PSU Watch
ରାଉରକେଲା: ସେକ୍ଟର-୪ ଦାୟିତ୍ବରେ ଥିବା ଆର୍ଏସ୍ପି ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ରାସ୍ତାକଡ଼ରେ ଥିବା ଗଛଡ଼ାଳ କାଟିବା ଭିତରେ ଗୋଟିଏ କ୍ବାର୍ଟର୍ସକୁ ଯାଇଥିବା ଉଭୟ ଇଣ୍ଟର୍ନେଟ୍ ଓ ଟେଲିଫୋନ୍ ପାଇଁ ବ୍ୟବହୃତ ତାରଟିକୁ କାଟି ପକାଇଥିଲେ। ଗୃହକର୍ତ୍ତା ସହର ବାହାରକୁ ଯାଇଥିବାବେଳେ ଯୋଗାଯୋଗର ଏକମାତ୍ର ମାଧ୍ୟମ କଟିଯିବାର ଦେଖି ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନେ ‘ଆମେ ଆର୍ଏସ୍ପିରୁ ଆସିଛୁ’ ବୋଲି ସଗର୍ବେ ଘୋଷଣା କରି କୌଣସି ସଂଭ୍ରମତା ବା ଦୋଷସ୍ବୀକାର ବିନା ଚାଲି ଯାଇଥିଲେ। ସେମାନଙ୍କର ବ୍ୟବହାର ଯିଏ ଦେଖିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଘଟଣାଟି ଛୋଟ ଥିଲା, ସାଧାରଣ ସମବେଦନା ବା ଭୁଲ୍ ସ୍ବୀକାରରେ ମାମଲା ସରି ଥାଆନ୍ତା।
କିନ୍ତୁ ତାହା ଆବଶ୍ୟକ ବୋଲି ସେମାନେ ମନେ କଲେନାହିଁ। ତେଣୁ ଏହି ସାଧାରଣ ସୌଜନ୍ୟହୀନ ବ୍ୟବହାର ସଂପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରା ଯାଇଥିଲା। କିନ୍ତୁ ସେମାନେ ଯେଉଁଭଳି ପ୍ରତିକ୍ରିୟା ରଖିଲେ, ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ସହରସେବା ବିଭାଗର ବରିଷ୍ଠ ଅଧିକାରୀ ତଥା ସିଜିଏମ୍ ଅଜୟ ନାୟକଙ୍କ ନିକଟରେ ଅଭିଯୋଗ କରିବାରୁ, ‘ମୁଁ ଦେଖୁଛି’ କହିଲେ, କିନ୍ତୁ ପରେ ଫୋନ୍ ଉଠାଇ ନଥିଲେ। ସେ ଏହାକୁ ଏକ ନିତିଦିନିଆ ଘଟଣା ଭାବେ ଗ୍ରହଣ କରିଥିଲେ। ସେହିପରି ବିଦ୍ୟୁତ୍ ବିଭାଗର ଜିଏମ୍ ସଂଜୟ କୁମାର ପ୍ରଧାନ ସମେତ ଅନ୍ୟ ବରିଷ୍ଠମାନେ ମଧ୍ୟ ‘ଆଜି ଛୁଟି ଅଛି’, ‘ଅମୁକଙ୍କୁ ପଚାରନ୍ତୁ’ ଆଦି କହି ଏଡ଼ାଇ ଯାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ ଓ ଦୁର୍ଭାଗ୍ୟଜନକ ପ୍ରତିକ୍ରିୟା ରଖିଥିଲେ ସେକ୍ଟର-୪ ଦାୟିତ୍ବରେ ଥିବା କ୍ଷୀରୋଦଚନ୍ଦ୍ର ସେଠୀ - ବୋଧହୁଏ ଜଣେ ଏଜିଏମ୍, ନାମକ ଜଣେ ଅଧିକାରୀ। ସେ ଘଟଣା ସଂପର୍କରେ ଶୁଣି ପରିହାସ କରିବା ଭଳି କହିଲେ, ‘‘ସେମାନେ କ’ଣ ଘରେ ପଶି ଯାଇଥିଲେ!!’’ ଘଟଣା ସଂପର୍କରେ ‘ମୁଁ କାହିଁକି କିଛି କହିବି’ ଆଦି ବହୁ ଯୁକ୍ତି ପରେ ସେ ପରାମର୍ଶ ଦେଇଥିଲେ, ‘‘ଯଦି କିଛି ଅଭିଯୋଗ ଅଛି, ଅନ୍-ଲାଇନ୍ରେ କରନ୍ତୁ’’।
ଉପରୋକ୍ତ ଘଟଣା ଏବେ କାରଖାନାର ଅନେକ ବିଭାଗରେ ନିତିଦିନିଆ ହୋଇ ଗଲାଣି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍) ଅଧିନସ୍ଥ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି)ର ଗୋଟିଏ ସୁନ୍ଦର ଇତିହାସ ଓ ପରଂପରା ରହିଛି। କିନ୍ତୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରା ଯାଉ ନଥିବାରୁ ଏବେ ଏହି ସମ୍ମାନଜନକ ପ୍ରତିଷ୍ଠାନରେ ଅପସଂସ୍କୃତି ଓ ବିଶୃଙ୍ଖଳାର ଚେର ମାଡ଼ି ଯାଉଛି ଓ ଦିନକୁ ଦିନ ଗଭୀର ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। କରୋନାର ସାମାଜିକ ଦୂରତା କଟକଣା ସମୟରେ ସହରର ସବୁ ହୋଟେଲ୍ ବନ୍ଦ ଥିଲା। ସାଧାରଣ ଲୋକେ ମରଣ ଆଶଙ୍କାରେ ପ୍ରତିମୁହୂର୍ତ୍ତରେ ଥରି ଉଠୁଥିବା ସମୟରେ ସେମାନଙ୍କୁ ଉପହାସ କରିବାଭଳି ଆର୍ଏସ୍ପିର ଏକ ସଂଭ୍ରାନ୍ତ କ୍ଲବ୍ରେ ଚାଲିଥିଲା ମଦ ଆସର।
ପୁଲିସ ଚଢ଼ାଉ କରିଥିଲା। ଗଣମାଧ୍ୟମର କ୍ୟାମେରା ଆଗରେ ଅଧିକାରୀମାନେ ମୁହଁ ଲୁଚାଇ ଛତ୍ରଭଙ୍ଗ ଦେବାର ଦୃଶ୍ୟ ଭିତରେ ଏହି ସମ୍ମାନଜନକ ଅନୁଷ୍ଠାନର ସମ୍ମାନ ଧୂଳିରେ ମିଶିଥିଲା। କିନ୍ତୁ ସେ ଘଟଣାରେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିଲା। ଯାହା କରା ଯାଇଥିଲା, ତା’ର କିଛି ଅର୍ଥ ବା ପ୍ରଭାବ ନଥିଲା। ଏପରିକି କର୍ମକ୍ଷେତ୍ରରେ ସହଯୋଗୀଙ୍କୁ ଶୋଷଣ କରା ଯିବାର, ଏପରିକି ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାର ଏକାଧିକ ଘଟଣା ନିକଟ ଅତୀତରେ ଚର୍ଚ୍ଚାକୁ ଆସିଥିଲା। ଗୋଟିଏ ମାମଲାରେ ତ ଜଣେ ମହିଳା ପଦସ୍ଥ ଅଧିକାରୀଙ୍କୁ ତାଙ୍କର ଜଣେ ତଳିଆ ଅଫିସର ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଓ ବିଚାର ପାଇଁ ଡକା ଯାଇଥିବା ଶୃଙ୍ଖଳା ବୈଠକରେ ମଧ୍ୟ ଉକ୍ତ ପୁରୁଷ କର୍ମଚାରୀ ଜଣକ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିବାର ଭିଡିଓ ଭାଇରାଲ୍ ହୋଇଥିଲା।
ଉକ୍ତ ବୈଠକରେ ଶୃଙ୍ଖଳା କମିଟିର ଆହୁରି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ହେଁ କର୍ମଚାରୀ ଜଣକ କାହାରିକୁ ଖାତିର ନକରି ଫିଙ୍ଗା ଫୋପଡ଼ା କରିଥିଲେ। ଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ, ଏପରିକି ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମଧ୍ୟ ଉକ୍ତ କର୍ମଚାରୀଙ୍କ ବିରୋଧରେ କର୍ତ୍ତୃପକ୍ଷ ତୁରନ୍ତ କୌଣସି ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ପରେ କୌଣସି ପ୍ରକାର ପ୍ରଭାବ ନଥିବା ନାମକୁ ମାତ୍ର ପଦକ୍ଷେପ ଗ୍ରହଣ କରି ତମାମ ମାମଲାକୁ ଚାପି ଦେବାଲାଗି ଚେଷ୍ଟା କରା ଯାଇଥିଲା। ତା’ପୂର୍ବରୁ ୱାସ୍ ରୁମ୍ରେ ମୋବାଇଲ୍ ଖଞ୍ଜି ଜଣେ ଅଧିକାରୀ ମହିଳା ସହଯୋଗୀଙ୍କର ଭିଡ଼ିଓ ଉଠାଇବା ଭଳି ଆହୁରି ଏକାଧିକ ସାଂଘାତିକ ମାମଲା ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା। ସେଗୁଡ଼ିକରେ ମଧ୍ୟ ଦୋଷୀଙ୍କ ବିରୋଧରେ କିଛି ଠୋସ୍ ଦଣ୍ଡ ବିଧାନ ହୋଇ ନଥିଲା। ଚର୍ଚ୍ଚାକୁ ବା ଗଣମାଧ୍ୟମକୁ ଆସୁଥିବା ଉପରୋକ୍ତ ମାମଲାଗୁଡ଼ିକ ବାହାରେ ଆର୍ଏସ୍ପିର ବିଭିନ୍ନ ବିଭାଗରେ ଏପରି ଆହୁରି ଅନେକ ଘଟଣା ଘଟୁଥିବାର ଅଭିଯୋଗ ହୁଏ। କିନ୍ତୁ ଏହାକୁ ବନ୍ଦ କରିବା ଦିଗରେ କର୍ତ୍ତୃପକ୍ଷଙ୍କର କୌଣସି ଆଗ୍ରହ ନଥିବା ଭଳି ମନେହୁଏ।
ଏସବୁ ଘଟଣାକୁ ଆର୍ଏସ୍ପି କର୍ତ୍ତୃପକ୍ଷ ବା ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯେତିକି ଗୁରୁତ୍ବ ଦେବା ଆବଶ୍ୟକ, ତାହା ହେଉନାହିଁ। ଏହା ଏସବୁ ବନ୍ଦ ନହେବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ଅନେକ କ୍ଷେତ୍ରରେ ଅଭିଯୋଗ ଆସିଲେ, ଉଚ୍ଚ ଅଧିକାରୀମାନେ ପ୍ରଥମେ ତାହାକୁ ଅସ୍ବୀକାର କରି ପରେ ନିତିଦିନିଆ ସାଧାରଣ ଘଟଣା ଭଳି ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ଉଚ୍ଚ ଅଧିକାରୀମାନେ ନିଜ ବିଭାଗର କୌଣସି କାମ ପାଇଁ ନିଜକୁ ଆଉ ଉତ୍ତରଦାୟୀ ବୋଲି ଭାବୁ ନାହାନ୍ତି। ଅଧିକନ୍ତୁ ‘ସବୁକିଛି ସାଧାରଣ’ ବୋଲି ଦାବିକରି ସେମାନେ ବିଶୃଙ୍ଖଳାକୁ ପରୋକ୍ଷରେ ସମର୍ଥନ ମଧ୍ୟ କରୁଛନ୍ତି। ଫଳରେ ବିଶୃଙ୍ଖଳା ଓ ସ୍ବେଚ୍ଛାଚାରିତା ସୀମା ଟପିବା ଉପରେ। ଏସବୁର ମୂଳ କାରଣ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କର ଢ଼ିଲା ନିୟନ୍ତ୍ରଣ ବୋଲି ଆଲୋଚନା ହେଉଛି। ଏଦିଗରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାଲାଗି ଦାବି ହେଉଛି।
Follow Us