Times of India
ରେଢ଼ାଖୋଲ: ରେଢ଼ାଖୋଲ ଥାନା ବୁର୍ଡା ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଛି। ଘଟଣାକୁ ନେଇ ପୃଥକ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୁର୍ଡା ଗ୍ରାମର କୁଲୁ ମହାକୁଡ (୨୮), ବିଜୟ ମହାକୁଡ (୨୮), ବିଜୟ ମହାକୁଡ଼ (୨୯), ସୁନୀଲ ମହାକୁଡ଼ (୨୯), ଭଜମନ ପୁରୋହିତ (୨୯), ଚକ୍ରଧର ବେହେରା (୨୯) ଓ ଚିତ୍ତରଂଜନ ବେହେରା (୩୨)।
ସୂଚନା ଅନୁସାରେ ବୁର୍ଡା ଗ୍ରାମର ହରିଜନପଡ଼ା ଓ ଗାଁ ଭିତରେ ଆଦି ୨ଟି ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ଥିଲା। ଗତ ୩ ତାରିଖ ଗଣେଶ ପୂଜା ଭସାଣି ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ହରିଜନ ପଡା ପ୍ରଥମେ ବିସର୍ଜନ ସାରି ତାଙ୍କ ଜେନରେଟରକୁ ରେଢ଼ାଖୋଲକୁ ଫେରାଇବା ପାଇଁ ଯାଉଥିଲେ। ମାତ୍ର ସେହି ରାସ୍ତାରେ ଅନ୍ୟ ପୂଜା କମିଟିର ଶୋଭାଯାତ୍ରା ଚାଲିଥିଲା। ତେଣୁ ସେମାନେ ରାସ୍ତା ଛାଡ଼ି ନଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗାଁର କିଛି ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ଘଟଣାସ୍ଥଳରେ ଉଭୟ ଗୋଷ୍ଠୀ ମଧ୍ୟରେ ସମାଧାନ ହୋଇଥିଲା। ତେବେ ହରିଜପଡାର ସତ୍ୟଜିତ ବେହେରାଙ୍କ ଅଭିଯୋଗ ଅନୁସାରେ, ହରିଜନପଡା ଗଣେଶ ପୂଜା କମିଟିର ପିଲାମାନେ ଘରେ ଖାଇପିଇ ଶୋଇଥିବା ବେଳେ ଅନ୍ୟ ଗୋଷ୍ଠୀ ସେମାନଙ୍କ ଘରକୁ ପଥର ଫିଙ୍ଗିବା ସହିତ ଜାତିଆଣ ଆକ୍ଷେପ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ଯୁବକମାନଙ୍କୁ ଗିରଫ କରିଥିଲେ। ସେହିପରି ଅପର ପକ୍ଷର ଭଜମନ ମଧ୍ୟ ୧୩ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଭଜମନଙ୍କ ଅଭିଯୋଗ କ୍ରମେ କେହି ଗିରଫ ହୋଇ ନଥିବା ଜଣାଯାଇଛି।
Follow Us