ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଜିଲ୍ଲା କଂଗ୍ରେସରେ କମ୍ପନ

Advertisment

ଯୁବ କଂଗ୍ରେସ ସଭାପତିଙ୍କ ଦ୍ବାରା ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ

ଯୁବ କଂଗ୍ରେସ ସଭାପତିଙ୍କ ଦ୍ବାରା ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ

ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ଜିଲ୍ଲା କଂଗ୍ରେସରେ କମ୍ପନ

ଜଗତସିଂହପୁର : କଂଗ୍ରେସ ଦଳର ପ୍ରଭାବଶାଳୀ ନେତା, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟ ନିକଟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ଚିରଞ୍ଜୀବ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ନିଜର ମତ ରଖିବେ ବୋଲି କହିଛନ୍ତି। ଏପଟେ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଏହି ଘଟଣାକୁ ନେଇ ମାପିଚୁପି ମନ୍ତବ୍ୟ ଦେଉଥିବା ବେଳେ ଦଳଠାରୁ କେହି ବି ଉର୍ଦ୍ଧ୍ବରେ ନୁହନ୍ତି ବୋଲି ମତ ରଖିଛନ୍ତି।

ଗତ ସାଧାରଣ ନିର୍ବାଚନଠାରୁ ଚିରଞ୍ଜୀବ ଦଳ ଛାଡ଼ି‌ବେ ଛାଡ଼ି‌ବେ ବୋଲି ଚର୍ଚ୍ଚା ଚାଲିଥିଲା। ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନଥିଲା। ଯେ କୌଣସି ସମୟରେ ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ବି କୁହାଯାଉଥିଲା। ମାତ୍ର ଆଜି ଦଳ ତାଙ୍କୁ ନିଲମ୍ବନ କରିବା ପରେ ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ‌ହୋଇଉଠିଛି।

ଆଜି କିଛି କହିବିନି, ଆସନ୍ତାକାଲି ମତ ରଖିବି ବୋଲି କହିଲେ ଚିରଞ୍ଜୀବ

ଏଭଳି ନିଷ୍ପତ୍ତିକୁ ନେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡକ୍ଟର ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ, ଦଳ ନିଶ୍ଚିତ ଭାବେ ବିଚାର ବିମର୍ଶ କରି ଏମିତି ଏକ ନିଷ୍ପତ୍ତି ନେଇଥିବ। ଦଳର କର୍ମୀ ହୁଅନ୍ତୁ ବା ନେତା ସମସ୍ତେ ଶୃଙ୍ଖଳା ମଧ୍ୟରେ ରହିବା ଉଚିତ୍। ଅଯଥାରେ ଦଳ ବିରୋଧରେ ମନ୍ତବ୍ୟ ‌ଦେଇ ସଂଗଠନକୁ ଦୁର୍ବଳ କରିବା ଅପେକ୍ଷା ଦଳ ଯେପରି ଆଗକୁ ବଢିବ, ସେ ଦିଗରେ କାର୍ଯ୍ୟ କରିବା ଉଚିତ୍। ଏହାଦ୍ବାରା ଦଳ ଆହୁରି ଦୃଢ଼ ହେବ।

ଜଗତସିଂହପୁରର ‌ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ କହିଛନ୍ତି ଯେ, ଦଳ ସବୁବେଳେ ବଡ଼। ଚିରଞ୍ଜୀବ ବିଶ୍ବାଳଙ୍କ ପ୍ରତି ଆମର ଭଲ ପାଇବା ଓ ସମ୍ମାନ ରହିଛି। ତଥାପି ଦଳ ନେଇଥିବା ନିଷ୍ପତ୍ତି ବିରୋଧରେ କୌଣସି ମନ୍ତବ୍ୟ ରଖିବା ଉଚିତ୍ ନୁହେଁ। ଏଣୁ ଦଳର ଦୋଷ ତ୍ରୁଟି ସବୁବେଳେ ବାଛିବା ଅପେକ୍ଷା ଦଳର ହିତ ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ୍। ଏହାକୁ ନେଇ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କରିବା ଆଦୌ ଗ୍ରହଣୀୟ ନୁହେଁ। ଜିଲ୍ଲା କଂଗ୍ରେସ ସଭ‌ାପତି ନଟବର ବାରିକ କିନ୍ତୁ ଏ ନେଇ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହା ପିସିସି ଓ ଏଆଇସିସିର ବ୍ୟାପାର।

ସାଧାରଣ ସମ୍ପାଦକ ଦିଲ୍ଲୀପ ସିଂହ କୁହନ୍ତି ଯେ, ସେ ସର୍ବଦା ଦଳ ସହ ରହିଛନ୍ତି ଓ ରହିବେ। ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ ସର୍ବଦା କାର୍ଯ୍ୟ କରିବାକୁ ପସନ୍ଦ କରିବେ। ଏଆଇସିସି ସଂଯୋଜକ ଆଇନଜୀବୀ ଡ.ସୁଶାନ୍ତ କାନୁନଗୋ କୁହନ୍ତି ଯେ, ଦଳର ସେ ଜଣେ ଶୃଙ୍ଖଳିତ କର୍ମୀ। ତଥାପି ଚିରଞ୍ଜୀବଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ଜଣେ ଦକ୍ଷ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ବାରା ନିଶ୍ଚିତ ଭାବେ ତୃଣମୂଳ ସ୍ତରରେ ଏହାର ପ୍ରଭାବ ପଡ଼ିବ। ଏଣୁ ଏ ନେଇ ପୁନଃବିଚାର କରି ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ସେ ଏଆଇସିସିକୁ ଚିଠି ଲେଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe