ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ଆଚାର୍ଯ୍ୟଙ୍କୁ ଟିଟିଲାଗଡ଼ ପୌରପାଳିକାର ଅତିରିକ୍ତ ଦାୟିତ୍ବ ମିଳିଛି। ତେବେ ଅଧିକାରୀ ଜଣକ ସହରରେ ନପଶୁଣୁ ଗରିବ ଉଠାଦୋକାନୀଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି। ଦୀପାବଳି ପାଇଁ ବହୁ ଗରିବ ତଥା ଛୋଟ ଛୋଟ ଉଠା ବ୍ୟବସାୟୀ ରାସ୍ତା କଡ଼ରେ ବିଭିନ୍ନ ଦୋକାନର ପସରା ଲଗାଇଛନ୍ତି। ଦୁଇ ପଇସା ରୋଜଗାରର ଆଶା ରଖିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସହରର ପେଟ୍ରୋଲ ପମ୍ପ ଛକ ରାସ୍ତା କଡ଼ରେ ମାଟି ଦୀପ ବିକୁଥିବା କୁମ୍ଭକାର, ପନିପରିବା ବିକ୍ରି କରୁଥିବା ଚାଷୀ ତଥା ଗରିବ ବ୍ୟବସାୟୀଙ୍କୁ ସ୍ଥାନ ଖାଲି କରି ଅନ୍ୟତ୍ର ଯିବା ପାଇଁ ରୋକଠୋକ କହିଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପୌରପାଳିକା ଅଧିକାରୀଙ୍କ ଦବଙ୍ଗଗିରି ନୀତିକୁ ବିରୋଧ କରିଛି ଗରିବ ସେନା। ଏଭଳି ନିର୍ଦ୍ଦେଶ ଦେବା ପରେ କିଛି ସମୟ ଧରି ପୁଲିସ୍ ବାହିନୀ, ପୌର କର୍ମଚାରୀଙ୍କ ସହ କେତେକ ଆଇନଜୀବୀ ଯୁକ୍ତିତର୍କ କରିବା ସହ ତୁତୁ ମେମେ ହୋଇଥିବା ଦେଖିବାକୁ ମିଳିଥିଲା। ସହରର ସବୁଠୁ ସଂକୀର୍ଣ୍ଣ ରାସ୍ତା ଶାସ୍ତ୍ରୀଛକରୁ ପୁରୁଣା ବ୍ୟାଙ୍କ ଛକ ଏବଂ ମାଉସୀ ମା’ ମନ୍ଦିରରୁ ପୁରୁଣା ବ୍ୟାଙ୍କ ଛକ ରାସ୍ତାକୁ ବଡ଼ ବଡ଼ ବ୍ୟବସାୟୀ ଅବରୋଧ କରି ରଖିଥିବା ବେଳେ କେବଳ ଉଠା ଦୋକାନୀ, ପାନ ଦୋକାନୀ ଏବଂ ରାସ୍ତା କଡ଼ରେ ପସରା ଲଗାଇ ବ୍ୟବସାୟ କରୁଥିବା ଲୋକଙ୍କୁ କାହିଁକି ହଟାଯାଉଛି ବୋଲି ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରା ପ୍ରଶ୍ନ କରିଛନ୍ତି। ପ୍ରଥମେ ସେମାନଙ୍କୁ ହଟାଇ ରାସ୍ତାକୁ ଟ୍ରାଫିକ ସମସ୍ୟାମୁକ୍ତ କରନ୍ତୁ ବୋଲି ଆଇନଜୀବୀ ବୀରେନ୍ଦ୍ର ବାଗ କହିବା ସହ ଦୀପାବଳି ପର୍ବ ଥିବାରୁ ଗରିବ ଉଠା ଦୋକାନୀ ତଥା ମାଟି ଦୀପ ବିକୁଥିବା ବ୍ୟବସାୟୀଙ୍କୁ ସହଯୋଗ କାରିବାକୁ ନିବେଦନ କରିଥିଲେ। ହେଲେ ଅଧିକାରୀ ଜଣକ କୌଣସି କଥାକୁ ଭୃକ୍ଷେପ ନକରିବାରୁ ସ୍ଥିତି ଜଟିଳ ହେବାକୁ ଲାଗିଥିଲା। ପରେ ସ୍ଥାନୀୟ ପୁଲିସ୍ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ଦୀପାବଳି ପରେ ଉଚ୍ଛେଦ କରାଯିବାକୁ କହିବାରୁ ମାମଲା ଶାନ୍ତ ପଡ଼ିଥିଲା।
Follow Us