‘ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦିଆନଯାଉ’

‘ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦିଆନଯାଉ’

ଝାରସୁଗୁଡ଼ା: ‘ନିଜ ଇଚ୍ଛାକୁ ପିଲାଙ୍କ ଉପରେ ନଦି ଦିଆନଯାଉ। ପିଲାଙ୍କର ଯେଉଁ ଦିଗରେ ଆଗ୍ରହ ରହିଛି ସେମାନଙ୍କୁ ସେଥିରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି’ ବୋଲି ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ଏଚ୍‌. କଟାପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକଙ୍କ ସହ ଆଲୋଚନା ବେଳେ କହିଥିଲେ। ରାଜ୍ୟପାଳ ଶ୍ରୀ ଦାସ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ। କେବଳ ଯେ ସ୍ବପ୍ନ ଦେଖିଦେଲେ ହେବନି, ତାକୁ ପୂରଣ କରିବା ପାଇଁ ଏବେଠାରୁ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ତେବେ କାର୍ଯ୍ୟକ୍ରମ‌ରେ ହାତଗଣତି ୨୦/୨୨ଜଣ ପିଲା ଉପସ୍ଥିତ ଥିବାରୁ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିବା ସୂଚନା ମିଳିଛି।

ସକାଳ ସାଢ଼େ ୧୦ଟାରେ ରାଜ୍ୟପାଳ ଶ୍ରୀ ଦାସ ଝାରସୁଗୁଡ଼ା ସର୍କିଟ୍‌ ହାଉସରେ ପହଞ୍ଚିବା ପରେ ୧୦ଟା ୫୦ରେ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ୍‌ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟପାଳ ପିଲାଙ୍କ ସହ କଥା ହେବା ସହିତ ସେମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସେଠାରୁ ଦୁର୍ଲ୍ଲଗା ଯାଇ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ‌ଦୁର୍ଲ୍ଲଗା ପଞ୍ଚାୟତରେ ଏସ୍‌ଏଚ୍‌ଜିଙ୍କ ସହିତ ଆଲୋଚନା କରିବା ପରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଗୁପ୍‌ଚୁପ୍‌ ଖାଇଥିଲେ। ୧୨ଟା ୨୫ରେ ତାଳପଟିଆ ହାଇସ୍କୁଲ ପରିଦର୍ଶନ କରିବା ସହିତ ସେଠାରେ ଚାଷୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ରାଜ୍ୟପାଳ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମେଡିସିନ୍‌ ଆଇପିଡି ବୁଲି ଦେଖିବା ସହ ଡାକ୍ତର, ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜ୍ୟପାଳ ଶ୍ରୀ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe