ବାଙ୍କୁଆଳ ୬ ଓ ୭ ନମ୍ବର ବୁଥ୍‌ରେ ଅସନ୍ତୋଷ: ରାଜଧାନୀରେ ପଲିଥିନ୍‌ ଛପର ବୁଥ୍‌

ବାଙ୍କୁଆଳ ୬ ଓ ୭ ନମ୍ବର ବୁଥ୍‌ରେ ଅସନ୍ତୋଷ: ରାଜଧାନୀରେ ପଲିଥିନ୍‌ ଛପର ବୁଥ୍‌

ଧଉଳି: ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟ‌ାୟ ମତଦାନ ବେ‌ଳେ ରାଜଧାନୀ ଉପକଣ୍ଠରେ ବହୁ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିଲା। କେଉଁଠି ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ୍‌ ଚେୟାର୍ ବ୍ୟବସ୍ଥା ନଥିବାରୁ ସେମାନଙ୍କୁ ବୁଥ୍‌ ଭିତରକୁ ‌ଟେକି ଟେକି ନେବାକୁ ପଡ଼ିଥିଲା। କିଛି ସ୍ଥାନରେ ବୁଥ୍‌ ପାଇଁ ଘର ନ ମିଳିବାରୁ ପ୍ରଶାସନ ପଲିଥିନ୍‌ଘେରା ଅସ୍ଥା‌ୟୀ ବୁଥ୍‌ କରିଥିଲା।

ଆଜି ରାଜଧାନୀରେ ଏଭଳି ବିରଳ ଦୃଶ୍ୟ ଦେଖାଯିବା ପ୍ରଥମ ଥିଲା ବୋଲି ଚର୍ଚ୍ଚା ହେଉଛି। ସେହିଭଳି କିଛି କିଛି ସ୍ଥାନରେ ଭୋଟର ସଂଖ୍ୟା ବଢ଼ିଯାଇଥିବାରୁ ଭୋଟରମାନେ ଲମ୍ବା ଧାଡ଼ିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲେ। ଭୁବନେଶ୍ବର ବ୍ଲକ ବାଙ୍କୁଆଳ ପଞ୍ଚାୟତର ୨ଟି ବୁଥ୍‌ରେ ବିଭିନ୍ନ ଅବ୍ୟବସ୍ଥାକୁ ‌ନେଇ ଭୋଟର୍‌ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅନ୍ତର୍ଯ୍ୟାମୀ ହାଇସ୍କୁଲରେ ହୋଇଥିବା ୬ ଓ ୭ ନମ୍ବର ବୁଥ୍‌ରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଭୋଟର୍‌ଙ୍କ ସଂଖ୍ୟା ଅଧିକ ଥିବା ବେଳେ ମତଦାନ ବିଳମ୍ବ ହେବାରୁ ବରିଷ୍ଠ ନାଗରିକମାନଙ୍କୁ ଲମ୍ବା ଧା‌ଡ଼ିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା ଓ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏହି ଦୁଇ ବୁଥ୍‌ରେ ପ୍ରାୟ ୧୨ଶହରୁ ଅଧିକ ଭୋଟର୍‌ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଅନେକ ନୂଆ ଭୋଟର୍‌ ଯୋଡ଼ି ହୋଇଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ନୂଆ ଭୋଟର୍‌ଙ୍କୁ ବାଣ୍ଟି କରି ପଞ୍ଚାୟତର ଅନ୍ୟାନ୍ୟ ୱାର୍ଡରେ ସାମିଲ୍‌ କରାଯାଇଥିଲେ, ଏହି ଦୁଇ ବୁଥ୍‌ରେ ଭିଡ଼ ହୋଇନଥାଆନ୍ତା। ଭୋଟର୍‌ ସଂଖ୍ୟା ଅଧିକ ହୋଇଥିବାରୁ ବରିଷ୍ଠ ନାଗରିକମାନେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇ ହନ୍ତସନ୍ତ ହୋଇଥିଲେ। ଏମିତିକି ବହୁ ବୟସ୍କ ମହିଳା ଓ ପୁରୁଷ ଅଧିକ ସମୟ ଠିଆ ହୋଇନପାରି ଧାଡ଼ିରେ ବସିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଦିବ୍ୟାଙ୍ଗ ଭୋଟର୍‌ମାନେ ଏହି କାରଣରୁ ବେଶି କଲବଲ ହୋଇଥିଲେ। ଏଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ୍‌ ଚେୟାର ବ୍ୟବସ୍ଥା ନଥିଲା।

ବୁଥ୍‌ ଭିତରକୁ ଟେକା ହୋଇଗଲେ ଭୋଟର

ଲିଙ୍ଗିପୁର ପଞ୍ଚାୟତ ନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର୍‌ଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେଠାରେ ହୁଇଲ୍‌ ଚେୟାର ବ୍ୟବସ୍ଥା ଥିବାରୁ ଦିବ୍ୟାଙ୍ଗମାନେ ମତଦାନ କରିବାରେ କୌଣସି ସମସ୍ୟା ହୋଇ ନଥିଲା। କିନ୍ତୁ ଏହି ପଞ୍ଚାୟତର ଅନ୍ୟ କୌଣସି ମତଦାନ କେନ୍ଦ୍ରରେ ଏଭଳି ବ୍ୟବସ୍ଥା ନଥିଲା। ତେଣୁ ବହୁ ବୁଥ୍‌ରେ ସେମାନଙ୍କୁ ସମ୍ପର୍କୀୟମାନେ ଟେକି ଟେକି ବୁଥ୍‌ ଭିତରକୁ ନେବା ଦେଖିବାକୁ ମିଳିଥିଲା।

ଥଣ୍ଡା ବଣ୍ଟାକୁ ନେଇ ପୁଲିସ-ଏଜେଣ୍ଟ ବଚସା

ଇଟିପୁର ପଞ୍ଚାୟତର ଏକ ବୁଥ୍‌ରେ ଥଣ୍ଡା ପାନୀୟ ବଣ୍ଟନକୁ ନେଇ ଆଜି ପୁଲିସ ସହ ଏଜେଣ୍ଟଙ୍କ ବଚସା ହୋଇଥିଲା। ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟସ୍ଥ ମତଦାନ କେନ୍ଦ୍ରରେ ୮, ୯, ୧୦, ୧୧, ୧୨ନଂ ଏମିତି ୫ଟି ବୁଥ୍‌ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ସେଠାରେ ଭୋଟର୍‌ମାନଙ୍କୁ ଥଣ୍ଡା ପାନୀୟ ବଣ୍ଟନ କରାଯାଉଥିଲା। କିନ୍ତୁ ପୁଲିସ ଏହାକୁ ବାରଣ କରିଥିଲା। ତେଣୁ ଏନେଇ କିଛି ଏଜେଣ୍ଟ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। କଥା କଟାକଟି ହୋଇଥିଲା। ତେବେ ବିପକ୍ଷ ଗୋଷ୍ଠୀରୁ ବା ଅନ୍ୟ ଏଜେଣ୍ଟଙ୍କ ପକ୍ଷରୁ କୌଣସି ବିରୋଧ ନ ହେବାରୁ ଥଣ୍ଡା ପାନୀୟ ବଣ୍ଟନ ଜାରି ରହିଥିଲା। ତେବେ କିଛି ଭୋଟର୍‌ ଥଣ୍ଡା ପିଇ ନଥିଲେ।

ପଲିଥିନ୍‌ ପ୍ରସ୍ତୁତ ଅସ୍ଥାୟୀ ବୁଥ୍‌ରେ ମତଦାନ

ରାଜଧାନୀର ଅନତି ଦୂରରେ ଶିଶୁପାଳଗଡ଼ ପଞ୍ଚାୟତରେ ବୁଥ୍‌ ପାଇଁ ସ୍କୁଲ୍, କ୍ଲବ୍‌ କି କୋଠଘର ମିଳି ନଥିଲା। ମହାବୀରନଗର ଅଞ୍ଚଳ ୩ ନମ୍ବର ବୁଥ୍‌ ପାଇଁ ଏମିତି ଘର ନମିଳିବାରୁ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ଘର ପ୍ରସ୍ତୁତ କରାଯାଇଥିଲା। ପଲିଥିନ୍‌ ଘେରା ଓ ଛପର ଏହି କେନ୍ଦ୍ରରେ ଲୋକେ ମତଦାନ କରିଥିଲେ। ତେଣୁ ୩୨୮ ଜଣ ଭୋଟର୍‌ ଥିବା ଏହି ବୁଥ୍‌ରେ ମତଦାତାମାନେ ବହୁ ହନ୍ତସନ୍ତ ହୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାରେ ଲୋକେ ଠିଆ ହେବାକୁ ବାଧ୍ୟ ହୋଇଥିଲେ। ଏହି ବିରଳ ଦୃଶ୍ୟ ଆଜି ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe