୍ଲା କ୍ରୀଡ଼ା ସଂଘ ବିବାଦ ଘନେଇଲା: ପୂର୍ବତନ ସମ୍ପାଦକଙ୍କ ନାଁ’ରେ ଏତଲା ଦେଲେ ବର୍ତ୍ତମାନର ସମ୍ପାଦକ

Sambad English

ବାରିପଦା: ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ‌ରେ ପୁଣି ବିବାଦ ଘନେଇଛି। ସଂଘର ସମ୍ପାଦକ ନିର୍ବାଚନକୁ ନେଇ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଆଜି ପୂର୍ବତନ ସମ୍ପାଦକ କିଶୋର କୁମାର ବିଶ୍ବାଳଙ୍କ ନାଁ’ରେ ବାରିପଦା ଟାଉନ୍‌ ଥାନାରେ ଦୁର୍ନୀତି ଅଭିଯୋଗ କରିଛନ୍ତି ବର୍ତ୍ତମାନର ସମ୍ପାଦକ ବିଜୟ କୁମାର ଦାସ। ୨୦୧୮ ମସିହା ନଭେମ୍ବର ୧୧ରୁ ୨୦୨୧ ମସିହା ଡିସେମ୍ବର ୩ ତାରିଖ ମଧ୍ୟରେ ବିନା ରିଜୋଲ୍ୟୁସନରେ ଅନଲାଇନ୍ ମାଧ୍ୟମରେ ପୂର୍ବତନ ସମ୍ପାଦକ ଶ୍ରୀ ବିଶ୍ବାଳ ମନଇଛା ୨୩ ଲକ୍ଷ ୩ ହଜାର ୫୫୬ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ନାଁରେ ବ୍ୟାଙ୍କରେ ଯୁଗ୍ମ ଆକାଉଣ୍ଟ ରହିଛି। ଶ୍ରୀ ବିଶ୍ବାଳ ସମ୍ପାଦକ ଥିବା ବେଳେ ବର୍ତ୍ତମାନର ସମ୍ପାଦକ ଶ୍ରୀ ଦାସ ସେ ସମୟରେ କୋଷାଧ୍ୟକ୍ଷ ଥିଲେ। ତେବେ କୌଣସି କାରଣବଶତଃ ଶ୍ରୀ ଦାସ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ସମୟରେ ଶ୍ରୀ ବିଶ୍ବାଳ ମନଇଛା ବିଭିନ୍ନ ଲୋକଙ୍କ ଖାତାକୁ ଟଙ୍କା ପଠାଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ୨୦୨୧ କ୍ରୀଡ଼ା ସଂଘର ସାଧାରଣ ପରିଷଦ ବୈଠକରେ ଶ୍ରୀ ବିଶ୍ବାଳଙ୍କ ନାଁ’ରେ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହା ପୂର୍ବରୁ ତାଙ୍କୁ ବହୁବାର ନୋଟିସ୍ କରାଯାଇଥିଲା। ସେ କୌଣସି ନୋଟିସ୍‌ର ଜବାବ ନ ଦେବାରୁ ଶେଷରେ ଅଭିଯୋଗ କରିବାକୁ ବାଧ୍ୟ ହେଲୁ ବୋଲି ଶ୍ରୀ ଦାସ କହିଛନ୍ତି।

ତେବେ ଏହିଭଳି ଅଭିଯୋଗକୁ ଶ୍ରୀ ବିଶ୍ବାଳ ଭିତ୍ତିହୀନ ବୋଲି କରିଛନ୍ତି। ସେ ସମ୍ପାଦକ ଥିବା ବେଳେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ହୋଇଛି। ଏଥି ନିମନ୍ତେ ଅନଲାଇନ ମାଧ୍ୟମରେ ଟଙ୍କା ଉଠାଇବାକୁ ତତ୍କାଳୀନ ଜିଲ୍ଲାପାଳ ବି ନିର୍ଦ୍ଦେଶ ଦେଇଥିଲେ। ତା‌ଙ୍କ ନିର୍ଦ୍ଦେଶ ବଳରେ ସେ ଟଙ୍କା ଉଠାଇବା ଓ ଖର୍ଚ୍ଚ କରିଥିବା ଶ୍ରୀ ବିଶ୍ବାଳ କହିଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe