ଏଲ୍‌ଏନ୍‌ କଲେଜକୁ ସରକାରୀ ମାନ୍ୟତା ଦାବିରେ ବିକ୍ଷୋଭ

Advertisment
ଏଲ୍‌ଏନ୍‌ କଲେଜକୁ ସରକାରୀ ମାନ୍ୟତା ଦାବିରେ ବିକ୍ଷୋଭ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲାର ସର୍ବପୁରାତନ କଲେଜ ଲକ୍ଷ୍ମୀ ନାରାୟଣ କଲେଜକୁ ସରକାରୀ ମାନ୍ୟତା ଓ ପିଜି ପାଠ୍ୟକ୍ରମ ଆରମ୍ଭ ତଥା ଜିଲ୍ଲାର ଉପାନ୍ତ ୧୯ ଖଣ୍ଡ ମୌଜା ଅଂଚଳରେ +୨ ବିଜ୍ଞାନ ଏବଂ ଡିଗ୍ରି କଲେଜ ସ୍ଥାପନ ଦାବିରେ ଜୋର ଧରୁଛି ଛାତ୍ର ଆନ୍ଦୋଳନ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜିଲ୍ଲା ଛାତ୍ର ସାମ୍ମୁଖ୍ୟ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସ୍ୱରୂପ କିଷାନ ଓ ଅଜୟ ବିଶ୍ୱାଳଙ୍କ ନେତୃତ୍ୱରେ କୋଲାବିରା କଲେଜ ମୁଖ୍ୟ ଗେଟରୁ କୋଲାବିରା ମେଡିକାଲ ଛକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲେ। ଏହି ଅବସରରେ ବୀର କରୁଣାକର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାର ଓ ଝାରସୁଗୁଡା ଜିଲ୍ଲାର ଜନ ପ୍ରତିନିଧିଙ୍କ ଜିଲ୍ଲାକୁ ଅବହେଳାର ସମାଲୋଚନା କରିଥିଲେ।

କିଛି ଦିନ ପୂର୍ବରୁ ସାମ୍ମୁଖ୍ୟ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀଙ୍କୁ ଭେଟି ଏହି ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ମନ୍ତ୍ରୀ ଦାବିଗୁଡ଼ିକ ଉପରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଶୋଭାଯାତ୍ରାରେ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ବିଭାଗ ବିରୋଧରେ ଛାତ୍ରଛାତ୍ରୀ ବିଭିନ୍ନ ନାରାବାଜି କରିଥିଲେ। ମନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ ନକଲେ ତାଙ୍କ ସରକାରୀ ବାସ ଭବନ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ସଂଯୋଜକ ଜିତେନ୍ଦ୍ରୀୟ ଧୁରୁଆ, ସହସଂଯୋଜକ ଅସୀମ ପଟେଲ, ରବି ରୋହିଦାସ, ନନ୍ଦୁ ରୋହିଦାସ, ଶିବାନୀ କରାଲି, ପୁଷ୍ପାଞ୍ଜଳି ଚାରଦିଆ, ଭାଗ୍ୟବତୀ ଓରାମ, ରିୟା ସିଂ, ପୂଜା ମରେଇ, ସୁମନ ସିର୍ଦାର, ଦୀପା ଝାକର, ମଧୁସ୍ମିତା ସାହୁ, ରୀନା ପ୍ରଧାନ, ଅରୂପା ଭୁତ୍ତା, ସୁବାସିନୀ କିଷାନ, ଅନିତା ଭଞ୍ଜ, ବୈଜୟନ୍ତି କାଚ୍ରିଆ, ଲିଜା ନାୟକ, ପଦ୍ମିନୀ କିଷାନ, ନମିଦ ନାଏକ, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରଦୀପ ସାହୁ, ରଞ୍ଜନ ନାୟକ, ବଳରାମ ରୋହିଦାସ, ଝାଂକେତନ ଉଗାର, ଡୋଳାମଣି ରୋହିଦାସ, ଉପେନ୍ଦ୍ର କିଷାନ ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe