କଟକ: ଡିପ୍ଲୋମା ଇନ୍ ମେଡିକାଲ୍ ଲାବୋରେଟୋରି ଟେକ୍ନିସିଆନ(ଡିଏମ୍ଏଲ୍ଟି) ୨ ବର୍ଷୀୟା କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର। ୯୨୧ ପଦବି ପାଇଁ ପ୍ରଥମେ ବିଜ୍ଞାପନ ପ୍ରକାଶ କରିବା ଓ ପରେ ପରୀକ୍ଷା ପୂର୍ବରୁ ଏହାକୁ ହଠାତ୍ ବାତିଲ କରିଦେଇ ପଦବିଗୁଡ଼ିକର ଘରୋଇକରଣ କରାଯାଇଛି। ଆଉଟସୋର୍ସିଂ ମାଧ୍ୟମରେ ଏହି ପଦବିଗୁଡ଼ିକ ପୂରଣ କରିଛନ୍ତି ରାଜ୍ୟ ସରକାର। ତେବେ ଏଭଳି ବିଚିତ୍ର ନିଷ୍ପତ୍ତିକୁ ନେଇ ଓଡ଼ିଶା ଲାବୋରେଟୋରି ଟେକ୍ନିସିଆନ୍ସ ଷ୍ଟୁଡେଣ୍ଟ୍ସ ୟୁନିଅନ୍ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେଲାଣି। କିନ୍ତୁ କୌଣସି ପ୍ରକାର ପ୍ରତିଶ୍ରୁତି ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବା ପରିସ୍ଥିତି ସୃଷ୍ଟି ହେଲାଣି।
ରାଜ୍ୟରେ ୧୫ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ନିରାଶ
ଡିପ୍ଲୋମା କରିଥିବା ରାଜ୍ୟର ପାଖାପାଖି ୧୫ ହଜାରରୁ ଊର୍ଦ୍ଧ୍ବ ବେକାରି ଟେକ୍ନିସିଆନ୍ଙ୍କୁ ବଡ଼ ଝଟକା ଲାଗିଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ମାଧ୍ୟମରେ ମେଡିକାଲ୍ ଲାବୋରେଟୋରି ଟେକ୍ନିସିଆନ୍ ପଦବି ପାଇଁ ୨୦୨୩ ସେପ୍ଟେମ୍ବର ୧୫ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ୯୨୧ ପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ରାଜ୍ୟରୁ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ। ଏହି ପରୀକ୍ଷା ହେବାକୁ ମାତ୍ର ୧୫ ଦିନ ଥିବା ବେଳେ ପରୀକ୍ଷାକୁ ରଦ୍ଦ କରିଦିଆଯାଇଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୩ ନଭେମ୍ବର ୨୦ରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ରାଜ୍ୟରେ ମଞ୍ଜୁରିପ୍ରାପ୍ତ ମେଡିକାଲ୍ ଲାବୋରେଟୋରି ଟେକ୍ନିସିଆନ୍ ପଦବି ସଂଖ୍ୟା ୨୨୩୫ରୁ ୧୪୪୫କୁ ହ୍ରାସ କରିଦିଆଯାଇଥିଲା। ଯାହା ଫଳରେ ଅନେକ ନୂଆ ଆଶାୟୀଙ୍କ ସରକାରୀ ଚାକିରି ପାଇବା ରାସ୍ତାକୁ ସଂକୁଚିତ କରାଯାଇଥିଲା। ଏବେ ରାଜ୍ୟରେ ଲାବୋରେଟୋରି ଟେକ୍ନିସିଆନ୍ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧୫ ହଜାର ଟପିଲାଣି।
୨୦୨୩ ଡିସେମ୍ବର ଶେଷ ବେଳକୁ ଏହି ୯୨୧ ପଦବିକୁ ପିପିପି ମୋଡ୍ରେ ରାଜ୍ୟ ସରକାର ଚଳାଇବା ଆରମ୍ଭ କରିଥିଲେ। ମେଡିକାଲ କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଏହି ପଦବିକୁ ଆଉଟସୋର୍ସିଂ ମାଧ୍ୟମରେ ପୂରଣ କରାଯାଇଥିଲା। କେବଳ କଟକ ବଡ଼ ଡାକ୍ତରଖାନାରେ ୪୦ ଜଣ ଏହି ମୋଡ୍ରେ କାର୍ଯ୍ୟ କରୁଛନ୍ତି। ଏ ସଂକ୍ରାନ୍ତରେ ଓଡ଼ିଶା ଲାବୋରେଟୋରି ଟେକ୍ନିସିଆନ୍ସ ଷ୍ଟୁଡେଣ୍ଟ୍ସ ୟୁନିଅନ୍ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଦାବି ଜଣାଇଥିଲା। କିନ୍ତୁ କୌଣସି ପ୍ରକାର ସନ୍ତୋଷଜନକ ପ୍ରତିଶ୍ରୁତି ମିଳିପାରିନଥିଲା। ବାରମ୍ବାର ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ସାରିଲେଣି ୟୁନିଅନ୍ର ସଦସ୍ୟ। ରାଜ୍ୟରେ ଏହି ୯୨୧ ପଦବିର ଘରୋଇକରଣ ନିଷ୍ପତ୍ତିର ପୁନର୍ବିଚାର କରିବା ସହିତ ୨ ବର୍ଷୀୟା ଏହି ଡିପ୍ଲୋମା କୋର୍ସ କରିଥିବା ଆଶାୟୀଙ୍କୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି। ରାଜ୍ୟର ସମସ୍ତ ମେଡିକାଲ କଲେଜ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ନକରି ନିୟମିତ ପଦବିରେ ନିଯୁକ୍ତି ଦେବାକୁ ଦାବି ହୋଇଛି। ଏହି ଦାବି ପୂରଣ ହେଉନଥିବାରୁ ଆନ୍ଦୋଳନ ରୂପ ନେବାକୁ ବସିଲାଣି।
Follow Us