Portrait an unknown male doctor holding a stethoscope behind
ଭୁବନେଶ୍ବର: ଆୟୁଷର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ୟୁନାନି। ହେଲେ ରାଜ୍ୟରେ ଏହା ଅବହେଳିତ। ରାଜ୍ୟରେ ଯେତିକି ସଂଖ୍ୟକ ୟୁନାନି ଡିସ୍ପେନସାରି ରହିଛି ତହିଁରୁ ଅଧାରୁ ଅଧିକରେ ଡାକ୍ତର ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଜଣେ ଡାକ୍ତରଙ୍କୁ ଏକାଧିକ ଡାକ୍ତରଖାନାର ଦାୟିତ୍ବ ଦିଆଯାଇଛି।
ସୂଚନା ଅନୁସାରେ, ରାଜ୍ୟର ୯ଟି ସ୍ଥାନରେ ୟୁନାନି ଡିସ୍ପେନସାରି ରହିଛି। ସାଲେପୁର, କେନ୍ଦ୍ରାପଡ଼ା, ଶିଶୁଆ, ଧାମନଗର ଦୋବଲ, ଭଦ୍ରକ, ମୁଣ୍ଡାବଣିଆ, ଝଙ୍କରେଇ, ରସୁଲପୁର ଓ କେନ୍ଦୁଝରରେ ୟୁନାନି ଡିସ୍ପେନସାରି ଥିବା ବେଳେ ମାତ୍ର ୩ଜଣ ଡାକ୍ତର ଅଛନ୍ତି। ତେବେ ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ୟୁନାନି ମେଡିକାଲ ଅଫିସର କ୍ୟାଡର ରୁଲ୍ ପ୍ରସ୍ତୁତ ହୋଇନାହିଁ। ରାଜ୍ୟରେ ଗୋଟିଏ ପଟେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ନିଯୁକ୍ତ ହେଉଥିବା ବେଳେ ୟୁନାନି ଡାକ୍ତର ନିଯୁକ୍ତ ହୋଇପାରୁ ନାହାନ୍ତି। ଫଳରେ ଗତ ୮/୧୦ବର୍ଷ ହେବ ଗୋଟିଏ ପରେ ଗୋଟିଏ ଡିସ୍ପେନସାରି ଖାଲି ହେବାରେ ଲାଗିଛି। ରାଜ୍ୟରେ ୟୁନାନି ପାଠ୍ୟକ୍ରମ ନାହିଁ। କିନ୍ତୁ ରାଜ୍ୟ ବାହାରେ ସରକାରୀ ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟରେ ୟୁନାନି ପାଠ୍ୟକ୍ରମ ରହିଛି। ରାଜ୍ୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରେ ୟୁନାନି ଶିକ୍ଷା ଗ୍ରହଣ କରିଛନ୍ତି। ରାଜ୍ୟରେ ଏବେ ୧୩/୧୪ଜଣ ୟୁନାନି ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ମାତ୍ର ୟୁନାନି କ୍ୟାଡର ରୁଲ୍ ନ ଥିବାରୁ ସେମାନଙ୍କୁ ନିଯୁକ୍ତି ମିଳିପାରୁନାହିଁ। ୟୁନାନି ଡାକ୍ତର ନିଯୁକ୍ତି ରୁଲ୍ ପ୍ରସ୍ତୁତ ପାଇଁ ଓପିଏସ୍ସିକୁ କୁହାଯାଇଥିଲା। ଓପିଏସ୍ସି ମଧ୍ୟ ଏହାକୁ ପ୍ରସ୍ତୁତ କରିସାରିଛି। ମାତ୍ର ଏହି ରୁଲ୍ ସରକାରଙ୍କ ପାଖରେ ଅଟକି ରହିଛି।
ମିଳିଥିବା ସୂଚନା ଅନୁସାରେ, ୟୁନାନି ଡାକ୍ତରମାନେ ପୂର୍ବରୁ ଆୟୁଷ ନିର୍ଦେଶକ, ସ୍ବାସ୍ଥ୍ୟ ସଚିବଙ୍କୁ ସାକ୍ଷାତ କରି ଏ ଦାବି ସଂପର୍କରେ ଜଣାଇଛନ୍ତି। ମାତ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଆୟୁଷକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟରେ ଏହାକୁ ସତେଟା ଗୁରୁତ୍ବ ଦିଆଯାଉ ନାହିଁ। ଏପରିକି ଦୀର୍ଘଦିନ ଧରି ଆୟୁଷ ନିର୍ଦେଶକ ପଦବି ଖାଲି ପଡ଼ିଛି। ଗତବର୍ଷ ଡିସେମ୍ବର ମାସରେ ସରକାର ନିର୍ଦେଶକ ପଦରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ। ଏହା ଭିତରେ ପ୍ରାୟ ୧ମାସ ବିତିବାକୁ ବସିଲାଣି ସଂପୃକ୍ତ ଅଧିକାରୀ ଦାୟିତ୍ବ ଗ୍ରହଣ କରି ନାହାନ୍ତି। ଏପରିକି ନିର୍ଦେଶାଳୟରେ ଉପ-ନିର୍ଦେଶକ ପଦବି ମଧ୍ୟ ଖାଲି ରହିଛି।
Follow Us