OnlineKhabar English News
କଟକ : ରାଜ୍ୟର ସରକାରୀ ମେଡିକାଲ କଲେଜରେ ଏବେ ଆସିଷ୍ଟାଣ୍ଟ୍ ପ୍ରଫେସରରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ବିଶେଷଜ୍ଞ ଡାକ୍ତର ଅଭାବ। ଏଭଳି ସ୍ଥିତିରେ ମେଡିକାଲ୍ ପାଠ୍ୟକ୍ରମର ସିଟ୍ କଟିବା ଆଶଙ୍କା ଥିବାରୁ ରାଜ୍ୟ ସରକାର ଠିକା ନିଯୁକ୍ତି କରି କାମ ଚଳାଇବା ପାଇଁ ଯେଉଁ ଯୋଜନା କରିଥିଲେ, ତାହା ବି ଫସରଫାଟି ଯାଇଛି। ଖାଲି ପଡ଼ିଥିବା ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍ ପ୍ରଫେସର ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡିଏମ୍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବଶ୍ୟକ ଥିବା ୫୦ ପ୍ରଫେସର ପଦବି ପାଇଁ ମାତ୍ର ୧୦ଜଣ ଆବେଦନ କରିଥିବାବେଳେ ୧୪୪ ଆସୋସିଏଟ୍ ପ୍ରଫେସର ପଦବି ପାଇଁ ୧୦୪ ଜଣ ଆବେଦନ କରିଥିଲେ। ଯାଞ୍ଚ ପ୍ରକ୍ରିୟା ପରେ ୧୦୪ରୁ ୭୧ଜଣଙ୍କୁ ଆସୋସିଏଟ୍ ପ୍ରଫେସର ପଦବି ପାଇଁ ଓ ୧୦ରୁ ୭ ଜଣଙ୍କୁ ପ୍ରଫେସର ପଦବି ପାଇଁ ସାକ୍ଷାତକାରକୁ ଡକାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନ ଆସିବାରୁ ଶେଷରେ ମାତ୍ର ଜଣେ ପ୍ରଫେସର ଓ ୨୦ ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ। ଏଭଳି ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି।
ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ୧୦ଟି ସରକାରୀ ମେଡିକାଲ କଲେଜରେ ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍ ପ୍ରଫେସର ପଦ ଖାଲିପଡ଼ିଛି। ଏସ୍ସିବି ମେଡିକାଲ କଲେଜରେ ସର୍ବାଧିକ ୧୬ଟି ପ୍ରଫେସର, ୪୨ଟି ଆସୋସିଏଟ୍ ପ୍ରଫେସର ପଦ, ଏମ୍କେସିଜି, ବ୍ରହ୍ମପୁରରେ ୫ ପ୍ରଫେସର ଓ ୩୧ ଆସୋସିଏଟ୍ ପ୍ରଫେସର, ଏସ୍ଏନ୍ଏନ୍ ମେଡିକାଲ କଲେଜରେ ୪ ପ୍ରଫେସର, ୧୧ ଆସୋସିଏଟ୍ ପ୍ରଫେସର, ପିଆରଏମ୍ ମେଡିକାଲ କଲେଜରେ ୪ ପ୍ରଫେସର ଓ ୮ ଆସୋସିଏଟ୍ ପ୍ରଫେସର, ଏଫ୍ଏମ୍ ମେଡିକାଲ କଲେଜରେ ୮ ପ୍ରଫେସର, ୧୧ ଆସିଷ୍ଟାଣ୍ଟ ପ୍ରଫେସର, ବିବିଏମ୍ସିଏଚ୍ରେ ୪ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ଏସ୍ଜେଏମ୍ସିଏଚ୍ରେ ୪ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ଜଣେ ଲେଖାଏଁ ପ୍ରଫେସର ଓ ଯଥାକ୍ରମେ ୬ ଓ ୭ ଆସୋସିଏଟ୍ ପ୍ରଫେସର ପଦ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କୁ ଏନ୍ଏମ୍ସି ଗାଇଡ୍ ଲାଇନ୍ ପୂରଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ୧ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ପ୍ରଫେସରଙ୍କୁ ଓ ୧ ଲକ୍ଷ ଟଙ୍କା ଦରମାରେ ଆସୋସିଏଟ୍ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ।
ଏହି କାରଣରୁ ହୁଏତ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯେଉଁ ୨୦ଜଣଙ୍କୁ ଏବେ ଆସୋସିଏଟ୍ ପ୍ରଫେସର ପଦବିରେ ନିଯୁକ୍ତି ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଏସ୍ସିବି ପାଇଁ ୪ଜଣ, ଏମ୍କେସିଜି ପାଇଁ ୭ଜଣ, ବଲାଙ୍ଗୀର ମେଡିକାଲ କଲେଜ ପାଇଁ ୩, ପୁରୀ ମେଡିକାଲ କଲେଜ ପାଇଁ ୨, ପିଜିଆଇଏମ୍ଇଆର ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ପାଇଁ ୨ଜଣ, ବାଲେଶ୍ବର ଓ ବାରିପଦା ମେଡିକାଲ କଲେଜ ପାଇଁ ଜଣେ ଲେଖାଏ ଆସୋସିଏଟ୍ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଜଣେ ଚୁକ୍ତିଭିତ୍ତିକ ପ୍ରଫେସରଙ୍କୁ ବାଲେଶ୍ବର ମେଡିକାଲ କଲେଜ ଇଏନ୍ଟି ବିଭାଗରେ ନିଯୁକ୍ତି ଦିଆଯାଇଛି।
ଅନ୍ୟପଟେ ରାଜ୍ୟରେ ଡାକ୍ତର ସଙ୍କଟ ଦେଖା ଦେଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଜରିଆରେ ଠିକ୍ ସମୟରେ ନିଯୁକ୍ତି, ପଦୋନ୍ନତି ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ଯୋଗ୍ୟତା ଥିବା ଡାକ୍ତର ସ୍ଥାୟୀ ନିଯୁକ୍ତିରୁ ବଂଚିତ ରହୁଥିବା ଅଭିଯୋଗ ହେଉଛି।
Follow Us